ଅଧିକ ପରିଶ୍ରମ କରିବାକୁ ହୁଅନ୍ତା ନାହିଁ । ଖଣ୍ତେ ପେନ୍ସିଲ୍ କାଗଜ ଘେନି ଏହିଠାରେ ବସିଲେ ସମସ୍ତ ସଂଗ୍ରହ କରିପାରନ୍ତେ । ଗଲା ରାତିରେ କାହା ଘରେ କଣ ରନ୍ଧା ହୋଇଥିଲା; ଆଜି ରାନ୍ଧଣାର ବ୍ୟବସ୍ଥା, କିଏ କେତେ ବେଳେ ଶୋଇଲା, କାହାକୁ କେତେ ମଶାକାମୁଡ଼ିଲା, କାହା ଘରେ ଲୁଣ ନ ଥିଲା, କିଏ ତେଲ ଟିକିଏ କାଳି ଆଣିଛି, ରାମାମା ଘର ନୂଆ ବୋହୂଟା ବଡ କଳିହୁଡ଼ୀ, କାଲିଆସିଲା ଆଜି ଶାଶୁକୁ ଜବାବ ଦେଲାଣି, କମଳୀ କେବେ ଶାଶୁଘରକୁ ଯିବ, ସରସ୍ୱତୀ ଝିଅ ବଡ଼ ଭଲ, ରାନ୍ଧେ ଯେପରି ଲାଜସରମ ସେହିପରି । ପଦୀ ପାଣିରେ ବସି ଦାନ୍ତ ଘଷୁ ଘଷୁ ଗୋଟିଏ କ୍ଷୁଦ୍ର ବକ୍ତୃତା ଆରମ୍ଭ କରିଅଛି । ସାରମର୍ମ, ତା'ପରି ରାନ୍ଧୁଣୀ ଗ୍ରାମରେ ନାହାନ୍ତି, ଇତ୍ୟାଦି ଇତ୍ୟାଦି । ଦରକାରୀ ବେଦରକାରୀ କଥାମାନ ଅବିଶ୍ରାନ୍ତ ଚଳୁଅଛି । କେତେ ଜଣ ସୁନ୍ଦରୀ ମୁଖର ଆହୁରି ସୌନ୍ଦର୍ଯ୍ୟ ବଢ଼ାଇବା ନିମନ୍ତେ ପଣତକାନିରେ ମୁହଁ ରଗଡୁଛନ୍ତି । ଲକ୍ଷ୍ମୀ ରଗଡ଼ି ରଗଡ଼ି ବସଣୀରେ ଉପର ନାକ ଦୁଇପୁଡ଼ା ରଙ୍ଗା କରି ପକାଇଲାଣି । ବିମଳୀ ପାଣି ପାଖରେ ବସି ଆପଣା ହାତର ବାଇଶ ପଳିଆ ପିତଳ ବାହିବଳା ଅଧବୋଝେ ବାଲି ପକାଇ ସବଳେ ମର୍ଦ୍ଦନ କରୁକରୁ କୌଣସି ଅଜ୍ଞାତନାମା ଲୋକ ଉଦ୍ଦେଶ୍ୟରେ ଅଭିଧାନ ବହିର୍ଭୁତ ଶଦ୍ଦମାନ ପ୍ରୟୋଗପୂର୍ବକ ଏକ ଦୀର୍ଘବକ୍ତୃତା ଆରମ୍ଭ କରିଅଛି । ଗଲା ରାତିରେ ତାହାର କଖାରୁ ଗଛ କାହାର ଗୋରୁ ଖାଇବା ବକ୍ତୃତାର ବିଷୟ ଅଟେ । ବିମଳୀ କ୍ରମଶଃ ଗୋସ୍ୱାମୀର ଊର୍ଦ୍ଧ୍ୱତନ ତିନି ପୁରୁଷ ପ୍ରତି କୁତ୍ସିତ ପଦାର୍ଥ ବିଶେଷରେ ଖାଦ୍ୟର ବ୍ୟବସ୍ଥା କରି ଗୋରୁର ଅତ୍ୟାଚାରିତା, ଆପଣା ବାଡ଼ିର ଉର୍ବରତ୍ୱ ଏବଂ କୁଷ୍ମାଣ୍ତବୃକ୍ଷର ତେଜସ୍ୱୀତା ଏବଂ ଅତି ଶୀଘ୍ର ଗୋସ୍ୱାମୀ ଉପରେ ଭାରି ବିପଦ ପଡ଼ିଲେ ଗୋରୁଟିକୁ ଯେ ବ୍ରାହ୍ମଣକୁ ଦାନ ସ୍ୱରୂପ ଦିଆଯିବ ସେ ସମ୍ବନ୍ଧରେ ବିବିଧ ମାନ ପ୍ରୟୋଗ କରୁଅଛି । ଆମେମାନେ ଘାଟରୁ ଆହୁରି ମଧ୍ୟ ଅନେକ ସମ୍ଭାଦ ସଂଗ୍ରହ କରିଥାନ୍ତୁ; ମାତ୍ର ହଠାତ୍ ମାର୍କଣ୍ତିଆ ମା ଆଉ ଯଶୋଦା ମଧ୍ୟରେ ଭୟଙ୍କର କଳି ଉପସ୍ଥିତ ହେବାରୁ ସମସ୍ତ କଥା ବନ୍ଦ ହୋଇଗଲା ।