ପୃଷ୍ଠା:Chha mana atha guntha.pdf/୨୯

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଅଷ୍ଟମ ପରିଚ୍ଛେଦ

ଜମିଦାର ସେଖ୍ ଦିଲବାର୍ ମିଆଁ :

ସେଖ କେରାମତ୍ ଅଲିଙ୍କ ଘର ପ୍ରଥମେ ଆରା ଜିଲ୍ଲାରେ ଥିବା, ବର୍ତ୍ତମାନ ଜିଲ୍ଲା ମେଦୀନିପୁର । ସେଖ କେରାମତ୍ ଅଲିଙ୍କୁ ସମସ୍ତେ ଆଲିମିଆଁ ବୋଲି ଡାକନ୍ତି, ଆମ୍ଭେମାନେ ସେହି ନାମ ଲେଖିବୁ । ଆଲିମିଆଁ ପ୍ରଥମେ ଯୋଡ଼ାର ସୌଦାଗର ଥିଲେ । ପଶ୍ଚିମ ହରିହର ଛତର ମେଳାରୁ ଘୋଡ଼ା କିଣିଆଣି ବଙ୍ଗଳା, ଓଡ଼ିଶାରେ ବିକ୍ରି କରିବା ତାଙ୍କର ବ୍ୟବସାୟ ଥିଲା । ମେଦିନୀପୁର ଜିଲ୍ଲାର ବଡ଼ ସାହେବକୁ ଗୋଟିଏ ଘୋଡ଼ାବିକି ଥିଲେ ସେ । ଘୋଡ଼ାଟି ଭଲ ପଡ଼ିବାରୁ ସାହେବ ମଉସୁଫ ଭାରି ଖୁସି ହୋଇ ମିଆଁଙ୍କ ବ୍ୟବସାୟ ଓ ରୋଜଗାର ବିଷୟରେ ଅନେକ କଥା ମେହରବାନି କରି ପଚାରିଲେ ଏବଂ ସୌଦାଗରରୁ ବିଶେଷ ଲାଭ ନ ଥିବାର ଶୁଣି ତାକୁ ଗୋଟିଏ ଚାକିର ଦେବାକୁ ଇଚ୍ଛାକରି ସେ (ଆଲିମିଆଁ) ଲେଖାପଢ଼ି ଜାଣନ୍ତି କି ନାହିଁ ପଚାରିଲେ । ମିଆଁ କହିଲେ, "ହଜୁର,ମୁଁ ପାରସି ଜାଣେ; କାଗଜ କଲମ ଦେଉନ୍ତୁ, ମୋ ନାମ ପୂରା ଲେଖିଦେବି । "ପୂର୍ବେ ପାର୍ସିବିଦ୍ୟାର ଭାରି ଆଦର ଥିଲା । ଅଦାଲତର ଚଳିତ ବିଦ୍ୟା ଥିଲା ପାର୍ସି । ଭାରତ ଭାଗ୍ୟରେ ବିଧାତା ଏହିପରି ଲେଖନ ମୁନ ମାରିଛନ୍ତି; କାଲି ଥିଲା ପାର୍ସି, ଆଜି ହେଲା ଇଂରାଜୀ, ଏ ଉତ୍ତାରେ କ'ଣ ତାଙ୍କୁ ଜଣା, ଏ କଥା ନିଶ୍ଚିତ, ଦେବନାଗରୀ କପାଳ ପଥରତଳେ । ଇଂରାଜୀ ପଣ୍ତିତମାନେ କହନ୍ତି, 'ସଂସ୍କୃତ ମୃତ ଭାଷା ।' ଆମ୍ଭେମାନେ ସେ କଥା ଆଉ ଟିକିଏ ସଫାକରି ବୋଲୁଅଛୁ , ଏହା ଦରମଲା ଲୋକଙ୍କ ଭାଷା । ସେ କଥା ଥାଉ, ସାହେବ ମଉସୁଫଙ୍କ ମେହରବାନିରୁ ମିଆଁ ସାହେବ ଗୋଟିଏ ଚାକିରି ପାଇଲେ, ସେ ଚାକିରର ନାମ ଥାନା ଦାରୋଗା ମିଆଁ ସାହେବ ନାନା ବିଘ୍ନରେ ଏବଂ ନିର୍ବିଘ୍ନରେ ତିରିଶବର୍ଷ ପର୍ଯ୍ୟନ୍ତ ଚାକିରି କରି ଅନେକ ବିଷୟ ସମ୍ପତ୍ତି ଅର୍ଜନ କରିଯାଇଥିଲେ । ଘର, ବାଗବଗିଚା ଘର ଆସବାବମାନେ ଛାଡ଼ି ଜମିଦାରୀ ତାଲୁକା ଚାରିଗୋଟା । ପୂର୍ବେ ଓଡ଼ିଶା ଜମିଦାରୀ ସବୁ କଲିକତାରେ