ପୃଷ୍ଠା:Chha mana atha guntha.pdf/୩୦

ଉଇକିପାଠାଗାର ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି


ନିଲାମ ହେଉଥିଲା । ମିଆଁ ଥରେ କଲିକତାକୁ ଗୋଟିଏ ଖୁଣିମାମଲା ଚଲାଣ ଘେନି ଯାଇ ତାଲୁକେ ଫତେପୁର ସରଷଣ୍ତ ନିଲାମରେ କିଣିଥିଲେ । ଆପଣମାନଙ୍କ ମନରେ ଆମ୍ଭମାନଙ୍କ କଥା ପ୍ରତି ସନ୍ଦେହ ହୋଇପାରେ । ଥାନା ଦରୋଗା ବର୍ତ୍ତମାନ ବେଙ୍ଗଲ ପୋଲିସରେ ଇନ୍‌ସପେକଟର ତ ? ଏତେ ଟଙ୍କା କାହିଁ ଅର୍ଜିଲା ? ମାତ୍ର ଆପଣ ଆଖିବୁଜି ପଢ଼ିଯାନ୍ତୁ, ଆମ୍ଭମାନଙ୍କ କଥାରେ ପଦେ ମିଛ ନାହିଁ, ନିର୍ମଳ ସତ । ଏ କଥା ସମସ୍ତେ ଜାଣନ୍ତି, ଜଣେ ଦିପୋଟି ଗୋବିନ୍ଦ ପଣ୍ତା ବ୍ରାହ୍ମଣ ଗୋଟିଏ ମକଦ୍ଦମା ଡିଗ୍ରୀ କରିଦେବାରୁ ପଣ୍ତେ କଲ୍ୟାଣ କରି କହିଥିଲେ "ଦୋପତି ବାବୁ, ତମେ ଦାରୋଗା ହୁଏ ।" ଆପଣା କଥାଟାର ହାଲ ବୁଝିଲେ ତ ? ବୁଦ୍ଧିମାନ ଲୋକେ ଠାରରୁ ସବୁ ବୁଝିଯାନ୍ତି । କଲିକତାର ପ୍ରସିଦ୍ଧ ଧନୀ ମୋତିଶୀଳ ପ୍ରଥମେ ଖାଲି ବୋତଲ ବିକି କ୍ରୋଡ଼ପତି, ମୁଁ ପୁରା ବୋତଲ ବିକି କାଙ୍ଗାଳୀ । "ଆମ୍ଭମାନଙ୍କର ଭୟ, କୌଣସି ବି:ଏ: ଏମ୍:ଏ: ପାଶିଆ ବାବୁ ଆଲିମିଆଁଙ୍କ କଥା ଶୁଣି ଶୁଣ୍ତୀ ପର ବିଳାପ କରିବେ, ହାୟ, ହାୟ, ମିଆଁ ଓଲଟା କଲମରେ ତୁଚ୍ଛା ନାମଟା ଲେଖି ଜମିଦାର, ଆମକଭ ସଳଖ କଲମରେ ଲମ୍ବା ଲମ୍ବା ଏତେ ଲେଖି ଖାଇବାକୁ ପାଉନାହୁଁ । କଥାଟା କଣ ବାବୁ ଜଣନ୍ତି, "ଭାଗ୍ୟଫଳତି ସର୍ବତ୍ରାଣ ବିଦ୍ୟା ନ ଚ ପୌରୁଷଂ । "ଆଲିମିଆଁଙ୍କ ଗୋଟିଏ ମାତ୍ର ପୁତ୍ର, ନାମ ସେଖ୍ ଦିଲ୍‌କାର ମିଆଁ ଓରଫ ଛୋଟମିଆଁ । ପୁଅକୁ ଲାଏକ ଏବଂ ଇଲମଦାର କରିବା ସକାଶେ ଦାରୋଗା ସାହେବଙ୍କର କିଛିମାତ୍ର ଗଫଲୟତି ନ ଥିଲା । ପାରସି ପଢ଼ାଇବା ନିମନ୍ତେ ଅନେକ ଦିନ ପର୍ଯ୍ୟନ୍ତ ଘରେ ଆଖୁନ ନିଯୁକ୍ତି ଥିଲେ । ଛୋଟମିଆଁ ପନ୍ଦର ବର୍ଷ ମଧ୍ୟରେ ପାରସ୍ୟ ଭାଷାର ବିଲକୁଲ ବର୍ଣ୍ଣମାଳା ଓ ବନାନ ଶିଖିପକାଇଥିଲେ । ଛୋଟା ମିଆଁଙ୍କର ବାଇଶ ବରଷ ପୁରିଲାଣି, ଏତେବେଳେ ଆଖୁଞ୍ଜୀ ଆଗରେ ବସି ଝୁଲି ଝୁଲି ପଢ଼ିଲେ ଲୋକେ କଣ ବୋଲିବେ ? ପୁଣି ଦୋସ୍ତମାନେ ଆସି ଅକାରଣେ ବସି ରହନ୍ତି, ସେମାନଙ୍କର କଷ୍ଟ ଦେଖିବା ମିଆଁଙ୍କ ବରଦାସ୍ତ ହେଉ ନଥିଲା । ବିଶେଷରେ ଆଖୁନଜୀ