ଗୋଟିଏ ବାଟ ଅଛି । ଗ୍ରାମର ମାଇକିନିଆମାନେ ସେହିବାଟେ ଯିବାଆସିବା କରନ୍ତି । ଗୋଟିଏ ସ୍ତ୍ରୀ ବୟସ ଅନ୍ଦାଜ ୩୦ ହେବ, ପ୍ରତିଦିନ ସ୍ନାନ କରିଆସି କାଖରୁ ମାଠିଆଟି ଓହ୍ଲାଇ ଠାକୁରାଣୀଙ୍କ ଆଗରେ ଥୋଇଦିଏ, ପହଁରାରେ ଦେବୀଙ୍କ ଆଗଟି ପହଁରିଦେଇ ମାଠିଆରୁ ପୋଷେ ପାଣି ନେଇ ଠାକୁରାଣୀ ଗଛମୂଳେ ଦିଏ ଓ ଭୂଇଁରେ ମୁଣ୍ତିଆ ମାରି ତୁନି ତୁନି କ'ଣ ଜଣାଏ ଏବଂ ପ୍ରତିଦିନ ସଞ୍ଜବେଳେ ଗୋଟିଏ ବଳିତା ଜାଳିଆଣି ଠାକୁରାଣୀ ସ୍ଥାନରେ ସଞ୍ଜଦିଏ ଏବଂ କ'ଣ ପ୍ରାର୍ଥନା କରେ । ଏହିପରି କରୁଥିବାର ଛମାସ ହେଲା ଲୋକମାନେ ଦେଖି ଆସୁଛନ୍ତି । ତାହା ମନର କଥା କେହି ଜାଣେ ନାହିଁ, କାରଣ ସେ ସ୍ତ୍ରୀ ବଡ଼ ଲାଜକୁଳୀ, ସବୁବେଳେ ଓଢ଼ଣା ପକାଇଥାଏ, କାହାରି ସହିତ ମିଶେ ନାହିଁ, କାହାରି ସହିତ କଥା କହେ ନାହିଁ ।
ଗ୍ରାମରୁ ଗୋରୁଜଗା ପିଲାମାନେ ଖରାବେଳେ ପଡ଼ିଆରେ ଗୋରୁ ଛାଡ଼ିଦେଇ ଠାକୁରାଣୀଙ୍କ ନିକଟ ଗଛମୂଳେ ଖେଳନ୍ତି, ହଠାତ୍ ଖେଳ ଛାଡ଼ି ପାଞ୍ଚଣ ଧରି ସମସ୍ତେ ଘେରି ଛିଡ଼ା ହୋଇଗଲେ । ସେମାନଙ୍କ ଦେଖା ଦେଖି ଗ୍ରାମର ୧୦।୧୫ ଜଣ ଲୋକ ରୁଣ୍ତ ହୋଇଗଲେଣି; କାଲିତ ପୂଜା ହୋଇନାହିଁ, ଠାକୁରାଣୀଙ୍କ ଠାରେ ପୂଜାସରଞ୍ଜାମ କାହୁଁ ପଡ଼ିଲା ? ମନ୍ଦାର ଫୁଲ, ଶତବର୍ଗ ଫୁଲର ମାଳ, ଖଇ, ଉଖୁଡ଼ା ଚାରିଆଡ଼େ ବୁଣି ପଡ଼ିଅଛି, ଠାକୁରାଣୀ ଦେହରେ ତଟକା ହଳଦୀ ଲାଗିଅଛି । ଠାକୁରାଣୀ ପୂଜା ଗ୍ରାମ ମଧ୍ୟରେ ଗୋଟିଏ ବିଶେଷ ଘଟଣା । ଭେଦା ହୁଏ, ବାଇଦ ବାଜେ, ଗ୍ରାମର ସମସ୍ତେ ଦେଖିବାକୁ ଆସନ୍ତି । ପୂଜା ସନ୍ଧ୍ୟା ସମୟରେ ହୁଏ, ମାନସିକ ପୂଜା ମଧ୍ୟ ସେହିପରି ହୁଏ । କାହିଁ, କାଲି ତ ବାଇଦ ବାଜି ନାହିଁ, ସଞ୍ଜବେଳେ ପୂଜା ହୋଇନାହିଁ, ଏସବୁ କାହୁଁ ଅଇଲା ? ଗୋଟାଏ ପିଲା ଡକାପଡ଼ି କହିଲା, ଏଟା କ'ଣ ଏଟା କ'ଣ? ସମସ୍ତେ ଧାଇଁଯାଇ ଦେଖିଲେ, ଠାକୁରାଣୀ ପଛରେ ଭାରି ଗୋଟିଏ ବିଳ । ବିଳମୁହଁ ଠାକୁରାଣୀ ମଣ୍ତପଠାରୁ ତିନି ହାତ ଦୂରରେ । ତାହାର ମୁହଁଟା ଖୁବ୍ ବଡ଼, ଜଣେ ମନୁଷ୍ୟ ଯାଇ ବସିପାରେ । ଗାଁ ଯାକ ଏ କଥା ଖେଳିଗଲା । ଲୋକମାନେ ଦେଖିବାକୁ ଧାଇଁଲେ, ମଙ୍ଗରାଜେ ମଧ୍ୟ ଶୁଣିପାରି ଧାଇଁଅଇଲେ । ନାନା କଥା ହୋଇ ଶେଷରେ ସ୍ଥର ହେଲା, କୌଣସି ଭକ୍ତର କଷ୍ଟ ଫେଡ଼ିବା ନିମନ୍ତେ ଠାକୁରାଣୀ