ପୃଷ୍ଠା:Chha mana atha guntha.pdf/୧୫୯

ଉଇକିପାଠାଗାର ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି


ଆଜି ଜେଲଖାନା ଦୁଆରେ ଭାରି ଗୋଳମାଳ, ଦୁଇଗୋଟି ରୋଗୀ ପଡ଼ିଛନ୍ତି । ଗୋଟିଏ ଶୁକ୍ ଶୁକ୍ ହେଉଥିଲା, ମରିଗଲା । ଆଉ ଗୋଟାକୁ ଧୁଆଧୋଇ କରି ନେଟିଭ ଡାକ୍ତର ଓ କମ୍ପାଉଣ୍ତର ପଟି ବାନ୍ଧିଦେଉଛନ୍ତି ।

ବେଳ ୯ ଘଣ୍ଟା ସମୟରେ ଡାକ୍ତର ସାହେବ ଆସି ମାଇନା କଲେ; ରୋଗୀର ସର୍ବାଙ୍ଗ ପରୀକ୍ଷା କଲେ । ଜେଲ୍ ଦାରୋଗା ରେଜିଷ୍ଟରୀ ବହି ଦେଖି କହିଲେ - ଲାସ୍ ୯୭୭ ନମ୍ବର କଏଦୀ ଗୋବରା ଜେନା ।

ରୋଗୀ - ନ ୯୭୫ କଏଦି ରାମଚନ୍ଦ୍ର ମଙ୍ଗରାଜ । ରୋଗୀର ସର୍ବାଙ୍ଗ ସ୍ଥାନେ ସ୍ଥାନେ ଫୁଲିଛି, ନାକଦଣ୍ତା ଫାଟିଯାଇ ରକ୍ତ ବହୁଛି, ସମୟ ସମୟରେ ରକ୍ତ ବାନ୍ତି ହେଉଛି । ଡାକ୍ତର ସାହେବ ରୋଗର କାରଣ ମାଡ଼ ବୋଲି ସ୍ଥିର କଲେ ।

ଖୁବ୍ ତଦାରଖ ହେଲା, ଧୂମଧାମ ହେଲା, କିଏ ମାଡ଼ ମାରିଲା ସ୍ଥିର ହେଲା ନାହିଁ । ରୋଗୀର କଥା କହିବାର ଶକ୍ତି ନାହିଁ । କେବଳ ଗତ ରାତ୍ରିରେ ପହରା ବରକନ୍ଦାଜ ଅର୍ଦ୍ଧରାତ୍ର ସମୟରେ ଦୁମ୍ ଦାମ ଗୁମ୍ ଗାମ ଶବ୍ଦ ଶୁଣିଥିବାର ସାକ୍ଷ୍ୟ ଦେଲା । ଡମ ଛ ଜଣ ସାକ୍ଷ୍ୟ ଦେଲେ, କଏଦୀ ଦୁଇଜଣ ପରସ୍ପର ବାଡ଼ିଆବାଡ଼େଇ ହୋଇଅଛନ୍ତି ।

ମକଦ୍ଦମା ତଦାରଖ ଖତମ ହେଲା । ଡାକ୍ତର ସାହେବ ହୁକୁମ ଦେଲେ - ରୋଗୀର ବଞ୍ଚିବାର ସମ୍ଭାବନା ବିରଳ, ତାହାର ଜ୍ଞାତି ବନ୍ଧୁ ଇଚ୍ଛା କଲେ ଚିକିତ୍ସାସକାଶେ ଘରକୁ ଘେନିଯାଇପାରନ୍ତି । ଥାନାଦ୍ୱାରା ଗୋବିନ୍ଦପୁରରେ ସାହେବଙ୍କ ହୁକୁମ ପହଞ୍ଚିଲା ।

ପୁଅମାନ ଧାନଅମାର ତଳିପୋଛ ପ୍ରାୟ କରିଦେଲେଣି । ସେମାନେ ବାପକୁ ଚିହ୍ନନ୍ତି । ଫେରି ଅଇଲେ କି ରକ୍ଷା ? କେଉଁ ବୁଦ୍ଧିମାନ ଲୋକ ଜାଣୁ ଜାଣୁ ଆପଣା ବିପଦକୁ ଡାକିଆଣେ ? "ଆତ୍ମାନଂ ସତତଂ ରକ୍ଷେତ୍ " ଏହି ନୀତିବାକ୍ୟଟା ସମସ୍ତଙ୍କୁ ଜଣା ।

ବୁଢ଼ା ହଳିଆ ମୁକୁନ୍ଦା ଲଣ୍ତଭଣ୍ତ ହୋଇ ଦୁଇଟା ଅଣ୍ତିରା, ଚାରି ଛ'ଟା ପହ୍ଲାଣ ସଜ ବିକିଦେଇ ଖଣ୍ତେ ଡୋଲି ଧରି ତରବର ହୋଇ କଟକ ଧାଇଁଲା ।