ପୃଷ୍ଠା:Chha mana atha guntha.pdf/୫୭

ଉଇକିପାଠାଗାର ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି


ମାସକୁ ଥରେ ପୋଲିସରେ ରିପୋର୍ଟ ଦେବାକୁ ଯିବାବେଳେ ଗ୍ରାମରୁ କଦଳୀ କାନ୍ଦିଟା, ଲାଉ, କଖାରୁ ପୁଞ୍ଜାଏ ମୁନ୍ସି ଜମାଦାର ବରକନ୍ଦାଜ ସକାଶେ ନେବାରେ ତ ସୁବାମତି କଥା । କାମ ଝଞ୍ଜଟ ହେତୁରୁ ଜେନାପୁଅ ରାତିଓଳିଟା ଘରୁଭାତ ଖାଇପାରେ ନାହିଁ । ପାଳିକରି ଗାଁ ଲୋକଙ୍କ ଘରୁଖାଏ ଯାହାଘରୁ ଯେଉଁଦିନ ଖାଇବାର ବେଳ ଥାଉଁ ଥାଉଁ ମୁଠାଏ ଚାଉଳ ପକାଇବା ସକାଶେ କହିଯାଏ । ଖଞ୍ଜ ଅଖଞ୍ଜରେ ଭାତ ହେଇନପାରିଲେ ଜେନାପୁଅ ସେଦିନ ରାତିରେ ତାହା ଘର ପହରା କାମରେ ଢିଲା କରିଦିଏ । ଚୋରମାନେ ତକ୍ଷଣେ ଏ କଥା ଜାଣିପାରି ସେଦିନ ରାତିରେ ତାହା ପିଢ଼ା ବା ବାଡ଼ିରୁ ଫଳ କଦଳୀଟା କିମ୍ବା ବିଲରୁଧାନ ଚୋରି କରି ଘେନିଯାଆନ୍ତି କିମ୍ବା କିଛି ନ ପାଇଲେ ତାହା ଦାଣ୍ତ ଦୁଆର ଖୁମ୍ବାଟା ଭାଙ୍ଗି ଦେଇଯାଅନ୍ତି । ଗୋବର୍ଦ୍ଧନ ଗାଁରେ ଭାତ ଖାଇସାରି ଆପଣା ଘର ପର୍ଯ୍ୟନ୍ତ, 'ଗାଁଲୋକେ ହୁସିଆର୍, ଘରବାଲେ ଖବରଦାର, ପାଟିକରି ଡାକ ଦିଏ । ଚେଇଁଥିବା ପିଲା ମାନେ ସେ ଡାକଶୁଣି ଶୋଇପଡ଼ନ୍ତି । ତାହା ବାଦ୍ ସେ ଗାଁରେ ସାରା ରାତି ପହରା ଦିଏ, ଏ କଥା କାହାକୁଜଣା ପଡ଼େନାହିଁ । ଗୋବରା ଜେନାକୁ ଗୋଟା ପାଣ ମଧ୍ୟରେ ଗଣିବ ନାହିଁ । ହଜାରେ ପାଞ୍ଚଶ ଗଣିଦେବାର ଲୋକ । ଧାନ ପାଞ୍ଚ ସାତ ଭରଣ ମଧ୍ୟ ଘରେ ସାଇତି ଅଛି । ଯେ ଯେଡ଼େ ହୁସିଆର ହେବ, ଆପଦ ବିପଦ କାହାରିକୁ ଛାଡ଼ିନାହିଁ । ଥରେ ଗୋଟାଏ ଚୋର ମାମଲା ତାହା ଉପରେ ଝୁଙ୍କିଥିଲା । ଶୁଣିବାରେ ଅଢ଼େଇଶ ଟଙ୍କା ମୁନିସ୍‌କୁ ପେଲିଦେଇ ଖଲାସ ପାଇଲା । ସେ ମାମଲାର ହାଲ ଏହିକି, ମାଖନପୁରି ମୌଜାର ଭୁବନିଶା' ତେଲୀ ମହାଜନ ଘର ଡକାଇତି ମୋକଦ୍ଦମାରେ ଆଠ ଜଣ ଡକାଇତ ଗ୍ରେପ୍ତାର ହୋଇଥିଲେ । ଗୋବରା ଜେନା ସହ୍ଲାରେ ସେହି ଡକାଇତି ହୋଇଥିବାର ଏବଂ ଆହୁରି ଦଶ ପନ୍ଦର ନମ୍ବର ଚୋରିରେ ତାହାର ସହ୍ଲାଥିବାର ଏବଂ ଚୋରାମାଲ ସବୁ ତାହାଦ୍ୱାରା ବିକ୍ରି ହୋଇଥିବାର ଆସାମୀମାନଙ୍କ ମଧ୍ୟରେ ଦିକଡ଼ିଆ ପାଣ ପ୍ରକାଶ କଲା; ମାତ୍ର ଆଉ ଆଉ ଆସାମୀ ମାନେ ଏ କଥା ଅସ୍ୱୀକାର କରିବାରୁ ଗୋବରା ଦେହକୁ ଆଞ୍ଚ ଲାଗିଲା ନାହିଁ ।