ପୃଷ୍ଠା:Chha mana atha guntha.pdf/୬୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ତ୍ରୟୋଦଶ ପରିଚ୍ଛେଦ

ହିତୋପଦେଶ :

ପ୍ରଥମା ଭାରି ତ ଫୁସ୍ ଫୁସ୍ ? ଦ୍ୱିତୀୟା - ଉଠିବ ପରାବାସ ।
ପ୍ରଥମା - ଚାଷ କିବାସ ? ଦ୍ୱିତୀୟା - ସର୍ବନାଶ ।

ଏ କିଏରେ ବାପା ! ତନ୍ତୀ ତୁଠରେ କବିତା । ରାନ୍ଧୁଣୀ ଗାଧୁଆବେଳେ ଗଡ଼ିଗଲାଣି, ତନ୍ତୀ ତୁଠରେ ଦିଓଟି ଦରବୁଢ଼ୀ ଦଶ ଦଶ ହାତ ଛାଡ଼ି ବସି ଦାନ୍ତ ଘଷୁ ଘଷୁ ଏ କଥା ଗୁଡ଼ିକ କହି ପରସ୍ପର ମୁହଁକୁ ଚାହାଁ ଚାହିଁ ହେଲେ, ମୁରୁକି ହସି ପୁଣି ଡରିଗଲା ପରି ତୁନିହେଲେ । ତୁମ୍ଭେ ପାଟିକରି କଥା କହ, ସେଥିରେ କେହି ମନ ଦେବେନାହିଁ, ନିହାତି ପାଖଲୋକ ମଧ୍ୟ ନ ଶୁଣିଲା ପରି ରହିବେ; କିନ୍ତୁ ଦୁଇଜଣ ଫୁସ୍ ଫୁସ୍ ହେଉନ୍ତୁ, ଲୋକଙ୍କ ମନ ଦେଖ ସେହିଠାରେ, କଥାଟା ଶୁଣିବାପାଇଁ ସମସ୍ତଙ୍କ ମନ ଗୁଡ଼େଇ ପୁଡ଼େଇ ହେଉଥାଏ ବାସ୍ତବିକ୍ ସାନ ମଞ୍ଜି ଭିତରେ ବଡ଼ ଗଛ ଲୁଚି ରହିଲା ପରି ତୁନି କଥା ମଧ୍ୟରେ କେବେ ଭାରି କାରଖାନା ହେଉଥାଏ । ତୁଠରେ ତ ଆଏ କେହି ନାହିଁ, ଦରବୁଢ଼ୀ ଦିଓଟି କି ସକାଶେ ତୁନି ତୁନି ଇଶାରାରେ ଏପରି କଥା କହିଲେ; ପୁଣି ଡରିଯାଇ ତୁନି ହେଲେ?

ତନ୍ତୀତୁଠରେ ପାଣି ଗଡ଼ନ୍ତି ଡାହାଣ ହାତ ଅଧାଅଧି ବାଟକୁ କୋଡ଼ିଏ ହାତ ଅନ୍ଦାଜ ଛାଡ଼ି ଯାଉଁଳି ବର ଅଶ୍ୱତ୍‌ଥ ଗଛ ଲଗାଲଗି ହୋଇ ରହିଅଛି । ଗଛ ଦିଓଟି ଅଧା ଭଳିଆ ଥାକୁଲ ଥୁକୁଲ, ପୁଣି ସେଥିରେ କଅଁଳ ପତ୍ର ଲଦି ହୋଇଅଛି । ଘାଟପାଖ ବାଟ ପାଖରେ ବର ଅଶ୍ୱତ୍‌ଥ ବିଭା କରାଇଦେଲେ କନ୍ୟା ଦାନର ଫଳ ମିଳେ । ହିନ୍ଦୁମାନଙ୍କର ଏହି ସଂସ୍କାରର ଚିହ୍ନ ଅନେକ ସ୍ଥାନରେ ଦେଖାଯାଏ । ମାଈକିନିଆ ଦିଓଟି କଥା କହୁ କହୁ ସେହି ଗଛ ମୂଳକୁ ଦୁଇ ତିନି ଥର ଅନାଇଲେ । ଏବେ କଥା କାହିଁ ଯାଏ ? ଚୋର ତ ଅନ୍ଧାର ରାତିରେ ହୁସିଆରୀରେ ଚୋରି କରେ, ଜେଲଖାନାକୁ ଏତେ କଏଦୀ କାହୁଁ ଅଇଲେ ? ବୁଦ୍ଧିମାନ ହୁସିଆର ଗୋଏନ୍ଦା ଆଖିରେ ଧୂଳି ପକାଇବା ସହଜକଥା ନୁହେଁ ।