ସନ୍ଦେହ କରିବା ମହାପାପ ବୋଲି ବିଚାର କରୁଁ । ଆହୁରି ମଧ୍ୟ ପାର୍ଶ୍ୱବର୍ତ୍ତି ଘଟଣାମାନଙ୍କ ପ୍ରତି ନଜର ରଖିବା ନିମନ୍ତେ ପ୍ରମାଣ ଆଇନରେ ବିଚାରକ ମାନଙ୍କ ପ୍ରତି ବିଶେଷ ବିଧି ଅଛି । ମଙ୍ଗରାଜେ ଉଷୁନା ଛୁଅନ୍ତି ନାହିଁ ମାଛ ଶୁଖୁଆ କଥାଛାଡ଼ । ଦ୍ୱାଦଶୀ ଦିନ ବାହ୍ମଣ ଭୋଜନ କରାଇ ତହିଁ ଉତ୍ତାରେ ପାରଣା କରନ୍ତି । ମଙ୍ଗରାଜେ ଭାରିହୁସିଆର ଲୋକ ଏହି ବାହ୍ମଣ ଭୋଜନ ରୂପ ମହତ୍ କାର୍ଯ୍ୟରେ କେତେ ବିଘ୍ନ ଘଟିପାରେ, ଏଥିସକାଶେ ଜଣେ କେଉଟକୁ ମାଣେ ଓ ଗୁଡ଼ିଆକୁ ମାଣେ ଏପରି ଦୁଇ ମାଣ ଜମି ଖଞ୍ଜି ଦେଇଛନ୍ତି । ଦ୍ୱାଦଶୀ ଦିନ ଭୋରରୁ କେଉଟ ଦୁଇ ନଉତି ଚୂଡ଼ା ଓ ଗୁଡ଼ିଆ କୋଡ଼ିଏ ପଳ ଗୁଡ଼ ଦାଖଲ କରିଯାଏ । ଗୋବିନ୍ଦପୁର ଶାସନ ୭ ଘର ବାହ୍ମଣ ସମସ୍ତେ ନିମନ୍ତ୍ରିତ ହୋଇ ଆସନ୍ତି । ବେଳ ଛଅଘଡ଼ି ମଧ୍ୟରେ ବାହ୍ମଣ ଭୋଜନି ହୋଇଯାଏ । ମଙ୍ଗରାଜେ ସ୍ୱୟଂ ବାହ୍ମଣ ମାନଙ୍କୁ ପରିବେଷଣ କରନ୍ତି । ଥରେ ପତ୍ରରେ ଚୂଡ଼ାଗୁଡ଼ ଲଗାଇ ଦେଲେ ମଙ୍ଗରାଜେ ଉଚ୍ଚପାଟିକରି ହାତ ଯୋଡ଼ି କହନ୍ତି, "ଗୋସେଇଁମାନେ କୁହନ୍ତୁ, ଆଉକିଛି ଲୋଡ଼ା କି ନାହିଁ, ଢେର ଜଳପାନ, ଢେର ଗୁଡ଼ ଅଛି, ମାତ୍ର ମୁଁ ଜାଣେ, ଆପଣ ମାନଙ୍କ ଆଖି ବଡ଼ ପେଟ ସାନ । ଆପଣ ମାନଙ୍କ ପେଟକୁ ବଳି ପଡ଼ିଲାଣି । ଏଥି ଉତ୍ତାରେ କୌଣସି ପେଟ ବିକିଳିଆ ବାହ୍ମଣ ଜଳପାନ ମାଗି ବସିଲେ ସାଆନ୍ତେ ତିନି ଆଙ୍ଗୁଳିଆ ପାଞ୍ଚ ସାତ ପୁଞ୍ଜାଚୂଡ଼ା ଧରି ପତ୍ରକୁ ଫୋପାଡ଼ି ଦିଅନ୍ତି । ତହିଁ ଉତ୍ତାରେ ଗୋସେଇଁମାନେ 'ପୂର୍ଣ୍ଣ ହେଲା, ପୂର୍ଣ୍ଣ ହେଲା' କହି ଲମ୍ବା ଲମ୍ବା ହାକୁଟି ମାରି ଆଶୀର୍ବାଦ କରି ପତ୍ର ଛାଡ଼ନ୍ତି । ବାହ୍ମଣ ଭୋଜନ ଉତ୍ତାରେ ଯେଉଁ ଏକ ନଉତି ଚୂଡ଼ା ଓ ଅଧା ଅଧି ଗୁଡ଼ ବଳି ପଡ଼େ, ତାହା ଭକ୍ତି ପୂର୍ବକ ମଙ୍ଗରାଜେ ସେବାକରନ୍ତି । ପାଠକ ଆପଣ ପଚାରିବେ, ନଉତିଏ ଚୂଡ଼ାରେ ସତେଇଶ ଜଣ ବାହ୍ମଣଙ୍କର ପେଟ କିପରି ପୂରିଲା? ହରିବୋଲ ଭାଇ ହରିବୋଲ । ଏସବୁ କଥାରେ ଉତ୍ତର ଦେବାକୁ ଗଲେ ଆମ୍ଭମାନଙ୍କର ଆଉ ଲେଖା ଚଳିବ ନାହିଁ । ଯୀଶୁ ଖ୍ରୀଷ୍ଟ ଦୁଇ ଖଣ୍ଡ ରୁଟିରେ ବାରଶତ ଲୋକ ଖୁଆଇଲେ, ପୁଣି ଚାରି ପାଛିଆ ବଳିପଡ଼ିଲା । କାମ୍ୟକ ବନରେ ଶ୍ରୀକୃଷ୍ଣ ଦୁର୍ବାସାଙ୍କ ବାର ହଜାର ଶିଷ୍ୟଙ୍କର ପେଟ
ପୃଷ୍ଠା:Chha mana atha guntha.pdf/୫
Appearance