ପୃଷ୍ଠା:Chha mana atha guntha.pdf/୪୯

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ବ୍ରହ୍ମତ୍ୱର ଲକ୍ଷଣ । ସେହି ବ୍ରାହ୍ମଣଙ୍କ ପଦ ଧୂଳି ଆମ୍ଭେମାନେ ମସ୍ତକରେ ଧାରଣ କରିବାକୁ ଶଏବାର ପ୍ରସ୍ତୁତ; ମାତ୍ର - <poem> ଶୁଣ ପରୀକ୍ଷ ନରନାଥ । ତାମ୍ପଡ଼ା ଶୁଖୁଆ ପଖାଳ ଭାତ ।। ସି-ଅକ୍ଷର ବିବର୍ଜିତ । ଚିତା-ପଇତାଦି ଶୋଭିତ ।। ବିଲ ବାଛିବାକୁ ଆଗ । ଦହି ଚୂଡ଼ାକୁ ବାଘ ।। ସନ୍ଧ୍ୟା - ଗାୟତ୍ରୀହୀନ । ବିଳରୁ ଚିପନ୍ତୁ ମୀନ ।। ପୋଥିରୁ ନ ଫିଟେ ଡୋରି । ଯଜମାନ ଚାଉଳ -ଚୋରି ।। ସଭାରେ ନ ଫିଟେ ପାଟି । ନାମଟି ସୁନ୍ଦର ତ୍ରିପାଠୀ ।।

ସୁନ୍ଦର ତିହାଡ଼ିକୁ ଓଳଗି ହୁଏ, କାରଣ ସେ ବ୍ରାହ୍ମଣ ଔରସରୁ ଜାତ । ସୁନ୍ଦର ତିହାଡ଼ି ଆପଣଙ୍କ କୁଳପୁରୋହିତ, ଯେହେତୁ ତାହାଙ୍କ ବାପା ପୁରୋହିତ ଥିଲେ । ଆପଣଙ୍କୁ ବୋଲିବାକୁ ସାହସ ଅଣ୍ଟୁନାହିଁ, କିନ୍ତୁ ଆମେମାନେ ପାଞ୍ଜିରେ ନାମ ଲେଖିରଖିଲୁ ।
ପୁଣି ଶାସ୍ତ୍ରରେ ଲେଖାଅଛି ଯେ - <poem> "ଅଜ୍ଞାନ ତିମିରାନ୍ଧସ୍ୟ ଜ୍ଞାନାଞ୍ଜନଶଳାକୟା । ଚକ୍ଷରୁନ୍ନିଳିତଂ ଯେନ ତସ୍ମୈ ଶ୍ରୀ ଗୁରୁବେ ନମଃ ।"

ଅଜ୍ଞାନରୂପ ନେତ୍ର ରୋଗରେ ଅନ୍ଧ ବ୍ୟକ୍ତିର ଚକ୍ଷୁ ଜ୍ଞାନରୂପ ଅଞ୍ଜନଶଳାକାଦ୍ୱାରା ଯେ ଉନ୍ନୀଳିତ କରନ୍ତି, ସେହି ଗୁରୁଙ୍କୁ ନମସ୍କାର କର । ସତ୍ୟ ବୋଲନ୍ତି ଏପରି ଲୋକକୁ ଗୁରୁ କରନ୍ତି, କି ଗୁରୁର ପୁତ୍ର ଆପଣଙ୍କ ଗୁରୁ ? ଯାଉ ସେ କଥାଗୁଡ଼ାକ - କହିଲେ କଣ ହେବ ? ମାତ୍ର ତନ୍ତୀ ଚିହ୍ନା ପଡ଼ିଗଲେ । ଗୋଦରୀ ଲୋ ଆପଣା ଗୋଡ଼କୁ ଅନା । ଖୋଜିବସିଲେ ଦରଦର 'କୁହୁଡ଼ି ପହଁରା' ଢ଼େର ପାଇବା । ଧାନ କୁଟୁଣା ଭାଗବତ ପଢ଼ିଲା ପରି ଆମ୍ଭେମାନେ ଗାଁ କଥା ଲେଖୁ ଲେଖୁ ଆପଣଙ୍କ ଭଳିଆ ଲୋକଙ୍କ କଥା କହି ବସିଅଛୁଁ । ତେବେ କଣ ଜାଣନ୍ତି, ବିଷୟଟା ପଡ଼ିଲେ ଖାଲରେ ପଡୁ, ଢିପରେ ପଡୁ ସମସ୍ତେ ଦି'କଥା ମାରିଦିଅନ୍ତି । ସଂକୀର୍ତ୍ତନରେ ହାଉଡ଼ା ମଧ୍ୟ ଆଁ କରିଦିଏ ।