ପୃଷ୍ଠା:Chha mana atha guntha.pdf/୬୪

ଉଇକିପାଠାଗାର‌ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଯଶୋଦା ପାଣି ମଧ୍ୟରେ ପେଟ ଡୁବାଇ ଦାନ୍ତ ଘଷୁଥିଲା । ପାଞ୍ଚ ବରଷିଆ ପିଲା ମାରକଣ୍ତିଆ କୁଦି ନାଚି ପାଣି ଗୋଳିଆ କଲା ଏବଂ ଉପରେ ପାଣିଛିଟିକା ପକାଇବାରୁ ଯଶୋଦା ପାଣିରୁ ଉଠିପଡି ଚିତ୍ କାର କରି କୁତ୍ସିତ ଭାବରେ ପିଲାଟିକୁ ଗାଳି ଦେବାକୁ ଲାଗିଲା ଏବଂ ତାହାର ପରମାୟୁ ଅଳ୍ପତାକାମନା କରିବାରୁ ମାରକଣ୍ତିଆ ମା ଧାଇଁ ଆସି ସମାନ ସ୍ୱରରେ ଉପଯୁକ୍ତ ଉତ୍ତର ଦେବାକୁଲାଗିଲା । ଅବଶେଷରେ ମାରକଣ୍ଡିଆ ମା ପରାସ୍ତ ହୋଇ ପିଲାକୁ ଚାପୁଡ଼ାଏ ମାରି, ପାଣକଳସି କାଖରେ ବରବର ହୋଇ ମାରକଣ୍ତିଆର ହସ୍ତଧାରଣ ପୂର୍ବକ ଗୃହାଭିମୁଖେ ଗମନ, ଭେଁ ଭେଁ କରି ଦାଣ୍ତ ନିଷିଡି ମାରକଣ୍ତିଆ କ୍ରନ୍ଦନ, ଇତିଯୁଦ୍ଧକାଣ୍ତ । ବଜ୍ର ପଡ଼ିଯାଏ, କିନ୍ତୁ ଘଡ଼ଘଡ଼ି ଶବ୍ଦଟା ଆକାଶରେ ଢେର୍ ବେଳ ଯାଏ ରହେ । କଳି ଭାଙ୍ଗିଲାଣି; କିନ୍ତୁ ସମାଲୋଚନା ଅନେକ ବେଳ ଯାଏ ଚଳିଲା । ଦରବୁଢ଼ୀ ଓ ବୁଢ଼ୀ ମାଈକିନିଆମାନେ ଦୁଇ ଦଳ ହୋଇ କେହି ମାରକଣ୍ତିଆର କେହି ଯଶୋଦାର ପକ୍ଷ ସମର୍ଥନ କରିବାକୁ ଲାଗିଲେ । ଆମାମାନେ କିନ୍ତୁ ସମ୍ପୂର୍ଣ୍ଣରୂପେ ଯଶୋଦାର ପକ୍ଷପାତୀ । ବିଶେଷ ବିବେଚନା ଏବଂ ସୂକ୍ଷ୍ମ ବିଚାରଦ୍ୱାରା ବୁଝିଅଛୁଁ, ଉପସ୍ଥିତ ଉତ୍ପାତର ମୂଳ କାରଣ ମାରକଣ୍ତିଆ, ସେ ସମ୍ପୂର୍ଣ୍ଣରୂପେ ଦୋଷୀ, ତାହାର ଅପରାଧ ଅମାର୍ଜନୀୟ । ତାହାକୁ ଗାଳିଦିଅ, ମାର କି ଯାହା କର, ଆମେମାନେ ସେଥି ସକାଶେ ଜବାବଦେହୀ କରିବାକୁ ପ୍ରସ୍ତୁତ ଅଛୁଁ । ଦେଖନ୍ତୁ, ଜଳ ଲୋକମାନଙ୍କର ଜୀବନ, ପୁଣି ତନ୍ତିତୁଠ ଜଳ ସମସ୍ତେ ପିଅନ୍ତି, ସେ ଜଳକୁ ଗୋଳିଆ କରିବା କି ସାମାନ୍ୟ ଅପରାଧ ? ଦେଖ ତ, ପଣେ କି ଛ କୋଡ଼ି ମାଈକିନିଆ ଗାଧୋଇବାକୁ ଆସିଲେ, ପ୍ରାୟ ସମସ୍ତେ ପେଟ ଡୁବାଇ ପାଣିରେ ବସି ଦାନ୍ତ ଘଷିଲେ । ନବଫେନ ଖଣ୍ତବତ୍ ଶୁକ୍ଳବର୍ଣ୍ଣ ଛେପ ଖଙ୍କାର ସେମାନଙ୍କ ମୁଖରୁ ବାହାରି ଚାରିଆଡ଼େ ଭାସୁଅଛି, ଈଷତ୍ ଲୋହିତ ପାଟଳାଭ ଜିଭଜଞ୍ଚା ମଳି ମଧ୍ୟ ମେଞ୍ଚା ମେଞ୍ଚା ଭାସୁଅଛି, ସେଥି ସହିତ ଆଉ କଣ ଭାସୁଛି କି ନାହିଁ ବୋଲାଯାଇ ନପାରେ, କାରଣ ସମସ୍ତ ସ୍ତ୍ରୀଲୋକ ପଡ଼ିଆରୁ ଆସି ଜଳ ଶୌଚ କରିଅଛନ୍ତି । ଆଉ ଲୋକକଥା ଛାଡ଼, ନିଜେ ଯଶୋଦା ସେହିପରି