Jump to content

ପୃଷ୍ଠା:Chha mana atha guntha.pdf/୨୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ସପ୍ତମ ପରିଚ୍ଛେଦ

ବୁଢ଼ୀ ମଙ୍ଗଳା :

"ଯା ଦେବୀ ବୃକ୍ଷମୂଳେସୁ ଶିଳାରୂପେଣ ସଂସ୍ଥିତା,
ନମସ୍ତସ୍ୟୈ ନମସ୍ତସ୍ୟୈ ନମସ୍ତସ୍ୟୈ ନମୋନମଃ ।
ମୃତ୍ତିକାଶ୍ୱଗଜାରୂଢ଼ା ବନ୍ଧ୍ୟାୟାଃ ପୁତ୍ରଦାୟିନୀ,
ବାଡିସଂହାରିଣୀ ଦେବି ନାରାୟଣି ନମୋଽସ୍ତୁତେ ।"

ଅସୁରଦିଘିର ପଶ୍ଚିମକୋଣ ଗାଆଁ ଭିତରୁ ଦିଘିକୁ ଯିବା ବାଟର ଡାହାଣୀ ହାତ ପାଖରେ ଗୋଟିଏ ଭାରି ବରଗଛ ଅଛି । ଗଛମୂଳର ଚିହ୍ନ ନାହିଁ, କୋଡ଼ିଏ ପଚିଶ ଗୋଟା ଓର ପଡ଼ି ଡାଳଗୁଡିକ ପରସ୍ପର ଛନ୍ଦାଚନ୍ଦି ହୋଇ ଗଛଟି ପ୍ରାୟ ବାର ତେରଗୁଣ୍ଠ ଜମି ମାଡ଼ି ବସିଅଛି । ସାନ ସାନ ଡାଳ ପତ୍ରଗୁଡିକ ଏପରି ନିଘଞ୍ଚ ହୋଇଅଛି ଯେ,ଖରା ତେଜ ମୂଳକୁ ବାଜେ ନାହିଁ । ଗଛଟି ବହୁକାଳର । ପୁରୁଖା ପୁରୁଖା ଲୋକମାନେ କହନ୍ତି, ଏଇଟି ସତ୍ୟଯୁଗର ଠାକୁରାଣୀ ଗଛ । ସେମାନେ ପିଲାକାଳରୁ ଦେଖିଆସୁଛନ୍ତି, ଏହା ବଢ଼ିବାକୁ ବା ଛିଣ୍ତିବାକୁ ନାହିଁ । ଗଲା ସାତଅଙ୍କ ତୁଳାମାସ ଉଆଁସ ଦିନ ଭାରି ଗୋଟାଏ ତୋଫାନ ହୋଇଥିଲା, ଗାଆଁର ସମସ୍ତ ସଜନାଗଛ ଓ କଦଳୀଗଛ ପ୍ରଭୃତି ଉପୁଡ଼ିଗଲା, ଏ ଗଛରୁ ଗୋଟିଏ ପତର ମଧ୍ୟ ଝଡ଼ିଲାନାହିଁ । ଠାକୁରାଣୀଙ୍କ ମହିମା! ମଝିରେ ଚାରିଗୋଟି ଓର ଗଛପରି ଛିଡ଼ାହୋଇଅଛି, ତାହା ମୂଳରେ ଗ୍ରାମ ଦେବତୀଙ୍କ ଆସ୍ଥାନ । ଠାକୁରାଣୀଙ୍କ ନାମ ବୁଢ଼ୀମଙ୍ଗଳା । ମଙ୍ଗଳାଙ୍କର ଅଢ଼େଇମାଣ ଦେବୋତ୍ତର ଜମି ଅଛି । ବାରଗୁଣ୍ଠ ଆଠଗୁଣ୍ଠ ବିଜେ ଆସ୍ଥାନ ତଳି ବାକି ଦୁଇମାଣ ଜଳଜମି, ଦେଉରୀ ଭୋଗକରେ ଓ ଠାକୁରାଣୀ ପୂଜାକରେ । ଗ୍ରାମରେ ବିଶେଷରେ ମାଇକିନିଆମାନଙ୍କ ମଧ୍ୟରେ ଦେଉରୀର ଭାରି ମହିମା । ଠାକୁରାଣୀ ସ୍ୱପ୍ନରେ ଦେଉରୀକୁ ଦେଖାଦିଅନ୍ତି, ସବୁ କଥାକହନ୍ତି । ବାଡ଼ିରେ କଦଳୀଟାଏ, ବାଇଗଣଟାଏ, କଖାରୁଟାଏ ଫଳିରେ ଆଗ ଫଳଟା ଠାକୁରାଣୀଙ୍କୁ ନ ଦେଲେ ସେ ଖାଏ ନାହିଁ । ମଣ୍ଡପଟି ପକ୍କାରେ ତୟାରି । ମଝିରେ