ପୃଷ୍ଠା:Chha mana atha guntha.pdf/୫୧

ଉଇକିପାଠାଗାର ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି


ଓହୋ! ଆମ୍ଭେମାନେ ଗୋଟାଏ ଉତ୍କଟ ଭୂଲ କରିପକାଇଛୁ, "ମୁନୀନାଞ୍ଚ ମତିଭ୍ରମ" ମୁନିମାନେ ଲେଖାପଢ଼ା କରିବାବେଳେ ବଡ଼ ଭୂଲ କରିପକାନ୍ତି, ଅର୍ଥାତ୍ ଯେଉଁମାନେ ଲେଖିବାବେଳେ ଭୁଲନ୍ତି, ସେମାନେ ମୁନି । ସୁତରାଂ ଆଜିଠାରୁ ଲୋକମାନେ ଯେ ଆମ୍ଭମାନଙ୍କୁ ମୁନି କିମ୍ବା ଋଷି ବୋଲି ଡାକିବେ ସେ ବିଷୟରେ କିଛିମାତ୍ର ସନ୍ଦେହ ନାହିଁ । ଓହୋ, କି ଭାଗ୍ୟ ବରଷସାରା ସାହେବଙ୍କ ଦୁଆରେ ନେଉଳପରି ଲୁଙ୍ଗ ଲୁଙ୍ଗ ହେବାକୁ ନାହିଁ, କରଜଦାମ କରି ହଜାର ହଜାର ଟଙ୍କା ଖରଚରେ ଡାକ୍ତରଖାନା ବସାଇବାକୁ ନାହିଁ କିମ୍ବା ନିହାତି ସହଜ କଥା ବକ୍‌ସିସ୍ ଦେଇ ଫରାସୀମାନଙ୍କ ଗୋଡ଼ ହାତ ଧରିବାକୁ ନାହିଁ, ମାହାଳିଆଟାରେ କେଡେ ନାମଟାଏ ପାଇଗଲୁ ! ମାତ୍ର ସତ୍ୟର ମର୍ଯ୍ୟାଦା ରକ୍ଷା ନିମନ୍ତେ ସ୍ୱାର୍ଥତ୍ୟାଗ କରିବାକୁ ଅମ୍ଭେମାନେ କେବେହେଁ କାତର ନୋହୁଁ । 'ନ ମିଥ୍ୟା ପାତକଂ ପରଂ', ଅସ୍ୟାର୍ଥ - ମିଥ୍ୟା ଆଉ ପାତକ ପର ନିକଟକୁ ଯାଏ ନାହିଁ, ଆପଣା ପାଖେ ଥାଏ । ଏଥିସକାଶେ ଆମ୍ଭେମାନଙ୍କୁ ସତ୍ୟକଥା ଲେଖିବାକୁ ହେଉଛି । ଭଗି ସାରୀ ଦୁଇପ୍ରାଣୀ ନୁହଁନ୍ତି । ଗୋଟିଏ ଗାଈ ଅଛି, ନାମ ନେତ, ତାକୁ ଲଗାଇ ତିନିପ୍ରାଣୀ । ଗାଈଟାକୁ ଆମ୍ଭେମାନେ ମନୁଷ୍ୟ ସାଙ୍ଗରେ ଗଣିଲୁ, ସେଥିରେ କଥା ଅଛି । ନେତକୁ ସାରିଆ ଝିଅପରି ପୋଷିଥାଏ, ଝିଅପରି ଗେହ୍ଲା କରେ । ପରମେଶ୍ୱର ମନୁଷ୍ୟ ମନରେ ଏକ ଆଶ୍ଚର୍ଯ୍ୟ ଅପତ୍ୟସ୍ନେହ ଦେଇଛନ୍ତି । ଭୋକବେଳେ ଭାତ ନ ପାଇଲେ ଲୋକେ ଡାଳପତ୍ର ଚୋବାଇବା ପରି ଯାହାର ପିଲାଝିଲା କିଛିନାହିଁ, ସେ କୁକୁର ପିଲାଟିଏ, ବିରାଡ଼ି ପିଲାଟିଏ କିମ୍ବା ଛଡ଼ାଟିଏ ପୋଷିବାକୁ ଭଲପାଏ । ସାରିଆ ଦିନରାତି ନେତ ସାଙ୍ଗରେ ଲାଗିଥାଏ । ପଘାରୁ ଫିଟି ମଧ୍ୟ ନେତ କାହିଁ ଯାଏ ନାହିଁ, ସାରିଆ ପାଖେ ପାଖେ ଥାଏ । ଟିକିଏ ଦାଣ୍ତକୁ ଚାଲିଗଲେ ସାରିଆ ଡାକେ, 'ନେତଲୋ' । ନେତ କହେ, ହଂ ମାଁ । ଧାଇଁଆସି ସାରିଆକୁ ଚାଟେ, ସାରିଆ ତା' ଦେହରେ ହାତ ବୁଲାଇଦେଇ ଢ଼େର୍ ଦୁଃଖ ସୁଖ କଥା କ ହେ । ପଖାଳ ବେଲାରେ ନେତ ମୁହଁ ଡୁବାଇଦେଲେ ସାରିଆ ତାକୁ ଗୋଟିଏ ସାନ ପ୍ରେମ ଚାପୁଡା ମାରି ଡାଙ୍କୁଣୀଟା ବୋଲି ଗାଳିଦିଏ । ଆମ୍ଭେମାନେ ଜାଣୁ, ସେହି ଗାଳି ଭିତରେ ସାରିଆ ଆନନ୍ଦ ଓ ପ୍ରେମ ପୂର୍ଣ୍ଣ ଥାଏ । ଭଗିଆ, ସାରିଆ, ନେତ ତିନି