ପୃଷ୍ଠା:Chha mana atha guntha.pdf/୧୫୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଆମ୍ଭେମାନେ ଗୋଟିଏ କଥା କହିବାକୁ ଭୁଲି ଯାଇଛୁ, ମିଥ୍ୟା ସାକ୍ଷ୍ୟ ଦେବା ଅପରାଧରେ ଗୋବରା ଜେନାର କଠିନ ପରିଶ୍ରମ ସହିତ ଏକବର୍ଷ ମିଆଦ ହୋଇଯାଇଛି ।

ଦିନ କାହାରିକୁ ଅନାଇ ବସିରହେ ନାହିଁ । ଚିରକାଳ ସମାନ ଭାବରେ ଦିନ ରାତି ସମାନ ଭାବରେ ବ ହିଯା ଉଛି । ମଙ୍ଗରାଜେ ଘଣା ପେଲୁଛନ୍ତି ବୋଲି ଯେ ଦିନ ଅଟକି ରହିବ, ଏମନ୍ତ କିଛି ନୁହେଁ । ଲୋକେ କହନ୍ତି, 'ସୁଖର ଦିନ ଘୋଡ଼ାରେ ଧାଏଁ, ଦୁଃଖର ଦିନ ହାତୀରେ ଚଢ଼ିଯାଏ ।' ତୁମ୍ଭେ ହାହା କହ, ଦିନ ତାହାର ନିଜର କାର୍ଯ୍ୟ ଭଲ ବୁଝେ । ତାହାର ଆଠ ପହରରୁ ନିମିଷେ ଆଡ଼ବାଙ୍କ ହେବାର ନାହିଁ । ଏକ -ଦୁଇ-ତିନି-ଚାରିଦିନ କରି ମଙ୍ଗରାଜଙ୍କ ଜେଲ ମିଆଦ ଦୁଇ ମାସ କଟିଗଲାଣି ।

ସେ ଯେଉଁ ବଖରାରେ ଶୋଉଥିଲେ, ସେ ବଖରାଟା ମରାମତ କରାଯିବାର ପ୍ରୟୋଜନ ହେବାରୁ ତାଙ୍କୁ ଅନ୍ୟ ଗୋଟିଏ ବଖରାକୁ ନିଆଗଲା । ଜେଲଖାନାରେ ଗୋଟିଏ ଗୋଟିଏ ବଖରାରେ ଆଠଟି ଲେଖାଏଁ ମାଟିର ପିଣ୍ତି ବନ୍ଧାଥାଏ । ରାତିରେ କମ୍ବଳ ପାରି ସେଥିରେ ଆଠଜଣ କଏଦୀ ଶୁଅନ୍ତି । ଦୈବାତ୍ ରତନପୁର ମୌଜାର ଛାଜଣ ଡମ, ଗୋବରା ଜେନା ଏବଂ ମଙ୍ଗରାଜେ ଏହି ଆଠ ଜଣ ଗୋଟିଏ ବଖରାରେ ରହିଲେ ।

ଚାରିଦିନ ତଳେ ମଙ୍ଗରାଜଙ୍କ ଉପରେ ଭାରି ଗୋଟାଏ ବିପଦ ଘଟିଯାଇଛି । ଆଜିକାଲି କଟକ ଦରଘା ବଜାରରେ ଯେ ଗୋଟିଏ ପାଗଳଖାନା ଅଛି, ଏପରି ପୂର୍ବେ ନ ଥିଲା । ବାୟାମାନଙ୍କୁ ଜେଲ୍ ଖାନାରେ ବନ୍ଦ କରି ରଖା ଯାଉଥିଲା । ମଙ୍ଗରାଜଙ୍କ ରହିବା କୋଠରୀର କିଛି ଦୂରରେ ପାଗଳା ଗାରଦ । ସେଠାରେ ଗୋଟିଏ ଭୟଙ୍କର ବାୟା ଥିଲା । ସେ ରାତିଯାକ ଶୁଏ ନାହିଁ, ମୋ ସାରିଆ, ମୋ 'ଛମାଣ ଆଠଗୁଣ୍ଠ' କହି ନାଚେ, ଚିଲା ମାରେ, ଡକାପାଡ଼େ, ହସେ । ମଙ୍ଗରାଜଙ୍କୁ ଦେଖିଲେ ସର୍ବଦା କାମୁଡ଼ିବାକୁ ଧାଏଁ । ବରକନ୍ଦାଜମାନେ ଧରାଧରି କରି ରଖନ୍ତି । ସେ ଦିନ ହଠାତ୍ ଧାଇଁଆସି ମଙ୍ଗରାଜଙ୍କ ନାକ କାମୁଡ଼ି ପକାଇ ଛିଣ୍ତାଇ ଦେଇଅଛି ।