ପୃଷ୍ଠା:Chha mana atha guntha.pdf/୨୪

ଉଇକିପାଠାଗାର‌ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ବିମ୍ବ ବୋଲନ୍ତେ କୁଆମଇତା, ଅଧରଓଷ୍ଠ ବୋଲନ୍ତେ ତଳଉପର ଓଠ ଅର୍ଥାତ୍ ପାନବୋଳରେ ଚମ୍ପାର ଦୁଇ ଓଠ ଲାଲ ହୋଇଯିବାରୁ ସେ ପକ୍ୱବିମ୍ବାଧରୋଷ୍ଠୀ ଇତ୍ୟାଦି । ପୁଣି ଦାସେ "ମଧ୍ୟେ କ୍ଷାମା--ସ୍ତୋକନମ୍ରା --ପ୍ରଭୃତି ଢେର କଥା କହିଅଛନ୍ତି, ମାତ୍ର ଚମ୍ପାର ଯେ ସବୁ ଅଙ୍ଗ ବସ୍ତ୍ରାବୃତ ଅର୍ଥାତ୍ ଆମ୍ଭେ ମାନେ ଯେ ସବୁ ଅଙ୍ଗ ଦେଖି ନାହୁଁ, ସେ ସମସ୍ତ ଅଙ୍ଗ ବର୍ଣ୍ଣନା କରିବାକୁ ନିତାନ୍ତ ନାରାଜ । ଦାସେ ତ ଦାସେ 'ଯାହା ନ ଦେଖୁଛୁ ଦୁଇ ନୟନେ, ତାହା ନ ଲେଖିବୁ ଗୁରୁବଚନ' ତେବେ ଦେଖା ସ୍ଥାନଗୁଡ଼ିକୁ ବର୍ଣ୍ଣନା କରିବାକୁ ଛାଡ଼ିବା ପାତ୍ର ଆମ୍ଭେମାନେ ନୋହୁଁ; ଯଥା --

"କଜ୍ଜଳପୂରିତ ଲୋଚନ ଭାଲେ,
ଗୁଣ୍ତିମିଶା ଖିଲୀ ଗୁଞ୍ଜିତ ଗାଲେ ।୧।
ତୈଳ-ହରିଦ୍ରାବୋଳିତ ଦେହେ,
କୁକ୍‌କୁରୀବ ଶୀଘ୍ରଂ ଧାବତି ଗେହେ ।୨।
ଷୋଳହାତୀ ଶାଢ଼ୀ ବିସ୍ତୃତ କଚ୍ଛେ,
ଥୋପଭିଡ଼ା ଜୁଡ଼ା ଶୋଭିତ ଉଚ୍ଚେ ।୩।
ଦୁମୁ ଦୁମୁ ଗୁମୁ ଗୁମୁ ଚଳନ ତସ୍ୟା,
ଚଳିତ ବା ଧାବତି ବିଷମ ସମସ୍ୟା ।୪।
କଙ୍କଣ ଚୁଡ଼ି ହସ୍ତେ ବିରାଜେ,
ଝମ ଝମ ଝମ ଝୁଣ୍ଟିଆ ବାଜେ ।୫।
ସା ଯଦା ଗଚ୍ଛତି ଗୋହିରୀଦାଣ୍ତେ,
ହସ୍ତ ହଲାଇ ଚାଣ୍ତେ ଚାଣ୍ତେ ।୬।
ଦେଖି ଶଙ୍କି ଯାନ୍ତି ଗ୍ରାମ୍ୟ ଲୋକେ,
ଡରି ମରି ପଳାଇଯାନ୍ତି ଥୋକେ ।୭।
ଇତି ରୂପବର୍ଣ୍ଣନଂ ପଜ୍‌ଝଟୀ ଛନ୍ଦେ,
ଅତଃ ଗୁଣ ବର୍ଣ୍ଣତେ ବିବିଧପ୍ରବନ୍ଧେ ।୮।