ପୃଷ୍ଠା:Chha mana atha guntha.pdf/୧୬୨

ଉଇକିପାଠାଗାର ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି


ଆଉ ଥରେ ଆଖି ଲାଗିଗଲା । ଦେଖିଲେ ଗୋଟାଏ ଭୟଙ୍କର ନରକଙ୍କାଳ ଦିଗନ୍ତରାଳରେ ଦେହ ଲୁଚାଇ ମୁଖବ୍ୟାଦାନପୂର୍ବକ ତାଙ୍କୁ ଗ୍ରାସ କରିବା ନିମନ୍ତେ ଯେମନ୍ତ ଏକଧ୍ୟାନରେ ନୀରବରେ ଚାହିଁରହିଅଛି । ତାଙ୍କୁ ଭଲଭାବରେ ଜଣାଗଲା ଯାହାର ଜମି ଛଡ଼ାଇ ନେବାରୁ ଅନାହାରରେ ଶୁଖି ଶୁଖି ପ୍ରାଣତ୍ୟାଗ କରିଥିଲେ, ଏଇଟି ସେହି ମୂର୍ତ୍ତି । ଆଉ ଦେଖିଲେ, ଭଗିଆପରି ସହସ୍ର ସହସ୍ର ବାୟା ଆକାଶମାର୍ଗସ୍ଥ ଘୋର କଳାମେଘ ମଧ୍ୟରୁ ବାହାରୁଅଛନ୍ତି, ସମସ୍ତଙ୍କ ହସ୍ତରେ ଖଡ୍‌ଗ ଏବଂ ଲୁହାର ମୁଦ୍‌ଗର । ଏକାବେଳକେ ସମଗ୍ର ମୁଦ୍‌ଗର ତାଙ୍କ ମୁଣ୍ତରେ ପଡ଼ିଲାପରି ଜଣାଗଲା, ମଙ୍ଗରାଜେ ରଡ଼ି ଛାଡ଼ି ପଳାଇବାକୁ ବାହାରିଛନ୍ତି, ଦେହରେ ଶକ୍ତି ନାହିଁ, ପାଟି ଫିଟୁନାହିଁ । ମଙ୍ଗରାଜେ ଅନାୟତ୍ତ ହୋଇ ସେହି ଅନାଥଶରଣ ପତିତପାବନ ଭଗବାନଙ୍କ ପବିତ୍ର ନାମ ହୃଦୟ ମଧ୍ୟରେ ଚିନ୍ତା କରିବାକୁ ଲାଗିଲେ । ସେ ଦେଖିଲେ - ଅନନ୍ତ ଆକାଶରେ ସୂର୍ଯ୍ୟମଣ୍ତଳର ଅତି ଊର୍ଦ୍ଧ୍ୱରେ ରତ୍ନସିଂହାସନରେ ଗୋଟିଏ ଜ୍ୟୋତିମୟୀ ଶାନ୍ତିମୟୀ, ଆଶାପ୍ରଦାୟିନୀ ସ୍ତ୍ରୀମୂର୍ତ୍ତି ବିରାଜିତା । ପୂର୍ବାପୂର୍ବ ପୀଡ଼ା ସମୟରେ ସେ ମୂର୍ତ୍ତି ଶଯ୍ୟା ପାଖରେ ବସି ମଙ୍ଗରାଜଙ୍କ ଦେହରେ କୋମଳ ହସ୍ତ ବୁଲାଉଥିଲେ । ବିମାନବାସିନୀ ଲାବଣ୍ୟମୟ ମୂର୍ତ୍ତି ସେହି ମୂର୍ତ୍ତିର ପ୍ରତିଛାୟା ଅଟେ । ସେହି ମୂର୍ତ୍ତି ଅଙ୍ଗୁଳି ସଙ୍କେତ କରି ମଙ୍ଗରାଜଙ୍କୁ ପାଶକୁ ଡାକୁଛନ୍ତି । ମଙ୍ଗରାଜଙ୍କ ଆତ୍ମା ସେହି ମୂର୍ତ୍ତିକୁ ଲକ୍ଷ୍ୟକରି ଧାବିତ ହେଲା । ମଙ୍ଗରାଜଙ୍କ ଉଆସରେ ଚହଳ ପଡିଗଲା । ହରିବୋଲ ହରିବୋଲ ହରିବୋଲ ।