କରୁଥିବାର ତାକୁ ପଚାରିଲେ ସେ ଅସ୍ୱୀକାର କରିବନାହିଁ । ଏହା ତ ସନାତନ ପ୍ରଚଳିତ ପ୍ରଥା, ଅପରାଧର କଥା ଯେ ଲୁଚାଇବୁ ? ଜଣେ ମସ୍କରାଲୋକ କହୁଥିଲା, ମାଈକିନିଆ ମାନେ ପୋଖରୀରୁ ମାଠିଆରେ ଯେତେ ଜଳ ନିଅନ୍ତି, ତାହାର ପା'ଭାଗ ଜଳ ଛାଡିଯାଆନ୍ତି । ଏ କଥା ଠିକ୍ ସତ୍ୟ ହେଲେ ମଧ୍ୟ ଆମମାନଙ୍କ ଚକ୍ଷୁର ଅଗୋଚର । କେତେ ଜଣ ଶୋଇବା ହେଁସ କାଚି ନେଇଗଲେ, ସାନସାନ ପିଲାଙ୍କର ଶେଯ କନ୍ଥା, ଆହୂରି ନାନା ପ୍ରକାର କନା କତରା କଚା ହେବାର ଦେଖାଗଲା; ସେ ଯାହାହେଉ, ସ୍ତ୍ରୀଲୋକମାନେ ଘାଟରେ ଏତେ କାର୍ଯ୍ୟ କଲେହେଁ ମାରକଣ୍ତିଆ ପରି ନାଚିକୁଦି କେହି କିଛି କାର୍ଯ୍ୟ କରିନାହିଁ । ନାଚକୁଦ ନ କଲେ କି ପାଣି ଗୋଳିଆ ହୁଏ ? ଏଥିସକାଶେ ଆମ୍ଭେମାନେ ବୋଲୁଅଛୁଁ, ମାରକଣ୍ତିଆର ଅପରାଧ ନିତାନ୍ତ ଉତ୍କଟ ଅଟେ ।
ତନ୍ତୀତୁଠକୁ ତିନିଶ କଦମ ଛାଡ଼ି ସାଆନ୍ତ ତୁଠ । ସକାଳ ଓଳି ଏ ତୁଠକୁ କେହି ସ୍ତ୍ରୀଲୋକ ଯାଆନ୍ତି ନାହିଁ, ସମ୍ପୁର୍ଣ୍ଣରୂପେ ପୁରୁଷ ମାନଙ୍କର ଦଖଲ । ବୈଶାଖମାସିଆ ଦିନ, ବେଳ ଛଅଘଡ଼ି ନୋହୁଣୁ ଆକାଶରୁ ନିଆଁ ଛିଣ୍ତି ତାତି ପବନଟା ଦେହରେ ଝାଁ ଝାଁ ବାଜୁଅଛି । ଚାଷବିଲରୁ ଧୂଳି ଉଡ଼ି ମାଟିରେ ନିଆଁ ଲାଗିଧୂଆଁ ଉଡ଼ିଲାପରି ଜଣା ଜାଉଅଛି । ଘାଟରେ ଲୋକ ପୁରିଗଲେଣି ଅନ୍ଧାର ପକ୍ଷ ପିଛିଲା ଜହ୍ନ ରାତି । ତିନି ପହର ବେଳେ ଚଷାମାନେ ହଳଯୋଚି ଦେଇଥିଲେ, ସମସ୍ତଙ୍କର ହଳ ଫିଟିଲାଣି, କେହିଘର କାନ୍ଥରେ ଲଙ୍ଗଳ ଆଉଜାଇ ଦେଇ ତେଲ ଟିକିଏ ମୁଣ୍ତରେ ପାଞ୍ଚ ଆଙ୍ଗୁଳିଆ କରି ଦେହରେ ବୋଳିହୋଇ ଆସିଅଛି, କାହାକାନ୍ଧରେ ଅର୍ଦ୍ଧ ଅଙ୍ଗୁଳି ମୋଟା ତୋରାଣି ପକା ଗାମୁଛା, କେହି ନିର୍ଗାମୁଛା, କେତେଜଣ ବାହାରେ ବାହାରେ ବିଲରୁ ଆସି ଘାଟରେ ବଳଦ କାନ୍ଧରୁ ଯୂଆଳି ବାହାର କରି ରଖି ପାଣିରେ ପଶିଗଲେ । କେତେ ହଳ ବଳଦ ପେଟେ ପେଟେ ପାଣିପିଇ କୂଳରେ ଚରୁଛନ୍ତି । କେତେଜଣ ସୁଖିଲା ଦାନ୍ତ କାଠି ଚୋବାଇ ଚୋବାଇ ଆସି ପାଣିରେ ପଶି ଜିଭଛେଲି କୂଳକୁ ଦାନ୍ତକାଠି ଫୋପାଡି ଦେଲେ । ତୁଠ ଦୁଇ ପାଖରେ ଅଧ ଶଗଡେ ଶୁଖିଲା ଦାନ୍ତକାଠି ଜମାହୋଇ ଅଛି । ପୁରୁଷ ଲୋକମାନେ ଯେ ତୁନି ତୁନି ଗାଧୁଅନ୍ତି ତାହାନୁହେଁ, ମାଈକିନିଆ ମାନଙ୍କପରି ଢ଼େର୍ କଥା କହନ୍ତି; ମାତ୍ର ସେହି ଏକରକମ କଥା,