ପୃଷ୍ଠା:Chha mana atha guntha.pdf/୧୬

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ପଣ୍ତିତମାନଙ୍କର ଶ୍ଳୋକ ପଢ଼ିବା ଅଭ୍ୟାସ, ସେଥିରୁ ଆମ୍ଭେମାନେ କ'ଣ ପାଇବୁ ?

ଶ୍ୟାମ ଗୋଚ୍ଛାଇତ ଜାତିରେ ବାଉରୀ । ବିଲ ଗାଁ ତଳେ । ବିଲଗୁଡ଼ିକ ଆଗ ରୁଆ, ଶୁଆପକ୍ଷିଆ ବୁଲିଗଲାଣି । ଶ୍ୟାମ ନଇଁପଡ଼ି ହିଡ଼ ବାନ୍ଧୁଅଛି । ସାନ୍ତେ ପାଖରେ ଛିଡ଼ାହୋଇ ଯାଇ କଅଁଳ ଭାଷାରେ କହିଲେ, 'କି ରେ ବାପ ଶ୍ୟାମ', ଶ୍ୟାମ ହଠାତ୍ ସାଆନ୍ତଙ୍କୁ ଦେଖି ଚମକି ପଡ଼ିଲା । ପାଞ୍ଚହାତ ଦୂରକୁ କୋଡ଼ିଟା ଫୋପାଡ଼ିଦେଇ ଲଟକରି କାଦୁଅରେ ଶୋଇପଡ଼ି ଓଳଗି ହେଲା । 'ଆରେ ଉଠ୍, ଆରେ ଉଠ, ଆରେ ଉଠ୍' ବୋଲି ସ୍ନେହରେ ସାଆନ୍ତେ ସମ୍ବୋଧନ କଲେ । ତହିଁ ଉତ୍ତାରେ ଶ୍ୟାମ ହାତ ଯୋଡ଼ି ଦଶହାତ ଦୂରରେ ଛିଡ଼ାହେଲା । ତାହା ବାଦ୍ ଶ୍ୟାମ ଓ ସାଆନ୍ତଙ୍କ ମଧ୍ୟରେ ଢେର ବେଳ ଯାଏ ଦୁଃଖସୁଖ କଥାବାର୍ତ୍ତା ହେଲା । ସବୁ କଥାଗୁଡ଼ା ଲେଖିଲେ ପାଠକମାନେ ବିରକ୍ତ ହୋଇପାରନ୍ତି, ସେଥିସକାଶେ ସାରାଂଶ ମାତ୍ର ଲେଖୁଅଛୁ, ଅର୍ଥାତ୍ ଶ୍ୟାମ ବଂଶ ଉପରେ ସାଆନ୍ତଙ୍କର ଭାରି ନଜର । ଶ୍ୟାମ ବାପ ଅପର୍ତ୍ତିଆ ରୋଜ ରୋଜ ସଞ୍ଜବେଳେ ସାଆନ୍ତଙ୍କ ପାଖକୁ ଯାଇ ବିଲବାଡ଼ିର ହାଲଚାଲ ଜଣାଉଥିଲା ଏବଂ କିପରି ଚାଷକଲେ ଧାନ ଖୁବ୍ ଫଳିବ, ଏସବୁକଥା ପଚାରୁଥିଲା ଇତ୍ୟାଦି । ମାତ୍ର ଶ୍ୟାମ ସେପରି କରେ ନାହିଁ । ଇତ୍ୟବସରରେ ବିଲ ଉପରେ ସାଆନ୍ତଙ୍କ ନଜର ଅକସ୍ମାତ ପଡ଼ିଗଲା । ଚମକି ପଡ଼ିଲାପରି ମୁରବିପଣିଆ କରି କହିଲେ, 'ଆରେ ଶାମା ତୁ କଣ କରିଛୁ ? ତୁ ଟା ତ ନିହାତି ଓଲୁ । ଚାଷ କିଛି ଜାଣି ନାହୁଁ । ଆରେ, ଏତେ ନିଘଞ୍ଚ କରି ରୋଇଲେ କଣ ଧାନ ଫଳେ? ଗଛ ନିଃଶ୍ୱାସ ମାରିବାକୁ ତ ବାଟ ରଖି ନାହୁଁ । ଉପାଡ଼ ଉପାଡ୍ ଅଧେ ଉପାଡ଼ିପକା ।' ଗୋବିନ୍ଦ ଭଲ କରି ଅନାଇ ସା'ନ୍ତଙ୍କର ପୋଷକତା କଲା । ଶ୍ୟାମ ଥରିଥରି ହାତଯୋଡ଼ି, 'ଆଜ୍ଞା, ମୁଁ ତ ସବୁ ବରଷ ଏହିପରି ରୁଏଁ, ସମସ୍ତେ ରୁଅନ୍ତି । ସା'ନ୍ତେ ବିରକ୍ତ ହୋଇ କହିଲେ, ଆରେ ଓଲୁ, ଭଲ କହିଲେ ଶୁଣୁନାହୁଁ ? ଗୋବିନ୍ଦ ଆଡ଼କୁ ଚାହି କହିଲେ, 'ଆରେ ଓଲୁ, ଭଲ କହିଲେ ଶୁଣୁନାହୁଁ ? ଗୋବିନ୍ଦ ଆଡ଼କୁ ଚାହିଁ କହିଲେ, "ଆରେ ଗୋବିନ୍ଦା ଦେଖାଇ ଦେ ତ ।" ଏହି କଥା ମୁହଁରୁ ନବାହାରୁଣୁ ଗୋବିନ୍ଦା ଏବଂ ପାଣ୍ଡିଆ ଦୁଇ କିଆରୀ ବିଲ ଅଧା ପଦା କରିପକାଇଲେ । ଶ୍ୟାମ ଡକାପଡ଼ି ସାଆନ୍ତଙ୍କ ଗୋଡ଼ତଳେ ଗଡୁଥାଏ ।