ପୃଷ୍ଠା:Chha mana atha guntha.pdf/୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

(୧୯୧୩) ଏବଂ ପ୍ରାୟଶ୍ଚିତ (୧୯୧୫)। ଲଛମା ଏକ ଐତିହାସିକ ଉପନ୍ୟାସ । ଅନ୍ୟ ତିନୋଟି ଉପନ୍ୟାସ ସମାଜର ବାସ୍ତବ ଆଲେଖ୍ୟ । ଫକୀରମୋହନ ସାହିତ୍ୟର ଜଣେ ପ୍ରବୀଣ ସମାଲୋଚକ ନଟବର ସାମନ୍ତରାୟ ଯଥାର୍ଥରେ ଦର୍ଶାଇଛନ୍ତି ଯେ ଫକୀରମୋହନଙ୍କ ଉପନ୍ୟାସଗୁଡ଼ିକ ଅଷ୍ଟାଦଶ ଶତାଦ୍ଦୀରୁ ବିଂଶ ଶତାଦ୍ଦୀର ମଧ୍ୟଭାଗ ପଯ୍ୟନ୍ତ ଓଡ଼ିଶାର ସାମାଜିକ ଇତିହାସ ।

ଛ'ମାଣ ଆଠଗୁଣ୍ଠ ଫକୀରମୋହନଙ୍କର ଶେଷ୍ଠତମ କୃତି । ଏହା ଚରିତ୍ରମାନଙ୍କର ଏକ ଆଲେଖ୍ୟଶାଳା । ଚଂପା, ମଙ୍ଗରାଜ, ଭଗିଆ ଓ ସାରିଆ ଭଳି ଏ ଉପନ୍ୟାସର ଚରିତ୍ରମାନେ ଓଡ଼ିଆ ସାହିତ୍ୟରେ ଆର୍କିଟାଇପ୍ ବା ପ୍ରତୀକରେ ପରିଣତ ହୋଇଛନ୍ତି । ସମାଜର ଦଳିତ ଓ ଅବହେଳିତମାନଙ୍କ ପ୍ରତି ଗଭୀର ସହାନୁଭୂତି ଥିଲେ ମଧ୍ୟ ଧନୀକ ଗୋଷ୍ଠୀର ଜୀବନଧାରା ସହିତ ଫକୀରମୋହନ ବିଶେଷ ପରିଚିତ ଥିଲେ । ସେଥିପାଇଁ ଭଗିଆ ଓ ସାରିଆଙ୍କ ଦାରିଦ୍ର୍ୟ ଓ କଷଣ ସହିତ ମଙ୍ଗରାଜଙ୍କ ଜମିଦାରୀ ଓ ଅତ୍ୟାଚାରୀ ମନୋବୃତ୍ତି ଏ ଉପନ୍ୟାସରେ ନିଖୁଣ ଭାବରେ ! ବଣ୍ଣିତ ।

ଫକୀରମୋହନ ବାସ୍ତବବାଦ ପରଂପରାରେ ସାହିତ୍ୟ ସୃଷ୍ଟି କରିଥିଲେ । ଛ'ମାଣ ଆଠଗୁଣ୍ଠରେ 'ଅସୁରଦୀଘି' ପରିଚ୍ଛଦରେ ସେ ମଇଳା ଓ ଆବର୍ଜନାର ଯେପରି ବର୍ଣ୍ଣନା କରିଛନ୍ତି, ଉନବିଂଶ ବିଂଶ ଶତାଦ୍ଦୀର ପ୍ରଥମ ପାଦର ଜଣେ ଔପନ୍ୟାସିକ ପକ୍ଷରେ ସେଭଳି କରିବା ଯଥାର୍ଥରେ ବିସ୍ମୟକର । ତାଙ୍କର ବ୍ୟଙ୍ଗ ଓ ବିଦ୍ରୁପ ତଥା କଥିତ ଭାଷାର ପ୍ରୟୋଗ ଓଡ଼ିଆ ସାହିତ୍ୟରେ ଅତୁଳନୀୟ । ତାଙ୍କ ଗଳ୍ପ ଉପନ୍ୟାସର ବିଷୟବସ୍ତୁ ସେ ମୋଟାମୋଟି ସଂଗ୍ରହ କରିଥିଲେ ନିଜ ଅନୁଭୂତିରୁ । ସବୁ ଶେଣୀର ପାଠକମାନଙ୍କ ନିକଟରେ ସେ ଅଦ୍ୟାବଧି ପ୍ର'ଯରୟ ହୋଇ ରହିଆସିଛନ୍ତି ।

ଫକୀରମୋହନଙ୍କ ଛ'ମାଣ ଆଠଗୁଣ୍ଠ ବିଭିନ୍ନ ଭାରତୀୟ ଭାଷା ତଥା ଇଂରାଜୀରେ ଅନୂଦିତ ହୋଇଛି । ଆମେରିକାର ୟୁନିଭର୍ସିଟି ଅଫ୍ କାଲିଫର୍ଣ୍ଣିଆ ପ୍ରେସ ତଥା ଭାରତର ପେଙ୍ଗୁଇନ ପ୍ରକାଶନ ସଂସ୍ଥା ମଧ୍ୟ ଏହାର ଇଂରାଜୀ ଅନୁବାଦ ପ୍ରକାଶ କରିଛନ୍ତି । ଛ'ମାଣ ଆଠଗୁଣ୍ଠ ଆଜି କେବଳ ଓଡ଼ିଶାରେ ନୁହେଁ, ଓଡ଼ିଶା ବାହାରେ ତଥା ଭାରତ ବାହାରେ ପଠିତ ଏବଂ ଆଦୃତ ହେଉଛି ।

ଗଣେଶ୍ୱର ମିଶ୍ର
ସଭାପତି
ଓଡ଼ିଶା ସାହିତ୍ୟ ଏକାଡେମୀ