ପୃଷ୍ଠା:Chha mana atha guntha.pdf/୩୧

ଉଇକିପାଠାଗାର ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି


କେବେ କେବେ ବୋଲନ୍ତି "ନିଶା ଖାନେସେ ଆଦାମୀ ଜାନୁଆର ହୋ ଯାତା ହୈ । ଏ କଥା ନିହାଏତ୍ ବେବରଦାସ୍ତ ।

ଦିନେ ଓପରଓଳି ଆଖୁନଜୀ ସାହେବ ଖାନା ଖାଇ ଚିତ୍ ହୋଇ ଶୋଇଥିଲେ; କେଉଟମାନେ ଯେପରି ତାଗ କାଟିବା ସକାଶେ ଛଣପଟ ବିଡ଼ା ମେଲା ଦେଇଥାନ୍ତି, ସେହିପରି ବିଡ଼ାଏ ପାଚିଲା ଦାଢ଼ି ମିଆଁଙ୍କ ବେକ ଏବଂ ଛାତିକୁ ଘୋଡ଼ାଇ ପକାଇଥିଲା । ଗୋଟିଏ ଜଳନ୍ତା ଟିକିଆ ଦାଢ଼ି ମଝିରେ ପଡି ପଡ୍ ପଡ୍ କରି ପୋଡ଼ି ଲାଗିଯିବାରୁ ଆଖୁନଜୀ ଧଡ଼ପଡ଼ ହୋଇ ଉଠିପଡି "ତୋବା ତୋବା" କହି ଦାଢ଼ି ଝାଡ଼ିବାକୁ ଲାଗିଲେ । ଟିକିଆଖଣ୍ତ ଭାଙ୍ଗି ନିଆଁ ଝୁଲସବୁ ଲୁଗାପଟାଯାକ ବୁଣିପଡ଼ିଲା । ପାଚିଲା ଦାଢ଼ି ଗୁଡାକ ଝରିବାଣପରି ଚାରିଆଡ଼େ ଉଡୁଥାଏ । "ଆ ମେରି ତୋବା ରେଆ ମେରି ତୋବାରେ" କହି ମିଆଁ ଘର ଯାକ ଡିଆଁ ମାରି ନିଆଁ ଲିଭାଉଥାନ୍ତି । ଲଙ୍କା ପୋଡ଼ିବାବେଳେ ହନୁମାନ ମୁହଁରେ ନିଆଁ ଲାଗିବାରୁ କିପରି ଦିଶୁଥିଲା, ମହର୍ଷି ବାଲ୍ମିକୀ ସେ କଥା ଖୋଲସା କରି ଲେଖିଯାଇ ନାହାନ୍ତି; ତେଣୁ ଆମ୍ଭମାନେ ଉପମା ଛଳରେ ସେ କଥାଟା ଉଲ୍ଲେଖ କରିବା ଯୁକ୍ତିସଙ୍ଗତ ନୁହେଁ ବୋଲି ବିବେଚନା କରୁଅଛୁଁ 'ସର୍ବନାଶଂ ସମୁତ୍ପନ୍ନେ ଅର୍ଦ୍ଧଂ ତ୍ୟଜତି ପଣ୍ତିତଃ ।' ଆଖୂନଜୀସାହେବ ଏହି ନୀତିଶାସ୍ତ୍ର ଅନୁସାରେ ଅଧାଅଧି ଦାଢ଼ି ଆୟତ୍ତପୂର୍ବକ "ବିସମିଲ୍ଲା ବିସମିଲ୍ଲା" କହି ସେଦିନ ରାତିରେ କବାଟ କିଳି ରହିଲେ ତହିଁଆରଦିନ ସକାଳଠାରୁ ତାଙ୍କୁ କେହି ମେଦିନୀପୁର ମଧ୍ୟରେ ଦେଖିନାହିଁ । ଆଲିମିଆଁଙ୍କ କାନରେ ଏକଥା ପଡ଼ିବାରୁ ସେ କହିଲେ "କୁଛ ପରବାୟ ନେହିଁ, ମେରି ଦିଲୁ ତ ଇଲମ ହାସଲ କରିନେଇଛି । ମୁଁ କେବଳ ମୋ ନାମ ଲେଖି ଜାଣେ, ଏତେ ଦୌଲତ କମାଇଲି । ମେରି ଦିଲୁ ତ ବହୁତ ଶିଖିଲାଣି । ସେ ଦିନ ମୋ ଆଗରେ ଇମତାନ୍ ଦେଲା, ଆପଣା ନାମ ଲେଖିଲା, କଲିକତା, ମେଦିନୀପୁର, ହାତୀ, ଘୋଡା, ବାଗ-ବଗିଚା କେତେ କଥା ଲେଖିଗଲା । ବଡ଼ ସାହେବ ଖବର ପାଇଲେ ଏଇଲାଗେ ତାକୁ ଦାରୋଗାଗିରି ଦେବେ; ମାତ୍ର ମୁଁ ଏକଥା ଲୁଚାଇଛି । ମୁଁ ଦିଲୁକୁ ଚାକିର କରିବାକୁ ଦେବି ନାହିଁ । ସେ ପିଲାଲୋକ, ଏତେ ମେହେନତ୍ ଉଠାଇପାରିବ ନାହିଁ । "ତାହା ବାଦ ଆଲିମିଆଁ ଲଡ୍କାକୁ ପାଖରେ ବସାଇ ବିଷୟକର୍ମ ଚଳାଇବା