ପୃଷ୍ଠା:Chha mana atha guntha.pdf/୪୩

ଉଇକିପାଠାଗାର ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି


ରଘୁବଂଶ ନ୍ୟାୟ, ଭାଗବତ ପରି ଗ୍ରନ୍ଥମାନ ଆଜିଯାଏ ଡୋରି ଭିଡ଼ାହୋଇ ପଡ଼ିଥାନ୍ତା, ସେହିପରି ଆମ୍ଭେମାନେ ବାଇବେଲର ବ୍ୟାଖ୍ୟା କରି ନ ଦେଲେ ବୁଝିବା ସହଜ ନୁହେଁ । ଆପଣ ନହୁଏ ଟାଣି ଟୁଣି ଏକପ୍ରକାର ପାଠ ଲଗାଇଯିବେ; ମାତ୍ର ସମସ୍ତଙ୍କ ହାତରେ ତ ସବୁ କଥା ହୁଏ ନାହିଁ । ବାଇବେଲ ସୂତ୍ରର ଅର୍ଥ ଏହି କି, ଜଣେ ମନୁଷ୍ୟ ଏକ ସମୟରେ ଦୁଇ କାର୍ଯ୍ୟ କରିପାରେ ନାହିଁ, ଅର୍ଥାତ୍ ଲୁଗାବୁଣାରେ ତନ୍ତୀ ମାନଙ୍କର ଦିନ ଯାଏ, ଚାଷ କରିବରକୁ ବେଳ ନାହିଁ ? ଚାଷ ଯଦି ନ କଲେ ବଳଦ ଦରକାର କଣ ? ବଳଦ ନ ଥିଲେ ଗୋବର କାହୁଁ ଆସିବ? ଗୋବର ଅଭାବରୁ ଖତଗଦା ନଥିବାରୁ ଦାଣ୍ତ ସଫା ।

ଆଜିକାଲି ଊଣାଇଶ ଶହ ସମ୍ବତ୍ସରେ ବିଜ୍ଞାନଶାସ୍ତ୍ରର ଖୁବ୍ ମର୍ଯ୍ୟାଦା; କାରଣ ଏହି ଶାସ୍ତ୍ର ସବୁ ଉନ୍ନତିର ମୂଳ ଅଟେ । ଦେଖନ୍ତୁ, ଇଂରେଜମାନେ କେଡ଼େ ଗୋରା ଆଉ ଓଡ଼ିଆ ମାନଙ୍କ ଦେହ କାଳିଆ । ସେଥିର କାରଣ, ସେମାନେ ବିଜ୍ଞାନ ଶାସ୍ତ୍ର ପଢ଼ିଅଛନ୍ତି; ଓଡ଼ିଆ ମାନେ ଜାଣନ୍ତି ନାହିଁ । ଆମ୍ଭେମାନେ ହାଲ ବିଜ୍ଞାନର ଚର୍ଚ୍ଚା ଆରମ୍ଭ କରିଅଛୁଁ । ବର୍ତ୍ତମାନ ପ୍ରସଙ୍ଗଟା ଆମ୍ଭେମାନେ ସେହି ଶାସ୍ତ୍ର ଅନୁସାରେ ପ୍ରମାଣ କରିଦେଇପାରୁଁ । ଆପଣ ପାଠରେ ମନ ଦେଉନ୍ତୁ, ବିଜ୍ଞାନଶାସ୍ତ୍ର ଯେ କେଡ଼େ ଠିକ୍, ତାହା ବୁଝିପାରିବେ । ଉକ୍ତ ଶାସ୍ତ୍ରର ସୂତ୍ର ଏକ-ଏକ ସ୍ଥାନରେ ଦୁଇ ଗୋଟି ବସ୍ତୁ ରହି ନପାରେ । ଆପଣଙ୍କ ଦୁଧ ପିଆ ଗିନାରେ ପାଣି ରହେ ତ ? ଏ କଥା ବୋଲିବେ, ସେଥିପାଇଁ ଭକ୍ତ ସୂତ୍ର ବ୍ୟାଖ୍ୟା ଆବଶ୍ୟକ, ଅର୍ଥାତ୍ ଗୋଟିଏ ସ୍ଥାନରେ ଏକ ସମୟରେ ଦୁଇଗୋଟି ପଦାର୍ଥ ରହି ନପାରେ । ଗିନାରେ ଦୁଧ ପୂର୍ଣ୍ଣ ଥିଲେ ଆଉ ପାଣି ରହି ପାରିବ ନାହିଁ । ଲୁଗାବୁଣା ସକାଶେ ବାହାର ଭିତର ଦୁଇ ଜାଗା ଦରକାର । ଘର ଭିତରେ ଲୁଗା ବୁଣାଯାଏ; ଲୁଣ୍ତି କାଟିବା, ତାଗୀ କରିବା ଇତ୍ୟାଦି କର୍ମ ବାହାରେ ହୁଏ । ସୁତରାଂ ତାସଣ ଜାଗାରେ ଗୋବରଗଦା ରହିବା ନିତାନ୍ତ ଅସମ୍ଭବ । ଆଉ ସ୍ତ୍ରୀ ପୁରୁଷ ମିଳିତ ନହେଲେ ଲୁଗା ପ୍ରସ୍ତୁତ ହୋଇପାରେ ନାହିଁ । ସୂତାରେ ତୋରାଣି ଦେବା, ନେଟଇ ବା ଚରଖିରେ ଚଢ଼ାଇବା, ନଳି ବଳିବା ଏସବୁ ତନ୍ତୀଆଣୀମାନଙ୍କର କାର୍ଯ୍ୟ । ଗାଈ ବଳଦ ଦାଣ୍ତରୁ ଖୋଜିଆଣି ବାନ୍ଧିବାକୁ ସେମାନଙ୍କର ବେଳ କାହିଁ -