ପୃଷ୍ଠା:Chha mana atha guntha.pdf/୫୩

ଉଇକିପାଠାଗାର ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି


ଚାରିଖଣ୍ତ ଗାଁରେ ପଞ୍ଚୁଆତ ବସିଲା, ଗୋବିନ୍ଦ ଚନ୍ଦ୍ରକୁ ଡାକ । ଭାରୀ ଭାରୀ ମାମଲା ଝାଙ୍କିଲେ ଗୋବିନ୍ଦଙ୍କୁ ଖୋଜା ପଡ଼େ, ଅର୍ଥାତ୍ ପିଆଦା ସମନ ଆଣିଲେ କିମ୍ବା ଡାକରେ ବେରିଙ୍ଗ ଭାଷାଆସିଲେ, ଗୋବିନ୍ଦ ନ ଯିବା ପର୍ଯ୍ୟନ୍ତ ଲୋକମାନେ ଘରୁ ବାହାରୁ ନ ଥିଲେ । ଗୋବିନ୍ଦ ନିଜେ ତନ୍ତୁ ବୁଣୁ ନଥିଲା, ତାନ୍ତୀମାନଙ୍କ ବୁଣାଲୁଗା କିଣିନେଇ ହାଟରେ ବିକେ କିମ୍ବା ଉପୁରି ମହାଜନ ଆସିଲେ ମାଲ ପଠାଇଦିଏ । ଏଥିରେ ତାହାର ଭଲ ପାଞ୍ଚପଇସା ହାତକୁ ଚଢୁଥିଲା । ଗୋବିନ୍ଦ ହାତରେ ହଜାର ହଜାର ଥିବାର ଲୋକ ଅନୁମାନ ବିଦ୍ୟାରେ ଗଣି ପକାଇଥିଲେ । ଲୋକମାନେ ଆପଣା ପରମାୟୁ ଓ ପରଧନକୁ ବେଶି ଦେଖନ୍ତି । ଯାହାହେଉ, ଗୋବିନ୍ଦ ଯେ ଦଶଟଙ୍କା ଅରଜିଥିଲା, ଏ କଥା ସତ । ଜମିଦାର ବାଘ ସିଂହ ବଂଶ ପଡ଼ି ଆସିବାବେଳେ ଖଣ୍ତେ ଖଣ୍ତେ ଜମି ବିକ୍ରି ହେଲା । ଗୋବିନ୍ଦପୁର ଗାଁତଳେ ଚକେ ଗହୀର ଜମି ଛମାଣ ଆଠଗୁଣ୍ତ ବାହାଲି ନିଷ୍କର, ତାକୁ ଗୋବିନ୍ଦ କିଣିନେଇଥିଲା । "ଗାଁ-ଧୋଉରାପାଣି ଯେଉଁଠି ପଶେ, ପଧାନ ହଳ ସେଇଠି ଚଷେ ।" ଅସ୍ୟାର୍ଥ -ପଧାନ ଗ୍ରାମର ସର୍ବୋତ୍କୃଷ୍ଟ ଜମିଖଣ୍ତ ଚାଷ କରେ । ଜମିଖଣ୍ତରେ ଗାଁ ଧୋଉରା ପାଣି ପଶେ, ଭାରି କଳିନ୍ଦ, ପାଣିବହୁଳ ହେତୁରୁ ରାବଣା ଧାନ ହୁଏ । "ଜମି ପାଇଲେ ସିଆଣା, ଧାନ ବୁଣିବ ରାବଣା । ହାତେ ଲମ୍ବ କାଢ଼ିବ ସୀଂସା ଝୁରି ମରିବେ ସାଇପଡ଼ିଶା ।" ଧୋଇ ନାହିଁ, ମରୁଡ଼ି ନାହିଁ ମାଣକୁ ଆଠଭରଣ ତ ଆଗେ ଥୋଇଦିଅ । ଭଗିଆ ତନ୍ତୀଲୋକ, ଚାଷ କରିବ କଣ? ବଖରା ଦେଇ ମାଣକୁ ପାଞ୍ଚ ନଉତି ଧାନ ପାଏ । ଭଗି ହୁଣ୍ତା ହେଲେ କଣ ହେବ, ତାହାର ଢେର ସଦଗୁଣ ଥିଲା । ଶ୍ରାଦ୍ଧ, ମଉଳା, ନବାନ୍ନରେ ଜାତିଭାଇଙ୍କ ମୁହଁ ଧୁଆଏ, ଭାଟ ଭିକାରୀ ଦୁଆରୁ ଫେରନ୍ତି ନାହିଁ । 'ହାଉଡ଼ାର ଦୁଷ୍ମନ୍ନ ନାହିଁ ।' ହୁଣ୍ତା ହୁଣ୍ତୀ କଥା କହି ଜାଣନ୍ତି ନାହିଁ, ଗାଁରେ କଳିହେଲେ କବାଟ କିଳି ଦିଅନ୍ତି । ଗାଁରେ ସମସ୍ତେ ଏମାନଙ୍କୁ ଭଲ ପାନ୍ତି । ଅଭାବ ସମସ୍ତ ଦୁଃଖର ମୂଳ । ଧନ, ବିଦ୍ୟା, ଖ୍ୟାତି, ସ୍ୱାସ୍ଥ୍ୟ ପ୍ରଭୃତି କୌଣସି ବାଞ୍ଛନୀୟ ଲୋଭନୀୟ ଏବଂ ଅତ୍ୟାବଶ୍ୟକ ପଦାର୍ଥର ଅଭାବ ହେଲେ ଲୋକେ କଷ୍ଟ ଅନୁଭବ କରନ୍ତି । ଆମ୍ଭମାନଙ୍କ ତନ୍ତୁବାୟ - ଦମ୍ପତିଏ କୌଣସି ପଦାର୍ଥର ଅଭାବ