ପୃଷ୍ଠା:Chha mana atha guntha.pdf/୨୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଷଷ୍ଠ ପରିଚ୍ଛେଦ

ଚମ୍ପା :

ଉଆସ ମଧ୍ୟରେ କେତେ ଲୋକ ଅଛନ୍ତି, ସେଥିମଧ୍ୟରୁ ଚମ୍ପା ଓରଫେ ଚମ୍ପା ସାଆନ୍ତାଣୀ, ଓରଫେ ହରକଳା ସହିତ ମଙ୍ଗରାଜ -ବଂଶର କି ସମ୍ପର୍କ ଏ କଥା କାହାରିକି ଜଣା ନାହିଁ । ତାହାର ଜାତି, କୁଳ, ପିତୃ ବଂଶ ସମ୍ବନ୍ଧରେ ମଧ୍ୟ ସମସ୍ତେ ଅନଭିଜ୍ଞ । ଚମ୍ପା ମଙ୍ଗରାଜ ଘରେ ଦାସୀ କି ସାଆନ୍ତାଣୀ, ବ୍ୟବହାରଦ୍ୱାରା ବୁଝିବାର କାହାରି ଶକ୍ତି ନାହିଁ । କେବଳ ଏତିକି ମାତ୍ର କହିପାରୁ ଯେ, ମଙ୍ଗରାଜଙ୍କ ଉଆସ ମଧ୍ୟରେ ଚମ୍ପାର କ୍ଷମତା ସୀମାତୀତ । ଅଧିକ କଣ ସାଆନ୍ତାଣୀଙ୍କ କ୍ଷମତାଠାରୁ ଢେର ବେଶୀ । ବାହାରେ ହଳିଆ, ମୂଲିଆ, କଚେରୀ କରଣଯାଏ ତାହା ଠାରେ ହାତ ଯୋଡ଼ିଥାନ୍ତି । ଚମ୍ପାର ଗୋଟିଏ ନାମ ହରକଳା । ସତ କଥା କହିବାକୁ ଗଲେ ଏହିନାମ ଧରି ତାହାକୁ କେହି ଡାକିବାର ଶୁଣିନାହୁଁ । ହରକଳା ଶଦ୍ଦର ବ୍ୟୁତ୍ପତ୍ତି କଣ, ଏହି ନାମଟି ନିନ୍ଦ୍ୟ କି ପ୍ରଶଂସନୀୟ, ଏହା ବୋଲିବାକୁ ଆମ୍ଭେମାନେ ନିତାନ୍ତ ଅକ୍ଷମ; ମାତ୍ର ଚମ୍ପାର କାନରେ ଦିନେ କିଏ ପକାଇଲା ଲୋକମାନେ ତାହାକୁ 'ହରକଳା' ବୋଲନ୍ତି । ସେ ଶୁଣି ଭାରି ଖପା ହେଲା, କାନ୍ଦି କାନ୍ଦି ମଙ୍ଗରାଜଠାରେ ଗୁହାରି କଲା, ଖୁବ୍ ଧରପଗଡ଼ ହେଲା, ଦୁଇଦିନ ପର୍ଯ୍ୟନ୍ତ ଖୋଜା ତଲାସ ହେଲା; ମାତ୍ର ହରକଳା ନାମର ଉତ୍ପତ୍ତି କେତେ ଦୂର ବିସ୍ତୃତ କିଛି ଠିକଣା ମିଳିଲା ନାହିଁ । ଅବଶେଷରେ ସାଆନ୍ତ କହିଲେ, "ହେଉ ହେଉଦେଖାଯିବ । ଖବରଦାର । ଚମ୍ପାକୁ କେହି ହରକଳା କହିବ ନାହିଁ ।" ସେ ଦିନ ଗ୍ରାମର ଏ ମୁଣ୍ତଠାରୁ ସେ ମୁଣ୍ତଯାଏ ଆଖପାଖ ଦୁଇ ଚାରି ଗ୍ରାମରେ ସମସ୍ତଙ୍କୁ ସମସ୍ତେ ସାବଧାନ କରାଇଦେଲେ --'ଖବରଦାର୍! ଚମ୍ପାକୁ କେହି ହରକଳା କହିବ ନାହିଁ ।' ମାସେ, ଦୁଇମାସ, ଚାରିମାସ, ଛ'ମାସ ଟୋକୀଠାରୁ ବୁଢ଼ୀ, ଟୋକାଠାରୁ ବୁଢ଼ାଯାଏ ସାଙ୍ଗ ମନମିଳାପ ଲୋକ ଦେଖିଲେ ଚାରିଆଡ଼କୁ ଅନାଇ ମୁରୁକି ହସି ପରସ୍ପରକୁ ସାବଧାନ କରିଦିଅନ୍ତି,"ଖବରଦାର୍" ! ଚମ୍ପାକୁ କେହି ହରକଳା କହିବ ନାହିଁ । "କ୍ରମଶଃ ସେହିକଥା ସଂକ୍ଷିପ୍ତ ସାରରୂପ ଧାରଣ