କହିବେ, ଏଇଡା ମିଛୁଆ, କିଛି ଜାଣେ ନାହିଁ । ଆଛା, ନମୁନା ଦେଖିନ୍ତୁ --"ଅର୍ଦ୍ଦ ବକ୍ଷ ଉଲ୍ଲଙ୍ଗିନୀ, ମୁରୁକିହାସିନୀ ବସ୍ତ୍ରଶୂନ୍ୟା, ରିକ୍ତହସ୍ତା, ତୁରଙ୍ଗଗାମିନୀ, ମାର୍ଜାରନୟନା ତାମ୍ରକେଶା, ଅଣ୍ଟାଭିଡା, ସ୍ୱାଧୀନକର୍ତ୍ତୃକା, ପାଞ୍ଚଜଣ ଆଗେ ଛିଡ଼ା, ପରପୁରୁଷକୁ ଧରି ନର୍ତ୍ତକୀ ସୁନ୍ଦରୀ, ଆହା ଆହା ଅପରୂପ ସ୍ୱର୍ଗବିଦ୍ୟାଧରୀ ! ଆଉ କୁରୁଚିପୂର୍ଣ୍ଣ ଉପେନ୍ଦ୍ରଭଞ୍ଜ ଶୁଣିବେ ? "ଓଲଟ କଦଳୀ ପ୍ରାୟ ଜାନୁ ନିତମ୍ବ ଯୁଗଳ ଜିଣି ସାନୁ ।" ଆଉ ଲେଖିବାକୁ ସାହାସ ଅଣ୍ଟିଲା ନାହିଁ । କେଜାଣି ବିଜୁଳି ପୁଣି ଚମକି ଉଠିବେ । ଆମ୍ଭେମାନେ ସୁରୁଚି କବିତା ଲେଖିବା ଜାଣୁ ସତ୍ୟ, ହେଲେ ଦିନ ଦୁଇ ପ୍ରହରେ ତୁଚ୍ଛା ମିଛ ଲେଖିବାକୁ ସାହସ ହେଉନାହିଁ । ଇସ୍ତକ ବାଲିପାଟଣା ବାଳିକା ବିଦ୍ୟାଳୟର ପଞ୍ଚମ ଶ୍ରେଣୀର ଛାତ୍ରୀ ଶ୍ରୀମତୀ ଚେମୀ ବେହେରା ଠାରୁ ବେଥୁନ ସ୍କୁଲର ଉଚ୍ଚତମ ଶ୍ରେଣୀର ଛାତ୍ରୀ ମିସ୍ ଏସ୍. ଏମ୍. ରେ ଓରେଫ କୁମାରୀ ଶଶିମୁଖୀ ରାୟ ପରର୍ଯ୍ୟନ୍ତ ଦେଖିଲୁ । କେହି ସୁରୁଚିସମ୍ପନ୍ନ ସୌନ୍ଦର୍ଯ୍ୟ ବଢ଼ାଇ ବିରାଡ଼ି ଆଖି ପରି କରିପାରି ନାହାନ୍ତି । ଏଣେ ସତ ଲେଖିଲେ ଅସଭ୍ୟ ତଳେ ଯିବୁ, ମିଛ କଥାତ କଲମରୁ ବାହାରିବ ନାହିଁ । ଉପାୟ କଣ? କାଳିଦାସେ ରଘୁବଂଶ ଲେଖିଲାବେଳେ କଲମ ଅଚଳ ହେବାରୁ କହିବସିଲେ ---
"ଅଥବା କୃତବାଗ୍ଦ୍ୱାରେ ବଂଶେଽସ୍ମିନ ପୂର୍ବସୁରିଭିଃ
ମଣୌ ବଜ୍ରସମୁତ୍କୀର୍ଣ୍ଣେ ସୂତ୍ରସ୍ୟେବସ୍ତି ମେ ଗତିଃ ।"
ଏବେ ତ ବାଟ ଦିଶିଗଲା, ନିଜେ କାଳିଦାସ ଚମ୍ପାରୂପ - ବର୍ଣ୍ଣନାର ନମୁନା ରଖିଯାଇଅଛନ୍ତି । ଦାସେ ବୋଇଲେ --"ତନ୍ମୀ ଶ୍ୟାମା ଶିଖିରିଦଶନା ପକବବିମ୍ବାଧ୍ୟରୋଷ୍ଠୀ ।" ଅସ୍ୟାଥଃ --ତନୁ ବୋଲନ୍ତେ ଶରୀର, ଚମ୍ପାର ତନୁ ଥିବାର ସେ ତନ୍ମୀ । ଶ୍ୟାମ ବୋଲନ୍ତେ କାଳିଆ ନୁହେଁ, ଗୋରା ନୁହେଁ, ଶ୍ୟାମଳ ବର୍ଣ୍ଣ । ଚମ୍ପା ଶ୍ୟାମଳ ବର୍ଣ୍ଣ । ଶିଖିରିଦଶନା-ଶିଖରୀ ବୋଲନ୍ତେ ଦାନ୍ତ; ଚମ୍ପାର ଛାମୁଦାନ୍ତ ଦୁଇଗୋଟି: ବାହାଡ଼ା ହୋଇ ଗୋଟିକ ଉପରେ ଗୋଟିଏ ଚଢ଼ିଯାଇ ପର୍ବତଶୃଙ୍ଗପରି ଟେକି ରହୁଥିବାରୁ ସେ ଶିଖରିଦଶନା । ଆଉ ପକ୍ୱବିମ୍ବାଧରୋଷ୍ଠୀ --ପକ୍ୱ ବୋଲନ୍ତି ପାଚିଲା,