ପୃଷ୍ଠା:Chha mana atha guntha.pdf/୧୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ପଞ୍ଚମ ପରିଚ୍ଛେଦ

ମଙ୍ଗରାଜଙ୍କ କୁଟୁମ୍ବ:

ରାମଚନ୍ଦ୍ର ମଙ୍ଗରାଜେ ଜଣେ ବହୁପୋଷୀ ଲୋକ । ଘରେ ଖାଇବାକୁ କୁଟୁମ୍ବ ଢେର । ନିଜେ ସାଆନ୍ତ ସାଆନ୍ତାଣୀଙ୍କୁ ଛାଡ଼ି ତିନି ପୁଅ ହିସାବରେ ତିନି ବୋହୂ, ପୋଇଲୀ ପରିବାରୀ କୋଡିଏ କି ବାଇଶ, ଏହିପରି ତିରିଶ ଲଗାଲଗି । ପ୍ରତି ଜଣର କଥା ଲେଖିବାକୁ ଗଲେ ଢେର ଲେଖିବା ହେବ । ମାତ୍ର ଆପଣ ତ ଆମ୍ଭମାନଙ୍କ ସ୍ୱଭାବ ଜାଣନ୍ତି, ମିଛକଥା ଲେଖିବା, କଥା ବଢ଼େଇ ଲେଖିବା, ଅକାରଣ କଥା ଲେଖିବା ଆମ୍ଭମାନଙ୍କ ଧାତୁରେ ଚଳେ ନାହିଁ । ମଧ୍ୟ "ମା ଲିଖତ୍ ସତ୍ୟମପ୍ରିୟଂ" ଅର୍ଥାତ ସତ୍ୟ କଥାରୁ ମଧ୍ୟ ଅଧାଅଧି ଛାଡ଼ିଦେବାକୁ ହୁଏ । ଉଆସ ମଧ୍ୟରେ ସ୍ତ୍ରୀ ସଂଖ୍ୟା ବେଶି, ରାମା ଭଣ୍ଡାରିକୁ ଛାଡ଼ି ପୁରୁଷ ତୁଣ୍ଡ ପ୍ରାୟ ଶୁଭେ ନାହିଁ । ସାଆନ୍ତେ ତ ଧନ୍ଦାରେ ଲାଗିଥାନ୍ତି । ତିନି ପୁଅ ଯୁଆଣ । ଚଉପଟ ଖେଳିବା, ଗୋବର ଚଢ଼େଇଧରିବା ଲୋକଙ୍କ ସହିତ ଦଙ୍ଗା ଫିସାଦ କରିବାରେ ସେମାନଙ୍କୁ ବେଳ ଅଣ୍ଟେ ନାହିଁ । ଗଞ୍ଜେଇ ପତ୍ର ଖାଇବାକୁ ମଧ୍ୟ କିଛି ବେଳ ଲୋଡ଼ା । ଗୋବିନ୍ଦପୁର ହାଟର ଗଞ୍ଜେଇଦୋକାନୀ ଜଣେ ଗହକି ଉପରେ ଖପା ହୋଇ କହିଲା, "ଆରେ ଯା ମ । ମାଲ୍ ନ ନେ, ଏକା ସାଆନ୍ତଘର ବାବୁମାନଙ୍କ ପାଇଁ ମାଲ ନିଅଣ୍ଟ । ବାପ ପୁଅଙ୍କର ପ୍ରାୟ ଭେଟ ହୁଏ ନାହିଁ । ଜଣେ ମୁରବି ଭଳିଆ ଲୋକ କହିଥିଲା, "ଆହେ ମଙ୍ଗରାଜେ, ପୁଅମାନଙ୍କୁ କ୍ୟା ପାଖପୁରାଅ ନାହିଁ ?" ମଙ୍ଗରାଜେ ଉତ୍ତର ଦେଲେ, "ଆହା ତୁମ୍ଭେ କି ଶାସ୍ତ୍ର ଶୁଣି ନାହିଁ ?"

"ଲାଳୟେତେ ପଞ୍ଚବର୍ଷାଣି ଦଶବର୍ଷାଣି ତାଡ଼ୟେତ୍ ।
ପ୍ରାପ୍ତେ ତୁ ଷୋଡ଼ଶ ବର୍ଷେ ପୁତ୍ରଂ ମିତ୍ରବଦାଚରତେ ।"

ଅର୍ଥାତ୍ ପୁଅମାନଙ୍କ ପାଟିରୁ ପାଞ୍ଚବର୍ଷ ପର୍ଯ୍ୟନ୍ତ ଲାଳବହେ, ଦଶବର୍ଷ ପର୍ଯ୍ୟନ୍ତ ସେମାନଙ୍କୁ ତଡ଼ିବ, ଷୋଳବର୍ଷ ହେଲା ଉତ୍ତାରେ ସେମାନଙ୍କ ସହିତ ଆଉ ମିତ୍ରମାନଙ୍କ ସହିତ ବଦ୍ ଅର୍ଥାତ ଖରାପ ଆଚରଣ କରିବ ।