ପୃଷ୍ଠା:Chha mana atha guntha.pdf/୩୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଜଣେ ଚାକର ଧାଇଁଆସି ବାଇଜୀଙ୍କ ଶୁଭାଗମନର ସମ୍ବାଦ ଦେଲା । ଯାଃ ସର୍ବନାଶ । ଏ କଥାଟା କାହାର ମନରେ ନାହିଁ । ଓସ୍ତାଦଜୀ ପୁରୁଣା ହୁସିଆର ଲୋକ, ସେହି କେବଳ ଏ କଥା ମନେ କରାଇଦେଲେ, ବାଇଜୀଙ୍କ ଶହେ ଟଙ୍କା ନଜରାନା ଦେବାକୁ ହେବ । ପୁନର୍ବାର ଆନ୍ଦୋଳନ । ଭାରତ ବର୍ଷର ବ୍ୟୟ ସଂଙ୍କଳନ ନିମନ୍ତେ ପାର୍ଲିଆମେଣ୍ଟରେ ବୋଧହୂଏ ଏହିଠାରୁ ଅଧିକ ଆନ୍ଦୋଳନ ହୋଇନଥାଏ । କିଛି ସ୍ଥିର ହୋଇପାରିଲା ନାହିଁ, ବେଳ ନାହିଁ । ବେଳ ଉଣ୍ତି ମଙ୍ଗରାଜ ହାତ ଯୋଡ଼ି କହିଲେ, "ହଜୁର" ଗୋଲାମ ହାଜର ଥାଉଁ ଥାଉଁ ଏତେ ଚିନ୍ତା କି ସକାଶେ ? "ପୁନର୍ବାର ପ୍ରଶଂସା ଧନ୍ୟବାଦ ସମସ୍ତଙ୍କ ମୁହଁରୁ ବାହାରି ମଙ୍ଗରାଜଙ୍କ କାନରେ ଢାଳିପଡିଲା । ମିଆଁ ହୁକୁମ ଦେଲେ, "ଆଚ୍ଛା ମଙ୍ଗରାଜ, ତୁମେ ବର୍ତ୍ତମାନ ଯେ ଉପକାର କଲ, ସେଥିରେ ଇନାମ ଅଲାହିଦା ପାଇବ, ଏ ସିବାଏ ଟଙ୍କାକୁ ସୁଧ ଚାରିଅଣା ହିସାବରେ ପାଇବ ।" ମଙ୍ଗରାଜ କହିଲେ, "ରାମ ରାମ ରାମ । ହଜୁର ମୁଁ ପିଆଜ ଆଉ ବିଆଜ ଖାଏ ନାହିଁ । "ଓସ୍ତାଦଜୀ କହିଲେ, କଣ ବିଆଜ ଖାଏ ନାହିଁ ? ବହୁତ ଇମାନଦାର ଲୋକ, କୋରାନରେ ଯେ ପଚିଶ ହାରାମ ବୟାନ ଅଛି; ବିଆଜ ସେଥିମଧ୍ୟରୁ ଗୋଟାଏ ।"

ଇତିହାସ ଲେଖକ ବୋଲନ୍ତି କ୍ଳାଇବ ଦିଲ୍ଲୀ ବାଦଶାହାଙ୍କ ପାଖରୁ ବଙ୍ଗଳାର ସୁବାଦାରୀ ନେବାବେଳେ ଏତେ ଅଳ୍ପ ସମୟ ଲାଗିଥିଲା ଯେ ଗୋଟାଏ ଗଧ ବିକାକିଣାରେ ତାହା ଠାରି ଅଧିକ ସମୟ ଦରକାର । ତେବେ ଫତେପୂର ସରଷଣ୍ତର ସରବରାକାରୀ ଓ ସମସ୍ତ କ୍ଷମତା ପାଇବା ମଙ୍ଗରାଜଙ୍କ ପକ୍ଷରେ ବିଳମ୍ବ କଣ ?