ପୃଷ୍ଠା:Chha mana atha guntha.pdf/୪୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଗୋଚର ସହିତ ଗୋରୁର ନିତ୍ୟ ସମ୍ବନ୍ଧ ଅଛି । କାରଣ ଅଭାବ ହେଲେ କାର୍ଯ୍ୟର ଅଭାବ ହେବ, ଏ କଥା ଆପଣ ଅବଶ୍ୟ ସ୍ୱୀକାର କରିବେ ।

ସୁତରାଂ ତନ୍ତୀସାଇରେ ଗୋବରଗଦା ଅଭାବର କାରଣ ଗୋରୁର ଅଭାବ ଅର୍ଥାତ୍ ତନ୍ତୀ ସାଇରେ ଗୋରୁ ନାହିଁ ; ସୁତରାଂ ଗୋବର ନାହିଁ । ଆପଣମାନଙ୍କ ମନରେ ଆଉ ଗୋଟାଏ ଭାରି ଖଟ୍‌କା ଲାଗିପାରେ । ଗୋରୁଗୁଡ଼ାକ ବାଘ ଭାଲୁ ନୁହନ୍ତି ଯେ ବଣରେ ରହିବେ, ଏମାନେ ଗ୍ରାମ୍ୟ ପଶୁ, ଗ୍ରାମରେ ରହିବା ଏମାନଙ୍କର ସ୍ୱଭାବ । ଯେଉଁଠାରେ ପାଣି, ସେହିଠାରେ ମାଛ, ସେହିପରି ଗ୍ରାମରେ ଗ୍ରାମ୍ୟ ପଶୁ ଏଟା ଧରାବନ୍ଧା କଥା । ତନ୍ତୀସାଇ ଗୋଟିଏ ଗ୍ରାମ, ତେବେ ଗ୍ରାମ୍ୟ ପଶୁ ନାହାଁନ୍ତି କି ସକାଶେ? ଆମ୍ଭେମାନେ ପରମେଶ୍ୱରଙ୍କ ସୃଷ୍ଟି କୌଶଳରେ ଅନେକ ବ୍ୟଭିଚାର ଦେଖିବାକୁ ପାଉ, ହୁଏତ ତାହାଙ୍କର କାର୍ଯ୍ୟରେ ଗଫଲତି ନହୁଏ, ଢିଲା । ଦେଖନ୍ତୁ, ପଶୁ କହ, ପକ୍ଷୀ କହ, କୀଟ ବୋଲ, ପତଙ୍ଗ ବୋଲ, ସବୁ ଜାତିରେ ଅଣ୍ତିରା ମାଈ ଅଛନ୍ତି । ସେଥି ମଧ୍ୟରେ ତ ଗୋଟାଏ ଗୋଟାଏ ହିଞ୍ଜଳ ଦେଖାଯାଏ । ସେହିପରି ତନ୍ତୀସାହି ଗ୍ରାମ ହେଲେ ମଧ୍ୟ ଏଥିରେ ଗ୍ରାମ୍ୟ ପଶୁ କିହିଁ । ପଶୁ ସମ୍ବନ୍ଧରେ ଏଟା ହିଞ୍ଜଳ, ଅର୍ଥାତ୍ ଏଠାରେ ବନ୍ୟ ପଶୁ ବାଘ, ଭାଲୁ କିମ୍ବା ଗ୍ରାମ୍ୟ ପଶୁ ଗାଈ ଗୋରୁ କେହି ନାହାଁନ୍ତି । ତାହାର ମଧ୍ୟ କାରଣ ଥାଇପାରେ । କାରଣ ବିନା କାର୍ଯ୍ୟ ନାହିଁ, ଏହା ନ୍ୟାୟଶାସ୍ତ୍ରର ସୂତ୍ର ଅଟେ । ବ୍ୟାକରଣ ରଚକମାନେ ସୂତ୍ର ଠିକ୍ କରି ନପାରିଲେ ନିପାତନସିଦ୍ଧ ବୋଲି ଗୋଟିଏ କଥା କହି କାର୍ଯ୍ୟ ସାରିଦିଅନ୍ତି । ମାତ୍ର ଏହା ଏକ ପ୍ରକାର ଠକ ପଣିଆ । ତାହା ଆମ୍ଭମାନଙ୍କ ହାତରେ ହେବ ନାହିଁ । ସେକଥା ଥାଉ । ତନ୍ତୀସାଇରେ ଗୋରୁ କ୍ୟାଁ ନାହିଁ, ତାହାର କାରଣ ବୁଝନ୍ତୁ । ବାଇବେଲରେ ଲେଖାଅଛି 'ଜଣେ ସେବକ ଦୁଇଜଣ ସାଆନ୍ତଙ୍କର ସେବା କରିପାରେ ନାହିଁ ।' ସଚରାଚର ଦେଖାଯାଏ, ଶାସ୍ତ୍ରକାରମାନେ ଠିକେ ଠିକେ ଦୁଇ କଥା କହି କାର୍ଯ୍ୟ ସାରି ବସନ୍ତି । ଟୀକାକାର ନଥିଲେ ମୂଳଗ୍ରନ୍ଥ ବୁଝିବା ନିତାନ୍ତ କଠିନ । ମଲ୍ଲୀନାଥ, ମଥୁରାନାଥ, ଶ୍ରୀଧର ବାଖ୍ୟା କରିଦେଇ ନ ଥିଲେ