ପୃଷ୍ଠା:Chha mana atha guntha.pdf/୧୬୧

ଉଇକିପାଠାଗାର ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି


ମୁକୁନ୍ଦା ପଚାରିଲା,"ମଳୁର ଗୋଟାଏ ଗୋଟାଏ ଜାଗା ଫୁଲିଛି କ୍ୟାଁ ? " କବିରାଜେ, "ଏଁ ବୋଇଲା, ସ୍ୱର୍ଣ୍ଣାଦିଷ୍ଟଗୁଣଂ ଶୋଥଂ । ବୋଇଲେ ଶ୍ଳେଷ୍ମା ଦୋଷ ଗୁଣରୁ ଶୋଥ ହୁଏ । ହେଉ, ଭାବନା ନାହିଁ, କସ୍ତୁରୀ ପେଟରେ ପଡ଼ିଲେ ସବୁ ଛାଡ଼ିଯିବ ।" କସ୍ତୁରୀତିଳକଂ "ପେଟକୁ ଦିଆଯିବ, ଆଉ ତିଳକ କରିଦେବାକୁ ହେବ ।" କବିରାଜ ମୁକୁନ୍ଦା ପାଖରୁ ନଗଦ ଚାରିଅଣା ପଇସା ନେଇ ଦେଢ଼ ମାଢ଼ କସ୍ତୁରୀ ବଟୁଆରୁ କାଢ଼ିଲେ । ଏହାକୁ ଅନୁପାନ ଦରକାର । କବିରାଜେ ବୋଇଲେ, 'ପାଠ କହିଲା, 'ମସ୍ତକଂ ମଟୁକୀ ରାତ୍ରୀ ଶୁଣ୍ଠି ପିପ୍‌ପଳିମେବଚ । 'ଏ ବୋଇଲା, ରାତ୍ରିରେ ଶୁଣ୍ଠି, ପିପ୍‌ପଳି ବଚ ମୁଥା ମାରି କୁଟିବା ।" ମୁକୁନ୍ଦା ପଚାରିଲା, "କେତେ ଲେଖାଏଁ ଏ ସମସ୍ତ ପଦାର୍ଥ ଆସିବ ?" କବିରାଜେ- "ଏ ବୋଇଲା ଅନୁପାନ ବିଶେଷେଣ କରୋତି ବିବିଧାନ ଗୁଣାନ୍ । ବୋଇଲା ଅନୁପାନ ବିଶେଷ କରି ଅଧିକ କରିଦେଲେ ବିଧା ମାରିଲାପରି ଗୁଣ ହେବ ।"

କବିରାଜେ ରୋଗର ବ୍ୟାଖ୍ୟା ଏବଂ ଔଷଧର ବ୍ୟବସ୍ଥା କରୁ କରୁ ରୋଗୀ ଅଥୟ ହୋଇପଡ଼ିଲାଣି, କ୍ରମଶଃ ନିଶ୍ୱାସ ବଳି ପଡୁଛି, ଦୁଇ ଆଖିକୋଣରୁ ଦୁଇଟୋପା ଜଳ ଗଡ଼ିପଡ଼ିଲାଣି । ମଙ୍ଗରାଜେ ଚାରିଦିନ ହେଲା ପଡ଼ିଛନ୍ତି । ଏକଧ୍ୟାନରେ ଆକାଶକୁ ଚାହିଁ ପଡ଼ିଛନ୍ତି, କେତେବେଳେ ଟିକିଏ ଆଖି ଲାଗିଲେ ହାଉଳି ଖାଇଲାପରି ଚମକିପଡ଼ି କହନ୍ତି "ଥ-ମା-ଆ-ଗୁଁ ।" ସ୍ୱର କ୍ଷୀଣ କ୍ରମଶଃ କ୍ଷୀଣତର କିଛି ବୁଝା ଯାଉ ନାହିଁ । ତାଙ୍କୁ ଟିକିଏ ଛାଇ ନିଦ ଲାଗିଲେ ଦେଖନ୍ତି, ଆକାଶରେ ଏକ ଭୟଙ୍କରୀ ମୂର୍ତ୍ତି, ବିଶାଳ ମୁଣ୍ତରେ ବାଳ ମୁକୁଳା, ମୂଳାପରି ବଡ଼ ବଡ଼ ଧଳା ଧଳା ଦାନ୍ତ, ଦୁଇ ତିନି ହାତ ଲମ୍ବ ଜିଭ ଲହ ଲହ କରି ତାକୁ ଖାଇବାକୁ ଧାଇଁଛି । ମଙ୍ଗରାଜଙ୍କ ମନରେ ହୁଏ ତନ୍ତୀ ସାହିର ଭଗିଆ ତନ୍ତୀ ପିଣ୍ତାରେ ଗୋଟିଏ ସ୍ତ୍ରୀ ନଟି ବୁଲାଉଥିବାର ହେଖିଥିଲେ । ସେହି ସ୍ତ୍ରୀ ମୂର୍ତ୍ତି ଭୟଙ୍କର ବିକଟାଳ ରୂପ ଧାରଣ କରି ଏହିପରି ବିକୃତ ଅବସ୍ଥାକୁ ପ୍ରାପ୍ତ ହୋଇଅଛି । ଏ ସେହି ମୂର୍ତ୍ତି, ଯେମନ୍ତ ବଜ୍ର ସ୍ୱରରେ କହୁଛି, "ମୋ ଛମାଣ ଆଠଗୁଣ୍ଠ ଜମି ଦେ ।" ମଙ୍ଗରାଜ ହାଉଳି ଖାଇ କହନ୍ତି, "ଥ-ମା-ଆ-ଗୁଁ ।" ମଙ୍ଗରାଜଙ୍କର