ପୃଷ୍ଠା:Chha mana atha guntha.pdf/୫୬

ଉଇକିପାଠାଗାର ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି


ଏକାଦଶ ପରିଛେଦ

ଗୋବରା ଜେନା :

ତନ୍ତୀସାହିକୁ ଚାରିଶ ପାଞ୍ଚାଶ କଦମ ଦୂର ବିଲ ମଝିରେ ଡମସାଇ । ଏଟା ଅଲଗା ମୌଜା ନୁହେଁ, ଗୋବିନ୍ଦ ସାମିଲ । ସେଠାରେ ଦଶଘର ଡମ ଆଉ ଗୋବରା ଜେନା ଚୌକିଦାର ଘର । ଗୋବରା ଜେନା ନିଜ ମୌଜାରେ ଚୌକିଦାର; ତା'ର ଦେଢ଼ମାଣ ଚୌକିଆ ଜାୟଗିରି ଅଛି, ଏ ସିବାୟ ଫି ଘରୁ ଧାନକଟା ସମୟରେ ଗୋଟାଏ ଲେଖାଏଁ ହଳା ପାଏ । ଜେନା ମଜବୁର ଆପଣା କାମରେ ଖୁବ୍ ହୁସିଆର । ତାହା ଯୋଗେ ଗ୍ରାମରେ ଚୋରି ଚପାଟି ହୁଏ ନାହିଁ । ଫି ବରଷ ଗ୍ରାମ ମଧ୍ୟରେ ଚାରି ପାଞ୍ଚନମ୍ବର ସୀନ୍ଧିହୁଏ ସତ୍ୟ; କିନ୍ତୁ ଜେନା ମଜବୁରର କିଛି ଦୋଷ ନାହିଁ; କାରଣ ସେହି ସବୁ ଚୋରି ରାତିରେ ଜେନା ପୁଅ ଜାତିଆଣ କାମରେ ଚାରିପାଞ୍ଚକୋଶ ଦୂରବର୍ତ୍ତୀ ଗ୍ରାମକୁ ଯାଇଥାଏ । ଚୌକିଦାର ସାରାରାତି ଗ୍ରାମରେ ପହରା ଦିଏ; ମାତ୍ର ସେ ଏପରି ହୁସିଆରରେ ପହରା ଦିଏ; ଯେ, ସେ କଥା କେହି କେତେବେଳେ ଜାଣିପାରନ୍ତିନାହିଁ । ପାଟିକରି ପହରା ଦେଲେ ତୁଣ୍ତଶୁଣି ଚୋରଯେ ପଳାଇଯିବେ । ପୁରୁଣା ପୋଲିସ ଭାରି ଲାଞ୍ଚଖିଆ ଥିଲେ, ଏପରି ଗୋଟାଏ ପ୍ରବାଦ ଅଛି । ସତ ମିଛ ଜଗନ୍ନାଥ ଜାଣନ୍ତି । ଲୋକମାନଙ୍କ ପାଟିରେ କିଏ ହାତଦେବ ? ବାଘ ମଣିଷ ଖାଏ - ସବୁବାଘ ଗୁଡ଼ାକ ମଣିଷଖିଆ ? ସାଧୁସଚରିତ୍ର ବାଘ କି ଦୁନିଆରେ ନାହାନ୍ତି ? ଆମମାନଙ୍କ ଜେନାପୁଅ ସେହିପରି ଜଣେ ସାଧୁ ସଚ୍ଚରିତ୍ର ଲୋକ । ଆପଣାର ହକ୍ ଅର୍ଥାତ୍ ବାର୍ଷିକ ହଳା, ବାହାପୁଆଣିରେ ଖଦୀ ମୂର୍ତ୍ତି ଏ, ଉପରି ବରଠାରୁ ଚୌକିଆ ରୋସମ ଟଙ୍କାଟିଏ, ଆଉ ମଲାମରୁଡ଼ିରେ ଭାତିଆ ବାବଦକୁ କିଛି ଖର୍ଚ୍ଚ ପିଢ଼ାରୁ ଲାଉ କଖାରୁଟାଏ ଛଡ଼ା କାହାଠାରୁ କିଛି ଲାଞ୍ଚ ରିସପତ୍ ଛୁଏଁ ନାହିଁ । ଆଉ ଚୋରି, ସାପକାମୁଡ଼ା, ଜଳଡୁବିମାମଲା ପଡ଼ିଲେ ପୋଲିସରେ ଏତଲା ଖର୍ଚ୍ଚ । ଟଙ୍କାଟିଏ, ସେ ତ ଆଇନ୍ ରେ ଅଛି, ସେଥିରେ ଚୌକିଆର କଣ ଇଲାକା ? ବରଞ୍ଚ ଗୋବର୍ଦ୍ଧନ ଭାରୀ ଦୟାଳୁ ଲୋକ, କେହି ଗରିବ ଉପରେ ମାମଲା ପଡିଲେ କଂସାଖଣ୍ଟି ଢାଳଟୋ ନେଇ କାମ ତୁଲାଇନିଏ ।