ପୃଷ୍ଠା:Chha mana atha guntha.pdf/୪୦

ଉଇକିପାଠାଗାର ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି


ଆମ୍ଭେମାନେ ଜାଣୁଁ । ଗୋରୁ ଗାଈ ଖୋଜିଆଣି ବାନ୍ଧିବା, ଗୁହାଳରେ ଧୂଆଁ ଦେବା, ହଳିଆକୁ ପଖାଳପାଣି ଦେବାରେ ସନ୍ଧ୍ୟାବେଳଟା ଗଡ଼ିଯାଏ, ଭୂମିଦାତାଙ୍କୁ ଆର୍ଶୀବାଦ କରିବେ କେତେବେଳେ ? କଥା ପଡିବାରୁ ଦିନେ ଭୋବନି ବାହିନୀ ପତି କହିବସିଲେ, "ଆମ୍ଭର ଭୂମି କାହିଁ ହେ, ସନ୍ଧ୍ୟାରେ ଆଶିର୍ବାଦ କରିବୁ ?" କଥାଟା ମଧ୍ୟ ନିହାତି ମିଛ ନୁହେଁ । ଶାସନ ଭାଗ ପାଞ୍ଚଶ ମାଣ ମଧ୍ୟରୁ ଦଶ ବର୍ଷ ଭିତରେ ଚାରିଶ ମାଣ ବିକା ଭଙ୍ଗା ସରିଲାଣି । ବାକି ଯେ କେତେ ମାଣ ମଙ୍ଗରାଜେ ସମ୍ଭାଳିଛନ୍ତି ବୋଲି ଅଛି । 'ଗୋ ବ୍ରାହ୍ମଣ ହିତାୟ ଚ' ମଙ୍ଗରାଜଙ୍ଗର ଭାରି ଯତ୍ନ । ବୁଲା ଗୋରୁଗୁଡ଼ିକ ମଙ୍ଗରାଜେ ସାବଧାନ କରି ଆପଣା ଗୋଠରେ ରଖନ୍ତି, କେହି ପାଣ ଏପରି ନା ଉଆରସୀ ଗୋରୁ ଆଣି ବକ୍‌ସିସ୍ ରୂପ କିଛି କିଛି ନେବାର ସଚରାଚର ଦାଖାଯାଏ । ବଳଦ ଛାଡ଼ି କେବଳ ଗାଈ ସଂଖ୍ୟା ତିନିଶହରୁ ଟପିଲାଣି । ଗୋମାତା ବାର ଜାଗାରେ ବୁଲି କଷ୍ଟ ପାଇବେ, ସେଥିସକାଶେ ସମ୍ଭାଳିଛନ୍ତି, ନିହାତି ବଳିପଡ଼ିଲେ ବର୍ଷକୁ ବର୍ଷ ପଠାଣ ଗୋଆଲାଙ୍କୁ ଅଧାଅଧି ଦେବାକୁ ପଡ଼େ । ସେପରି ବ୍ରାହ୍ମଣମାନଙ୍କ ଜମିଗୁଡ଼ିକ କିଣିନେଇଛନ୍ତି, ସମ୍ଭାଳି ରଖିଛନ୍ତି । ଗୋସାଇଁମାନେ ଜମି ନ ବିକି କ'ଣ କରିବେ । ଏକ ବ୍ରାହ୍ମଣିଆ ଚାଷ, ତାହା ବାଦ୍ ଚୋରଗୁଡ଼ାକ ବାଛି ବାଛି ବ୍ରାହ୍ମଣ ଜମିର ଧାନ ଚୋରି କଲେ । ମଙ୍ଗରାଜଙ୍କୁ କିଛି ଜମି ବିକିଦେଲେ ଚୋରମାନେ ଡରରେ ପାଖ ପଶିପାରନ୍ତି ନାହିଁ । ଆଉ ମଙ୍ଗରାଜେ ପାଞ୍ଚ ପାଞ୍ଚ ଟଙ୍କାରେ ପାଞ୍ଚମାଣ ଜମି କିଣିଲେ ବୋଲି କେହିକେହି କହନ୍ତି । ଏକଥାଟା ସେମାନଙ୍କର ବୁଝିବା ଭୁଲ । ଆଛା, ତୁମ୍ଭେ ଭରଣେ ବୁଣିଲେ ପାଞ୍ଚଭରଣ କାଟ ତ? ମଙ୍ଗରାଜଙ୍କ ଟଙ୍କାଟା କି ବାଞ୍ଝ ? ସେଥିରେ କଣ କଳନ୍ତର ନାହିଁ ? ଶାସନ ମଝିରେ ଶିକବୁ ପଣ୍ତିତଙ୍କ ଘର । ଏହାଙ୍କ ଜେଜେ ବିକି ଖାଡ଼ଙ୍ଗା । ପୂରା ସାତପାଦ ବ୍ୟାକରଣ ମୁହେଁ ମୁହେଁ କହିଯାଉଥିବାର ପଣ୍ତିତଙ୍କ ଠାରୁ ଶୁଣାଯାଏ । ନୈଷଧାନ୍ତ ପାଠ ତାହାଙ୍କଠାରେ ଅଟକୁ ନଥିଲା । ପଣ୍ତିତଙ୍କ ନନା ବ୍ୟାକରଣ ଶଦ୍ଦ ଓ ସନ୍ଧିଗୁଡ଼ାକ କୋଇଲି - ଗୀତ ପରି ହାକିଯାଉଥିଲେ । ସେମାନଙ୍କ ପୋଥି ସବୁ ଖଟୁଲିରେ ସାଇତା ଅଛି । ପଣ୍ତିତେ ପ୍ରତିଦିନ ପୂଜା କରନ୍ତି । ଆପେ ପଣ୍ତିତେ