Jump to content

ପୃଷ୍ଠା:Chha mana atha guntha.pdf/୪୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଦଶମ ପରିଚ୍ଛେଦ

ଭଗିଆ ଆଉ ସାରିଆ :

ତନ୍ତୀସାଇ ମୁଣ୍ତରେ ଭାଗବତ ଘର ଆଉ ଦଧିବାମନ ମନ୍ଦିର । ତନ୍ତୀମାନଙ୍କ ଜାତିଆଣ ଟଙ୍କାରେ ମନ୍ଦିରଟି ତୟାର ହୋଇଅଛି । ଜାତିଆଣ ଟଙ୍କା କଣ ଜାଣନ୍ତି ? ଅବଶ୍ୟ ଏ କଥାଟା ଆପଣଙ୍କୁ ବୁଝାଇଦେବା ଦରକାର ନାହିଁ; ମାତ୍ର ଆଉ ନବ୍ୟ ବାବୁମାନଙ୍କୁ ବୁଝାଇଦେବା ଦରକାର । କାରଣ ସେମାନେ ବିଦ୍ୱାନ୍, ବଡ଼ ବଡ଼ କଥା ପଢ଼ିଅଛନ୍ତି, ବଡ଼ ବଡ଼ କଥା ଜାଣନ୍ତି । ଆପଣା ଜେଜେବାପାର ବାପା ନାମ ପଚାର, ଅଣ୍ତାଳି ହେବେ, କିନ୍ତୁ ଇଂଲଣ୍ତର ତୃତୀୟ ଚାର୍ଲସ୍‌ର ପଞ୍ଚଦଶ ପୁରୁଷଙ୍କ ନାମ ସେମାନଙ୍କର କଣ୍ଠସ୍ଥ । ଇଂରେଜ ସମାଜ ବା ଫରାସୀସମାଜର କଥାଗୁଡ଼ିକ ପଢ଼ିଲେ ଲୋକେ ବିଦ୍ୱାନ୍ କହିବେ । ଆପଣାର ବା ପ୍ରତିବାସୀ ଜାତି ଓ ସମାଜର କଥା ଜାଣିବାର ଦରକାର କ'ଣ ? ଯାଉ, ସେଥିରେ କଣ ଅଛି ? ବାବୁମାନେ ଏକଥା ଶୁଣିଲେ ଖପା ହୋଇଯିବେ, ଆମ୍ଭମାନଙ୍କର କହିବା ଦରକାର କଣ ?

ଜାତିଆଣ ଟଙ୍କାର ଅର୍ଥ ଏହି ଯେ, ଜାତି ମଧ୍ୟରେ କେହି ଭଲ ମନ୍ଦ କଲେ ପଞ୍ଚମାନେ ତାହାକୁ ଜରିମାନା କରନ୍ତି କିମ୍ବା କେହି ଗରିବ ଜାତିଭାଇ ଦେଇ ନ ପାରିଲେ ପଞ୍ଚଗୋସାଇଁ କିଛି ମାନ୍ୟନେଇ ତାହାକୁ ଉଠାଇ ନିଅନ୍ତି । ଟଙ୍କା ପରମାଣିକ ଜିମାରେ ଥାଏ । ସେହି ଟଙ୍କାରେ ମନ୍ଦିରଟି ତୟାର ହୋଇଅଛି । ଏହି ନିୟମ ସବୁ ହାଟୁଆ ଜାତିରେ ଚଳେ । ଆହା ! ଏହି ସୁନ୍ଦର ପ୍ରଥାଟି ଦିନକୁ ଦିନ ଲୋପ ପାଉଅଛି । ଆଜିକାଲି ଅଦାଲତ ଦୁଆର ମେଲା, ଲୋକମାନେ ଜ୍ଞାନୀ ଅର୍ଥାତ୍ ସଭ୍ୟ ହେଲେଣି, ପାଞ୍ଚଶାସନ କିଏ ମାନୁଛି ? ଇଂରେଜୀ ଆଇନ କହେ, 'ଦେଖ ବାବା ସାବଧାନ ! ତୁମ୍ଭେ ଯଦି କିଛି ଅପରାଧକର ଆଉ ସଥିରେ ଯଦି ଆଇନସଙ୍ଗତ ପ୍ରମାଣ ପାଉଁ ଦଣ୍ତ ଦେବୁ ।'

ଚଲାକ୍ ଲୋକ କହିଲା, 'ଆଜ୍ଞା ଆପଣ ଯେମନ୍ତ ପ୍ରମାଣ ନ ପାଇବେ ସେଥିର ଫିକର ମୋତେ ଜଣା ।' ଆଉ ଓକିଲ ତାହା ପିଠି ଥାପୁଡ଼ାଇ କହିଲେ, 'କୁଛ ପରବା ନେହିଁ, ଟଙ୍କା ଆଣ, ମୁଁ କଳାକୁ ଧଳା