ପୃଷ୍ଠା:Chha mana atha guntha.pdf/୬୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଯାହା ବୋଲ ସେ କିଛି ତୁମ ନାମରେ ହୁରମତ ବାହାରର ନାଲିସ୍ ରୁଜ୍ଜୁକରିବ ନାହିଁ; କିନ୍ତୁ ଜାଣିବ, ତୁମ ମନୁଷ୍ୟ ଜାତିଭାଇ ମଧ୍ୟରେ ଯେ ଯେତେ ବେକ ଚିପିପାରେ, ସେ ଯେ ତେଡ଼େ ବାହାଦୂର, ସାହି ମାନ୍ୟ, ସେହି ଗଣ୍ୟ, 'ସ ଚ ଦର୍ଶନୀୟ' ଏ କଥା କି ଜାଣନ୍ତି ନାହିଁ? ଚାରିପାଞ୍ଚ ଗଣ୍ତା ଧଳା ବଗ, ଚାରି ପାଞ୍ଚ ଗୋଟି କାଣ୍ଟିବଗ ନୀଚ ଲୋକ ମୂଲିଆଙ୍କ ପରି ସକାଳୁ ସନ୍ଧ୍ୟାବେଳ ଯାଏଁ କାଦୁଅ ଚକଟୁଛନ୍ତି । ଦୀଘିରେ ମାଛ ଥିବାର ଏହା ତୃତୀୟ ପ୍ରମାଣ । ଯୋଡ଼ାଏ ପାଣିକାଉ କେଉଁ ଦେଶରୁ ଉଡ଼ିଆସି ଦୀଘି ମଧ୍ୟରେ ଦୁଇ ଚାରି ଡୁବମାରି ପେଟ ପୁରାଇ ଫର କରି ଉଡ଼ିଗଲେ । ଗୋଟାଏ ପାଣିକାଉ ମେମେସାହେବଙ୍କ ଗାଉନ୍ ପରି କୂଳରେ ବସି ଡେଣା ସୁଖାଉ ଅଛି । ସେ ହିନ୍ଦୁଧର୍ମୀ ବଗମାନେ, ଇଂରେଜ ପାଣିକାଉଙ୍କୁ ଦେଖ, କେଉଁ ଦେଶରୁ ଖାଲି ପକେଟରେ ଉଡ଼ିଆସି ଚେଙ୍ଗ ବେଙ୍ଗ ଗଡ଼ିଶାରେ ପେଟପୁରାଇ ଚାଲିଗଲେ । ଦୀଘି କୂଳର ବରଗଛରେ ତୁମ୍ଭମାନଙ୍କ ବସା, ଦିନ ଯାକ ପାଣି ଚକଟି ଚକଟି ଦଣ୍ତେଇ ପିଲା, କେରାଣ୍ତି ପିଲାରୁ ଅଧିକ କିଛି ପାଉନାହିଁ । ଜୀବନ ସଂଗ୍ରାମ କାଳ ଉପସ୍ଥିତ, ଏଣିକି ଆହୁରି ପଲ ପଲ ପାଣିକାଉ ଆସି ଚେଙ୍ଗ ବେଙ୍ଗ ସବୁ ବହି ନେଇଯିବେ । ତୁମ୍ଭେମାନେ ବିଦେଶକୁ ଯାଇ ସମୁଦ୍ର ପହଁରି ନ ଶିଖିଲେ ଆଉ ରକ୍ଷା ନାହିଁ । ଚିଲ ଖୁବ ସିଆଣା, ଭାରି ହୁସିଆର, ଗୁରୁ ଗୋସାଇଁଙ୍କ ପରି ଡାଳରେ ତୁନି ହୋଇ ବସିଅଛି, ଥରେ ପାଣିକି ଝାମ୍ପିପଡ଼ି ଯାହା ଉଠାଇ ନିଏ, ସେଥିରେ ତାହାର ଦିନକ କଟିଯାଏ । ଗୋସାଇଁ ମାନେ ବର୍ଷ ଯାକ ପିଣ୍ତାରୁ ଓହ୍ଲାଇ ନାହିଁ, ବରଷକୁ ଥରେ ଶିଷ୍ୟ ଦୁଆରକୁ ଝାମ୍ପିମାରନ୍ତି । ବରଚରାଠରୁ ଚାଳିଶ ପାଞ୍ଚଶ ହାତ ଦୂର ପାଣିଯାଏ ବଉଳମାଳା ଦଳ ଶିଙ୍ଗଡ଼ା ପୂର୍ଣ୍ଣ । ସେହି ଦଳ ମଧ୍ୟରୁ ହିନ୍ଦୁଘର ଭୁଆଷୁଣୀଙ୍କ ପରି କଇଁଗୁଡ଼ିକ ରାତିରେ ତୁନି ତୁନି ଫୁଟନ୍ତି, ଦିନବେଳେ ଢୁଙ୍କିଢ଼ାଙ୍କି ରହନ୍ତି । ସେଥିମଧ୍ୟରେ ପାଣିଶିମୂଳି ଫୁଲଗୁଡ଼ିକ ଅଭିଆଡ଼ୀ ଝିଅଙ୍କପରି ଲାଜ ନାହିଁ, ସରମ, ଦିନରାତି ପବନରେ ଫକ୍ ଫକ୍ ଡେଉଁଛନ୍ତି ପାଣିଭିତରକୁ । ରତାକଇଁ ଏମାନେଶିକ୍ଷିତା ଖ୍ରୀଷ୍ଟାନ୍ ଲେଡ଼ି, କଇଁଦଳରୁ ବାହାରି ଗଲେଣି, ପଦ୍ମ ଦଳରେ ମିଶିପାରି ନାହାନ୍ତି । ଦୀଘିମଝିରେ ଦଳ ନାହିଁ । ରାତିରେ ବୁଢ଼ୀମଙ୍ଗଳା ଠାକୁରାଣୀ ବୁଲନ୍ତି । ସେଥିସକାଶେ ଦଳ