ପୃଷ୍ଠା:Chha mana atha guntha.pdf/୪୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ସଙ୍କୁଳି ଆଣେ । ସଭାରେ ଫୁଲଚନ୍ଦନ ଆଗେ ପରମାଣିକକୁ ଦିଆଯାଏ । ଜାତିଭାତରେ ପରମାଣିକ ଆଗେ କୃଷ୍ଣ ନ କଲେ କାହାରି ହାତ ଚଳେ ନାହିଁ । ଏହି ପରମାଣିକ ପଦଟା ପୁରୁଷାନୁକ୍ରମିକ ଅର୍ଥାତ୍ ପରମାଣିକ ପୁଅ ପରମାଣିକ ହେବ କିମ୍ବା ତାହା ବଂଶରୁ କେହିଜଣେ ହେବ, ଯେ ସେ ଲୋକ ହୋଇପାରିବ ନାହିଁ । ବର୍ତ୍ତମାନ ପରମାଣିକର ନାମ ଭଗିଆ ଚନ୍ଦ । ଭଗିଆ ବିଚରା ବଡ଼ ସାଦାସିଧା ଲୋକ, ଛନ୍ଦ କପଟ ତା ମନ କୁ ଛୁଇଁ ନାହିଁ । ତାକୁଶାଗ କହ ହଁ, ମୁଗ କହ ହଁ । ଗାଁ ଲୋକମାନେ ଭଗିଆକୁ ହୁଣ୍ତା ତନ୍ତୀ ବୋଲି ଡାକନ୍ତି । ଆପଣଙ୍କ ମୁହଁ ଆକାରରୁ ସବୁକଥା ଜଣାପଡ଼ିଗଲାଣି । ଆପଣ କହୁଛନ୍ତି ବା କହିବେ କିମ୍ବା କହିବାକୁ ମନେ କରିଅଛନ୍ତି ବା କରିବେ - ଏ ଗୁଡ଼ାକ ନିପଟ ତନ୍ତୀ ନୁହନ୍ତି ତ ଆଉ କଣ ? ବାପା ପରମାଣିକ ଥିଲା ବୋଲି ହୁଣ୍ତାଟାକୁ ସରଦାର କରି ସବୁ ତନ୍ତୀଗୁଡ଼ାକ ତାକୁ ଜୁହାରୁଛନ୍ତି । ଆରେ ବାବୁ, ଯେବେ ଜଣେ ସରଦାର କରିବାର ଦରକାର ହେଲା, ପାର୍ଲିଆମେଣ୍ଟର ମେମ୍ବର ବା ଇଉନାଇଟେଡ୍ ଷ୍ଟେଟ୍‌ର ପ୍ରେସିଡେଣ୍ଟ ବାଛିଲାପରି ପାଞ୍ଚଜଣର ଭୋଟ (ମତ) ନେଇ ଜଣେ ସିଆଣିଆ ଭଳିଆ ଲୋକକୁ ପରିମାଣିକ କର । ତାହା ନ କରି ବାପ ପରମାଣିକ ଥିଲା ବୋଲି ଅଯୋଗ୍ୟ ଲୋକଟାକୁ ପରମାଣିକ କରି ବସିଅଛ । କଥାଟା ଏକା ସତ । ମନ ଲାଗିଗଲା ପରା । ହକ୍ କଥାରେ ଉଁ ଚୁ କରିବାକୁ କି ବାଟ ଥାଏ ? ଆମ୍ଭେମାନେ ବରାବର ତନ୍ତୀମାନଙ୍କ ପଟ ଧରି ଚାଲିଲୁ, ଏଣିକି ଆଉ ବାଟ କାହିଁ ? ଆମ୍ଭେମାନେ ପ୍ରତିଜ୍ଞା କରିଛୁ ବା କରିବୁ, ତନ୍ତୀ କଥାରେ ଆଉ ପାଖ ପଶିବୁଁ ନାହିଁ, ହେଲେ, ତନ୍ତୀମାନଙ୍କୁ ଚିହ୍ନି ରଖିବା ଉଚିତ୍ । ହେ ପାଠକ ଅବଧାନ! ଆମ୍ଭ ମାନଙ୍କର ଜ୍ଞାନ ଅତି ଅଳ୍ପ; ସୁତରାଂ ତନ୍ତୀ ଚିହ୍ନିବାକୁ ନିତାନ୍ତ ଅକ୍ଷମ । ଅନୁଗ୍ରହ କରି ଆମ୍ଭମାନଙ୍କୁ ତନ୍ତୀ ଚିହ୍ନାଇ ଦେଉଁନ୍ତୁ । ହିନ୍ଦୁ ହୋଇଥିଲେ ବେଦ ବେଦାନ୍ତ ହିନ୍ଦୁଶାସ୍ତ୍ର ଅବଶ୍ୟ ମାନ୍ୟ କରିବେ। ଶାସ୍ତ୍ରରେ ଅଛି 'ସମୋଦମସ୍ତପଃ ଶୌଚଂ ସନ୍ତୋଷଂ କ୍ଷାନ୍ତିରାର୍ଜବଂ ମଦ୍ ଭକ୍ତିଶ୍ଚ ଦୟା ସତ୍ୟଂ ବ୍ରହ୍ମ ପ୍ରକୃତମୟସ୍ତ୍ୱମାଃ' ଏହି ସମସ୍ତ