ପୃଷ୍ଠା:Chha mana atha guntha.pdf/୨୬

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଠାକୁରାଣୀଙ୍କର ନିଜ ମୂର୍ତ୍ତି । ମୂର୍ତ୍ତିଟି ଖୁବ୍ ବଡ଼, ଓଜନରେ ଦଶ ପଶୁରିରୁ ଊଣା ହେବ ନାହିଁ, ଦୁଇ ଚାରିଟା ହଳଦୀଶିଳ ମିଶିଲେ ଯେତେ ବଡ଼ ତହିଁରୁ ବଳିପଡ଼ିବ । ଗୋଟାଯାକ ଚାରିଆଙ୍ଗୁଳି ବହଳ ସିନ୍ଦୂରବୋଳା । ବଡ଼ ଠାକୁରାଣୀଙ୍କୁ ଛାଡ଼ି ଆଉ ଚାରିଗୋଟି ସାନ ମୂର୍ତ୍ତି ଅଛନ୍ତି । ମଣ୍ତପ ଡାହାଣ ଭାଗରେ କିଛିଦୂରରେ ଭଙ୍ଗା, ଦଦରା, ଦଢ଼ ମାଟିର ହାତୀ, ଘୋଡ଼ା ପଣେ କି ଦୁଇପଣ ଜମା ହୋଇଅଛି । ଠାକୁରାଣୀଙ୍କୁ ମାଟିର ହାତୀ ବା ଘୋଡା ଚଢ଼ିବାକୁ ଦେଲେ ପିଲାମାନଙ୍କର ପୀଡ଼ା ଛାଡିଯାଏ । ବଡ଼ ବଡ଼ ଲୋକଙ୍କର ପୀଡ଼ା ଛାଡ଼ିବାର ମଧ୍ୟ ଦେଖା ଶୁଣାଅଛି । ଏଥିସକାଶେ ଠାକୁରାଣୀଙ୍କ ଜାଗା କେଭେଁ ଖାଲିଥାଏ ନାହିଁ । ଦେବୀଙ୍କର ପୂଜା ପ୍ରତିଦିନ ହୁଏ ନାହିଁ । ଶୁଖିଲାପତ୍ର ଆଉ ଅଳିଆରେ ଢାଙ୍କି ହୋଇଥାନ୍ତି । ବିଭା, ପୁହାଣିଘର କାହାରି ପୁଅଝିଅର ବେରାମ ଆରାମ ହେଲେ କିମ୍ବା କାହାରି ମାନସିକ ଥିଲେ ପୂଜା ହୁଏ । ଗାଁରେ ବାଡ଼ିପଡିଲେ ପୂଜାର ଧୂମ୍ ଲାଗୁଥାଏ । କିରାଣିମାନଙ୍କ ପରି ମାସକୁ ମାସ ଠାକୁରାଣୀଙ୍କର ଆୟ ନାହିଁ । ବିପଦ ପଡ଼ିଲେ ଡାକ୍ତର ଆଉ ଓକିଲଙ୍କ ଦୁଆରପରି ଠାକୁରାଣୀଙ୍କ ଆସ୍ଥାନ ଚମକିଉଠେ । ଗ୍ରାମର ଲୋକଙ୍କ ଭେଦା ପଇସାରେ ପୂଜାଖର୍ଚ୍ଚ ଚଲେ । ଠାକୁରାଣୀ ଭାରି ପ୍ରତ୍ୟକ୍ଷ ଦେବତା, ଏହାଙ୍କ ଅନୁଗ୍ରହରୁ ଗ୍ରାମରେ ଆପଦବିପଦ ଘଟେ ନାହିଁ । କେବେ କେବେ ମାଉସୀ ବୁଢ଼ୀ ପ୍ରବଳ ହୋଇ ଗ୍ରାମରେ ପଶିଯାଏ; ମାତ୍ର ଭଲକରି ପୂଜା ଦେଲେ ଶଏ ପଚାଶ ଜଣରୁ ବେଶି ନେଇପାରେନାହିଁ ଛାଡ଼ି ପଳାଏ । ଆପଣ ସଭ୍ୟ ପାଠକ, ଏ କଥା ଶୁଣି ହସିବେ, ବିଜ୍ଞାନଶାସ୍ତ୍ର ଯୋଖିଦେଇ କହିବେ, ରୋଗ ହେଲେ ଔଷଧ ଖାଅ, ଠାକୁରାଣୀଙ୍କର ପୂଜା କ'ଣ ? ଆଚ୍ଛା, ଆମ୍ଭେମାନେ ପଚାରୁଁ, ବଙ୍ଗଳା ଏପିଡେମିକ୍ ଫିଭର ଓ ବୋମ୍ବେ ବିଶେଷ ପୂଜା ପାଇବାର ଏହା ଗୋଟିଏ ବିଶେଷ କାରଣ ଅଟେ । କେଉଁ କେଉଁ ବା କେତେଜଣ ବନ୍ଧ୍ୟା ଦେବୀଙ୍କ ବରରୁ ପୁତ୍ରଲାଭ କରିଅଛନ୍ତି; ସେଥିରେ ବିଶେଷ ଡାବ ଦେଇପାରିବୁ ନାହିଁ । ମାତ୍ର ଅମ୍ଭେମାନେ ନିର୍ମାଲ୍ୟ ଛୁଇଁ କହିପାରୁ, ଗ୍ରାମରେ ଯେଉଁ ସ୍ତ୍ରୀମାନେ ସନ୍ତାନବତୀ ହୋଇଅଛନ୍ତି, ପ୍ରଥମେ ବିବାହ ସମୟରେ ବନ୍ଧ୍ୟାଥିଲେ ସେମାନେ । ପୂର୍ବେ ବୋଲିଅଛୁ; ଦୀଘିକୁ ଯିବାପାଇଁ ଠାକୁରାଣୀଙ୍କ ଆଗରେ