ପୃଷ୍ଠା:Chha mana atha guntha.pdf/୫୨

ଉଇକିପାଠାଗାର ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି


ପ୍ରାଣୀ ଗୋଟିଏ ଘରେ ଶୁଅନ୍ତି । ସାରିଆ ନେତ ପଛରେ ତସୁ ଓ ଘଷି ଗୁଣ୍ତାରେ ଗୋଟାଏ ଧୂଆଁ ଦିଏ । ନେତଟି ବଡ ସୁଲକ୍ଷଣୀ, ହାଲକୁ ପ୍ରଥମେ ପଛରେ ଛଡ଼ାଟିଏ ଲାଗିଛି । ନେତର ସର୍ବାଙ୍ଗ କଳା, ମୁଣ୍ତରେ ଚାନ୍ଦ । କାଳିଗାଈ ମୁଣ୍ତରେ ଚାନ୍ଦ, ତାକୁ ଆଣି ଶ୍ରୀଘରେ ବାନ୍ଧି ।'ଶିଙ୍ଗ ପାତଳ, ଆଉ ଝାମ୍ପରା; ଲାଞ୍ଜ ସରୁ, ଖୁବ୍ ଲମ୍ବା । ଲାଞ୍ଜ ଅଗରେ ଚଅଁରପରି ପେଣ୍ତା ବାଳ ଭୁଇଁରେ ଲୋଟିଯାଉଛି । ପିଠିଟି ନୁଆଣ, ମୁଠୁଣିକରୁ ଊଣା ଚୌଡ଼ା, ପିଚାଟି ଚୌଡ଼ା, ହାକୁଡଟିଏ ସାନ ପାଣିକଖାରୁ ପରି ପିଠି ଆଡ଼କୁ ନଇଁପଡିଛି ବେକର ଥଳୀଟା, ଆଉ ଗାଈଠାରୁ କିଛି ବେଶି ଝୁଲୁଛି, ଦୁଧନାଡ଼ଟା ଗୋଟା ପାଳଦଉଡ଼ା ପରି ମୋଟା ପହ୍ନା କଥା କଣ କହିବୁ ? "ପୟୋଧରୀଭୂତ ଚତୁଃସମୁଦ୍ରାଃ" । ନେତ କଳିଙ୍ଗା ଗାଈ ପରି ଖୁବ୍ ଯେ ଗୋଟାଏ ଉଞ୍ଚା, ତାହା ନୁହେଁ, ମଧ୍ୟଭଳି । ଡାକ ଋଷୀ ବଚନ ଅଛି - <poem> "ପେଟେ ଉଞ୍ଚ ଗାଈ । ପଟେ କୁଣ୍ତା ଖାଇ । ଘାସ ଦେଖି ବାଇ । ତା'ଠୁଁ ଦୁଧ ପାଇ ।"

କଥା କଣ କି ଗାଈ ମୁହଁରେ ଦୁଧ । ତେବେ ଆପଣା କି ଠେକି ଧରି ଗାଈ ଥୋବଣିଟା ଦୁହିଁ ବସିବେ ? କଥା ସେପରି ନୁହେଁ, ଗାଈ ଗୋଟିକ କାଗଜକଳପରି । କଳମୁହଁରେ ଛିଣ୍ତାକନା, ଛିଣ୍ତାଦଉଡ଼ି, ପଚା ପନସି, ପଚା ତୁଳାଗୁଡ଼ାଏ ପୂରାଇଦେଲେ ପଛବାଟେ ସଫା, ଧଳା, ସୁନ୍ଦର, ଚିକ୍‌କଣ କାଗଜ ବାହାରିପଡ଼େ । ସେହିପରି ଗାଈ ମୁହଁରେ କୁଣ୍ତା, ପେଜ, ଘାସଗୁଡ଼ାକ ପୂରାଇଦିଅ, ପହ୍ନା ବାଟେ ଦୁଧ ବୋହିପଡ଼ିବ । ନେତର ଦୁଧର ପରିମାଣଟା ଆମମାନଙ୍କୁ ଜଣାନାହିଁ । ସେଦିନ ମଙ୍ଗରାଜଙ୍କ ଦରବାରରେ ନେତକଥା ପଡିଥିଲା । ସମସ୍ତେ ଅନୁମାନ କଲେ ଦୁଇଓଳି ପାଞ୍ଚ ସେରରୁ ଊଣା ନୁହେଁ । ମଙ୍ଗରାଜେ ଗୋଟାଏ ନିଃଶ୍ୱାସ ପକାଇ କହିଲେ, "ଏଁ ! ତନ୍ତୀ ବାପୁଡ଼ାର ଏମନ୍ତ ଗାଈ ?" ଲୋକେ କହନ୍ତି, "ପିତା ଗୁଣରେ ପୁତ୍ରୀ"; ମାତ୍ର ଏ କଥା ମଧ୍ୟ ସତ-"ବଂଶନାଶବେଳକୁ ଘୋଡ଼ା ମୁହାଁ ପୁଅର ଜନ୍ମ ।" ଭଗିର ବାପ ଗୋବିନ୍ଦ ଚନ୍ଦ୍ର ଗାଁରେ ଜଣେ ସେରନ୍ତା ଲୋକ ଥିଲା । ନିଜ ଗାଁ ଛାଡ଼ି ଆଖପାଖ ଦୁଇ