ପୃଷ୍ଠା:Chha mana atha guntha.pdf/୫୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଗୋବରା ଜେନାଙ୍କ ଯୋଗ୍ୟତାରେ ମଙ୍ଗରାଜେ ତାହା ଉପରେ ଭାରିଖୁସି । ସେ ସକାଳ ସଞ୍ଜବେଳେ ମଙ୍ଗରାଜଙ୍କ କଚେରୀରେ ହାଜର ଥାଏ । ଅଧରାତିବେଳେ ଗୋବରା ଓ ମଙ୍ଗରାଜ ନିରୋଳାରେ ବସିଥିବାର ଲୋକ ଦେଖିଛନ୍ତି । ଫତେପୁର ସରଷଣ୍ତ ତାଲୁକାରେ ଅନେକ ପାଣଙ୍କ ଘର ଅଛି । ସେମାନେ ଚୋରି, ଡକାୟତି, ରାହାଜାନୀ ବ୍ୟବସାୟୀଥିବାର ଲୋକେ ସନ୍ଦେହ କରନ୍ତି । ପୁଲିସ ଏବଂ ଜେଲଖାନା ସହିତ ଘନିଷ୍ଠ ସମ୍ବନ୍ଧ ଏହି ସନ୍ଦେହର କାରଣ ଅଟେ । ଗୋବର୍ଦ୍ଧନର ଗୋଟିଏ ମହତ୍ ଗୁଣ, କୌଣସି ପାଣ ଜେଲ୍ ଗଲେ ତାହାର ଅସହାୟ ପିଲା ବାଳକଙ୍କୁ ଚଳାଏ ଏବଂ ମଙ୍ଗରାଜଙ୍କ ଖମାରରୁ ଦାନ ଦିଆଦିଏ; ମାତ୍ର ନିନ୍ଦୁକ ଲୋକର ନିନ୍ଦାକଥା କାହିଁ ଛାଡ଼ ନାହିଁ; ଲୋକମାନେ ଗୋବର୍ଦ୍ଧନର ଏହି ସଦ୍‌ଗୁଣର ଅନ୍ୟ ପ୍ରକାର ଅର୍ଥ କରନ୍ତି । ସେଥି ସଙ୍ଗେ ମଙ୍ଗରାଜଙ୍କ ଦାତବ୍ୟତା ଉଲ୍ଲେଖ କରିବା ମଧ୍ୟ ଗୋଟିଏ ଭାରି ଖରାପ କଥା ଅଟେ ।