Jump to content

ପୃଷ୍ଠା:Chha mana atha guntha.pdf/୩୪

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ତାହାର ତମସୁକ କୋଡ଼ିଏ ହଜାର ଓ ହାତ ଉଧାର ବାବଦ ଚାରି ହଜାର ଟଙ୍କା ହେଲାଣି, ଆଉ କରଜ ଦେବାକୁ ସେ ନାରାଜ ହେଲା । ବଜାରର ମୁଦି ଦୋକାନମାନଙ୍କର ପାଉଣା ଚାରିହଜାର, ସେମାନେ ସଉଦାକାଳି ଦେଲେ ନାହିଁ । "ମିଆଁ କହିଲେ "ବେକୁବ, କମ୍‌ବକ୍ତ, ନାଲାଏକ୍" । ବାପାଙ୍କ ଅମଳରୁ ରାମସରକାର କୋଡ଼ିଏ ବର୍ଷ ଚାକର ଥିଲା, ତାକୁ ବାହାର କରି ତୁମେ ଦୋସ୍ତ ଓ ଲାଏକ୍ ମନୁଷ୍ୟ ବୋଲି ବେବର୍ତ୍ତା କାମ ଦେଲି, ଗରଜ ଚଳାଇପାରୁ ନାହିଁ ?"ମୁନସୀ ଜାହେର ବକସ କହିଲେ,"ହଜୁର୍! ମୁଁ କିପରି ନାଲାଏକ ହେଲି ? ରାମ ସରକାର କିଛି କରଜ କରି ଆଣିପାରୁ ନ ଥିଲା; ମୁଁ ପାଞ୍ଚବରଷ ମଧ୍ୟରେ ପଚିଶ ହଜାର କରଜ ଆଣିଦେଲି । "ମିଆଁ କହିଲେ --" ସେ କଥା ଯାଉ, ଏବେ ଇଜ୍ଜତ କିପରି ରହେ? "ସମ୍ପତ୍ତି ଯାଉ ମହତ୍ ଥାଉ, ମହତ୍ ଗଲେ ନ ମିଳେ ଆଉ ।"ମୋ ସାହେବମାନେ ଢୋଳାଉଥିଲେ, ଏ କଥା ଶୁଣି ପାଟିକରି ଏକାବେଳକେ କହିଲେ--"ଅଲବତ୍, ଅଲବତ୍, ଉଆଜିବ୍ ଉଆଜିବ୍ । ମିଆଁ କହିଲେ,"ଯାଅ ଆସବାବ ହେଉ ବା ଜମିଦାରୀ ହେଉ ବନ୍ଧକ ଦେଇ ଆଜିକା ମଜଲିସ୍ ବନ୍ଦୋବସ୍ତ କର । ଦେଖ ଜଲଦି, ରାତି ହୋଇଗଲା । ବେଶି ଟଙ୍କା ଦରକାର ନାହିଁ । ବାଈଜୀ ରୋକଶତ ଶଏ ଟଙ୍କା ଓ ବାଈଜୀ ସାଙ୍ଗଲୋକ ଓ ଦୋସ୍ତମାନଙ୍କ ଖାନା ପଲାଓ ସକାଶେ ଏକଶ ଟଙ୍କା ବହୁତ ହେବ । "ଦୋସ୍ତମାନେ କହିଲେ" ଉଆଜିବ୍, ଉଆଜିବ୍ ବହୁତ ରୂପେୟାର ଦରକାର କଣ?" ଦୋସ୍ତ ହନୁମିଆଁ କହିଲେ,"ହଜୁର, ଏହି ଯେ ଖେମତାବାଲୀ, ଖାତୁମ ଉନ୍ମିସା ଆସିଛନ୍ତି, ଏ ବହୁତ ଇଲମଦାର । କାଶ୍ମୀରର ଅଉଲ ନମ୍ବର ବାଈ -ଏହାଙ୍କର ଇଲମ ଓ ରାଗରାଜଣୀର କସରତ୍ ହଦରେ ହଦ୍ । ସେ କିଏ ଦେଶକୁ ପସନ୍ଦ କରନ୍ତି ? କେବଳ ମୂସାଫେରି ସକାଶେ ଆସିଛନ୍ତି । ମୁର୍ଶିଦାବାଦ ନବାବ, ଲକ୍ଷ୍ମୌ ନବାବ, ରୋମକା ବାଦ୍‌ସାହାମାନେ ଏହାଙ୍କ ଗୀତ ଶୁଣିବାକୁ ଡାକି ପଠାନ୍ତି; ମାତ୍ର ବୀବୀଙ୍କ ଖାତର ରଦାରଦ୍ । ହଜୁରଙ୍କ କେରାମତ୍ ନେକ୍‌ନାମି ଦୁନିଆରେ ଜାହେର, ସେଥିସକାଶେ ଆପେ ଆସି ଏଠାରେ ମଜଲିସ୍ କହିବାକୁ କହିଅଛି । "ମଜଲିସ୍ ସାରା ଲୋକ ଏକାବେଳକେ କହିଲେ ହଜୁରଙ୍କୁ ଦୁନିଆଁରେ କିଏ ନ ଜାଣେ ? ହଜୁରଙ୍କ ଖାନା ପଲାଓ ଯେ ଦିନେ ଖାଇଛି, ଜିନ୍‌ଦିଗ୍ ଭରି ସେ