ବିଷୟରେ ଅନେକ ଉପଦେଶ ଦେଲେ । ବିଶେଷରେ ଓଡ଼ିଆ ଜମିଦାରୀ ବିଷୟରେ ବହୁତ ହୁସିଆରି ସକାଶେ ଉପଦେଶ ଦେଇ କହିଲେ,"ଦେଖ୍, ସେ ଦେଶର ଯେଉଁ ମହନ୍ତମାନେ ଅଛନ୍ତି, ସେମାନେ ବଡ଼ ଚୋର, ମୁଁ ହିସାବ-କିତାବରେ କୁବ୍ ମଜବୁତ ବୋଲି ମୋତେ ଠକାଇପାରନ୍ତି ନାହିଁ । ସେମାନଙ୍କ ଠକପଣିଆ ଶୁଣିବୁ ? ଏକ, ଦୁଇ, ତିନି ଆଉ ଚାରି ଏହି ଦୁନିଆର ହିସାବ; ମାତ୍ର ସେମାନଙ୍କ ହିସାବ କଣ ଜାଣ -ଏକକେ ଏକ, ଦୁଇକେ ଦୁଇ, ଦୁଣେ ଚାରି । ଦେଖ ଏକ,ଦୁଇ ଚାରି ହେଲା, ବିଚେମେ ତିନ୍ କାହା ଗେୟା ? ଏହି ତିନିରୂପେୟା ଚୋରୀ ଇତ୍ୟାଦି ।
ଜମିଦାର ବଂଶର ପରିଚୟ ନିମନ୍ତେ ଏତେ ଗୁଡ଼ାଏ କଥା ଲେଖିବାକୁ ହେଲା, ମାତ୍ର ଏହା ସବୁ ପୁରୁଣା କଥା । ଆଜକୁ ପାଞ୍ଚ ବର୍ଷ ହେଲା ଶେଖ୍ କେରାମତ ଆଲି ଫୌତ ହୋଇଗଲାଣି । ଛୋଟ ମିଆଁ ଓରଫ ଶେଖ ଦିଲଦାର ବର୍ତ୍ତମାନ ଖୋଦ୍ ମାଲିକ । ରାତି ଅନ୍ଦାଜ ଘଡ଼ିକ ଭିତରେ ଜମିଦାର ଶେଖ୍ ଦିଲ୍ଦାର ମିଆଁ କଚେରୀ ଘରେ ବସିଛନ୍ତି, ଘରଟା କୋଠା । ସେହିପରି ଛୋଟମୋଟିଆ କୋଠରୀ ନୁହେଁ । ଖୁବ୍ ଲମ୍ବାଚଉଡ଼ା କୋଠା । ଘରତଳେ ଗୋଟିଏ ବଡ଼ ଶତରଞ୍ଜି ବିଛଣା ହୋଇଅଛି । ସେଟା ହୁଏତ ବଡ଼ ପୁରୁଣା, ଦଶ କି ବାର ଜାଗାରେ ତେଳଢଳା ଦାଗ, ଟିକିଆପୋଡ଼ା ଜାଗା ପନ୍ଦର କି କୋଡ଼ିଏ ଧଡ଼ି ଚିରା । ସେହି ଶତରଞ୍ଜି ମଝିରେ କାନ୍ଥକୁ ଲଗାଇ ଏକ ବନାରସୀ ବିଛଣା କାନ୍ଥକୁ ଭିଡ଼ି ବଡ ଗୋଟାଏ ବନାରସୀ ତକିଆ, ଦୁଇପାଖର ଚକା ବୋଇତି କଖାରୁ ପରି ଦୁଇଗୋଟି ସାନ ବନାରସୀ ତକିଆ, ସେହି ବିଛଣାରେ ଖୋଦ୍ ଜମିଦାର ସେଖ୍ ଦିଲ୍ଦାର ମିଆଁ ବସିଛନ୍ତି । ପୋଷାକ କିନ୍ଖାପା, ଢିଲା, ପାଜୁମା, ସାଟିନ୍ ଚପ୍କନ ମୁଣ୍ତରେ ବନାରସୀ ଟୋପି, କାନରେ ଅତର ତୁଳାକାଠି, ଆଗରେ ରୂପା ଅତର ଦାନୀ, ଗୋଲାପଦାନୀ, ତା ପାଖରେ ବଡ଼ ଏକ ସାତ ହାତି ନଳଯୁକ୍ତ ଗୁଡ଼ଗୁଡ଼ି ହୁକା, ହୁକା ଉପରେ ସାନ ଆଟିକା ପରି ଚିଲମ, ତହିଁ ଉପରେ ସରପୋଷା ସେଥିରୁ ଚାରିକେରା ରୂପା ଶିକୁଳି ଝୁଲିଆସି ମାଟି ସ୍ପର୍ଶ କରିଅଛି । ମହାଦେବଙ୍କଠାରେ ରୋଗା ଧାରଣ ଦେଲାପରି ନଳଟା ମିଆଁଙ୍କ ପାଦ ସ୍ପର୍ଶକରି ପଡ଼ିଅଛି, ଆଜି ତାହାର ଆଦର ନାହିଁ । ଚକ୍ରନେମିକ୍ରମେଣ ମନୁଷ୍ୟମାନଙ୍କର ପରି ଅଚେତନ