ପୃଷ୍ଠା:Chha mana atha guntha.pdf/୨୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

କାଲି ନିଶାଭାଦ ରାତିରେ ବିଜେ ହୋଇଥିଲେ । ବିଳଟା ତାଙ୍କ ବାଘ ଖୋଳିପକାଇଛି । ମଙ୍ଗରାଜେ କହିଲେ "ଏହି ବିଳ ମଧ୍ୟରେ ବର୍ତ୍ତମାନ ବାଘ ଥିବାର ଜଣାଯାଉଅଛି ।" ବାଘ ନାମ ଶୁଣି ସମସ୍ତେ ପଳାଇଲେ । ଶେଷରେ ମଙ୍ଗରାଜେ ରାମା ମୁହକୁ ଚାହିଁ ଚାହିଁ ଚାଲିଗଲେ । ବୋଧ କରୁ, ଏହା କିଛି କାର୍ଯ୍ୟର ସାଙ୍କେତିକ ଚିହ୍ନ । ତହିଁଆରଦିନ ଆଉ କେହିବିଳ ଦେଖିଲେ ନାହିଁ । ଏହି କଥାଟା ଗ୍ରାମରେ ଅନେକ ଦିନ ପର୍ଯ୍ୟନ୍ତ ଆଲୋଚନା ହେଲା । ଭୀମା ମା ଭଣ୍ତାରୁଣୀ କହିଲା, "ମୋର ବୟସ ସାତଗଣ୍ତା କି ଦେଢ଼ପଣ କି ଚାରିପଣ ହେଲାଣି, ଗ୍ରାମର ଯେତେ ବୁଢ଼ା ଦେଖିଛ, ମୁଁ ସମସ୍ତଙ୍କୁ ବିଭା କରାଇଅଛି, ସମସ୍ତେ ମୋ ଆଗରେ ପିଲା । ମୁଁ ନିଜ ଆଖିରେ ଠାକୁରାଣୀ ଏଥରକୁ ଲଗାଇ ଚାରିଥର ଦେଖିଲିଣି । କାଲି ନିଶାଭାଗ ରାତିରେ ବାହାରକୁ ଉଠିଥିଲି, ଗୋହିରୀ ମଝିରେ ଝୁଣାଗନ୍ଧ ଆସିଲା, ଝମର ଝମର ଶୁଭିଲା । ଅନାଇଲି, ବାଘ ଉପରେ ବସି ଠାକୁରାଣୀ ବିଜେ ହେଉଛନ୍ତି । ବାପରେ ! ସେ ବାଘଟା କେଡେ ! ମୁଁ କେତେ ବାଘ ଦେଖିଛି, ଏତେ ବଡ଼ ବାଘ କାହିଁ ଦେଖିବାର ନାହିଁ । ତା'ର ଲମ୍ବଟା ସାତ କି ଆଠ ହାତ ହେବ । ମୁଣ୍ତଟା ବଡ଼ପଣ୍ତା ମୁଣ୍ତପରି ତ୍ରିପଣ୍ତ କଳା । ବାଘଟି ମୋ ଆଡ଼କୁ ତରାଟି ଚାହିଁଲା । ମୁଁ ତ ଡରରେ ତାଟି କିଳିପକାଇଲି । "ଅଧରାତିରେ ଦାଣ୍ତରେ ବାଘ ଚାଲିବା ଶବ୍ଦ ଶୁଣିବାର ଆହୁରି ମଧ୍ୟ ଚାରି ପାଞ୍ଚ ବୁଢ଼ା ମନୁଷ୍ୟ ସାକ୍ଷ୍ୟ ଦେଲେ । ସକାଳେ ବାଘ ଖୋଜ ରାମା ତନ୍ତୀ ଦେଖିଥିବାର ଦୃଢ଼ ରୂପେ କହିଲା । ଠାକୁରାଣୀ ଆସିଥିବାର ନିଃସନ୍ଦେହରେ ସ୍ଥିର ହେଲା ।