ପୃଷ୍ଠା:Chha mana atha guntha.pdf/୧୯

ଉଇକିପାଠାଗାର‌ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି

"ବାସ୍ତବରେ ଦେଖାଯାଉଛି ସାଆନ୍ତେ କାହାରି କାହାରି ସହିତ ସଙ୍ଗାତ ମିତ୍ର ବସି ମାଲିମକଦ୍ଦମା କରି ସେମାନଙ୍କ ସମ୍ବନ୍ଧରେ ଯେଉଁ ଶାସ୍ତ୍ରୀୟ ପ୍ରମାଣ ପ୍ରୟୋଗ କଲେ, ତାହା ଠିକ ବୋଧ ଦେଉ ନାହିଁ । ଶୁଣାଯାଏ, ପୁଅମାନେ ନିଶାପାଣିରେ କିଛି ଉଡ଼ାଇ ଦେବାରୁ ବାପ ପୁଅଙ୍କର ଅପଡ଼ । ଉଆସ ମଧ୍ୟରେ ସାଆନ୍ତାଣୀ ଗୋଟାଏ କୋଠରୀରେ ପଡ଼ିଥାନ୍ତି, କାହାରି ସହିତ କଥା ନାହିଁ । କେବଳ ଭାଟ, ଭିକାରୀ, ଭୋକୀ, ଶୋଷୀ ଆସିଲେ ତାହାଙ୍କୁ ଖୋଜନ୍ତି । ବୋହୂମାନଙ୍କ କଥା ଲେଖିବା ଅନୁଚିତ । ବଡ଼ ଲୋକ ଘରର ବୋହୂ ଭୂଆସୁଣୀ କଥା ଦାଣ୍ତରେ ପକାଇଲେ ଲୋକେ ଆମ୍ଭମାନଙ୍କୁ କ'ଣ କହିବେ ? ସେମାନେ ଯେପରି ଦିନ ପହରକେ ବିଛଣାରୁ ଉଠି ଦୁଇ ତିନି ଘଣ୍ଟା ମଧ୍ୟରେ ଦାନ୍ତପତ୍ର ଘଷି, ମର୍ଦ୍ଦନ ସ୍ନାନ ସାରି ଭୋଜନ କରି ଦିନବେଳେ ବେଳବୁଡ଼ ଯାଏ ଶୋଇପଡ଼ନ୍ତି, ସେ କଥା ଗୁଡ଼ିକ ଲେଖିଲେ କ'ଣ ହେବ ? ବେଳବୁଡ଼ ସରିକି ପୁଣିଉଠି ପଖାଳ ଦିଶୁ ଦିଶୁ ସାରି ତାହା ବାଦ ଗାଁ କଥାଶୁଣିବା, ପୋଇଲୀ ମାନଙ୍କ ମଧ୍ୟରେ କଳିଲଗାଇ ଦେବା, କଳି ଭାଙ୍ଗିବା, ହସିବା, ବସିବାରେ ଅଧରାତି ହୋଇଯାଏ । ରୁକୁଣୀ, ଚେମୀ, ନାକଫୋଡ଼ୀ, ଟେରୀ, ବିମଳୀ, ଶୁକୀ, ପାଟକୁ ଛାଡ଼ି ଆହୁରି କେତେଗୁଡ଼ିଏ ପୋଇଲୀ ଅଛନ୍ତି । ସେମାନଙ୍କ ନାମ ଆମ୍ଭମାନଙ୍କୁ ଅଜଣା । କେହି ବାଳ ବିଧବା, କେହି ଯୁବତୀ ବିଧବା, କେହି ଆଜନ୍ମବିଧବା, କେହି ବା ସଧବା, ନାନା ପକ୍ଷୀ ଏକ ବୃକ୍ଷରେ ବାସ କଲା ପରି ମଙ୍ଗରାଜଙ୍କ ଘରେ ଆଶ୍ରୟ ନେଇଛନ୍ତି । ମଧ୍ୟ କେତେକ ଆସୁଛନ୍ତି । କେତେ ଯାଉଛନ୍ତି, ତାହାର ଠିକଣା ନାହିଁ । ଅନେକ ଗୁଡ଼ିଏ ନିଷ୍କର୍ମା ପୋଇଲୀ ରୁଣ୍ତ ହେଲେ ପୃଥିବୀର କଳି ଜାତ ହୁଏ, ମଙ୍ଗରାଜ ଉଆସ ଏହି ସନାତନ ବିଧିକୁ ଲଙ୍ଘି ନଥିଲା । ରାତି ଅଧଯାଏ ଉଆସ ମଧ୍ୟରେ ମାଛ ହାଟ ବସିଲା ପରି ଘୋ ଘୋ ଶବ୍ଦ ଶୁଭୁଥାଏ ।