ହୋଇପାରେ ନାହିଁ । ଭାରତ କବିଙ୍କର ସର୍ବସ୍ୱ ଧନ ଲକ୍ଷ୍ମୀଙ୍କର ନିବାସ, ସରସ୍ୱତୀଙ୍କର ଆସନ, ବ୍ରାହ୍ମଣଙ୍କର ଜନ୍ମସ୍ଥାନ ପଦ୍ମ ବନରେ ପୂର୍ଣ୍ଣ । ଫଳଗୁଡ଼ିକରେ ଠାକୁରାଣୀଙ୍କର ଷୋଳପଣି ଅଧିକାର । ଜଣେ ଲୋକ ଥରେ ଗୋଟାଏ ଫୁଲ ଆଣିବାକୁ ପହଁରି ଯାଇଥିଲା । ଠାକୁରାଣୀ ତାହା ଗୋଡ଼ରେ ଶିକୁଳି ଲଗାଇ ପାଣିଭିତରକୁ ଭିଡ଼ିନେଲେ । ସେହି ଦିନଠାରୁ ଆଉ କେହି ଫୁଲକୁ ଅନାଏ ନାହିଁ ।
ଅସୁର ଦୀଘିରେ ଚାରିଟାତୁଠ, ଧରିବାକୁ ଗଲେ ତିନିଟା । ଦକ୍ଷିଣ ତୁଠଟାକୁ କେହି ଯାଆନ୍ତି ନାହିଁ । ଗ୍ରାମରେ କେହି ମରିଗଲେ ସେହି ତୁଠରେ ଦଶାହକ୍ରିୟା ହୁଏ । ଏହି ତୁଠଟା ବଡ଼ ଭୟଙ୍କର ସ୍ଥାନ, ରାତି ତ ରାତି, ଦିନବେଳେ ମଧ୍ୟ ସେଠାକୁ କେହି ଯିବାର ଦେଖିନାହିଁ । ଏହି ତୁଠ ଉପରକୁ ଭାରି ବଡ଼ ଗୋଟାଏ ଅଶ୍ୱତ୍ଥ ଗଛ ଅଛି, ସେଥୁରେ ସର୍ବଦା ଯୋଡ଼ିଏ ବ୍ରହ୍ମଦୈତ୍ୟ ଥିବାର ସମସ୍ଥଙ୍କୁ ଜଣା । ଅଧରାତିରେ ଦୈତ୍ୟମାନେ ଗଛ ଅଗରେ ବସି ଦୀଘି ମଝିକୁ ଗୋଡ଼ ଲମ୍ବାଇ ଦେଇଥିବାର ଅନେକ ଅନେକ ଲୋକ ଦେଖିଛନ୍ତି । କିଏ କିଏ ଦେଖିଛନ୍ତି, ନାମ ଜଣା ନାହିଁ, କିନ୍ତୁ ଦେଖିବାର ସତ । ଆହୁରି ମଧ୍ୟ ଏହି ଆଡ଼ିରେ ଅନେକ ପିଚାଶୁଣି, ଡାଙ୍କୁଣି ସବୁଦିନେ ଘରକରି ରହି ଅନ୍ଧାର ରାତିରେ ଆଲୁଅ ଜାଳି ମାଛଧରୁଥିବାର, ବିଶେଷରେ ବର୍ଷାର ଅନ୍ଧାର ରାତିରେ ପଲ ପଲ ହୋଇ ବୁଲୁଥିବାର ପ୍ରତ୍ୟକ୍ଷ ପ୍ରମାଣ ଯଥେଷ୍ଟ ଅଛି । ପୂର୍ବ ତରଫରେ ଧୋବାତୁଠ । ଦୁଇ ଜଣ ଧୋବା ଇଶ୍ ଇଶ୍, ରାମ ରାମ କହି ପଥର ଉପରେ ଲୁଗା ବାଡ଼ଉଛନ୍ତି । 'ଗାଁ ପରିଗୁଣ ଧୋବାରୁଠରୁ ଜଣା । 'ଅଖାପାଲ ପରି ମୋଟା ମୋଟା ଶଗଡ଼େ ମଇଳା ଲୁଗା ଗଦା ହୋଇଅଛି । ଲୁଗା ସିଝାଇବା ଶୁଖାଇବା କାମରେ ଚାରି ଜଣ ଧୋବଣୀ ଲାଗିଛନ୍ତି । ଉତ୍ତର ପଶ୍ଚିମ କୋଣରେ ତନ୍ତୀତୁଠ । ଗାଁ ମଝାଲରେ ଥିବାରୁ ସେଠାରେ ସକାଳେ ମାଈକିନିଆ ମାନଙ୍କର ହାଟ ବସେ । ହାଟ ନାମ ଶୁଣି ଆପଣମାନେ ଯେ, ଏଠାରେ କିଣା ବିକାହୁଅନ୍ତି । ପାଟି ଆଉ ଜନତା ସଙ୍ଗରେ ସମାନ ଥିବାରୁ ହାଟ କହିଲୁ । ରାନ୍ଧୁଣୀ ଗାଧୁଆ ବେଳେ ଭାରି ଭିଡ଼ ହୁଏ । ଗ୍ରାମରେ ଡେଲି ନିଉଜ୍ ଖବର କାଗଜ ଛାପା ହେଉଥିଲେ, ସମ୍ପାଦକଙ୍କୁ ସମ୍ବାଦ ସଂଗ୍ରହ ନିମନ୍ତେ