ପୃଷ୍ଠା:Chha mana atha guntha.pdf/୬୮

ଉଇକିପାଠାଗାର‌ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଅବଶ୍ୟ ଗଛମୂଳର ପଦାର୍ଥ ବିଶେଷ ସହିତ ଏମାନଙ୍କ କଥାର ଘନିଷ୍ଠ ସମ୍ବନ୍ଧ ଅଛି । ଠିକ୍ ଆମ ମାନଙ୍କ ଅନୁମାନ ସମ୍ପୂର୍ଣ୍ଣ ଠିକ୍ । ଖିଅ ମୁଣ୍ତଟି ହାତରେ ପଡ଼ିଲେ ବୁଦ୍ଧିମାନ ଜାଣିବ, ଟିକିଏ ସଙ୍କୁନ ଦେଇ ସବୁ କଥା ଆମ ମାନଙ୍କଠାରୁ ଶୁଣିଯାଅ । ଯାଉଁଳିଗଛ ଉହାଡ଼ରେ ଦିଓଟି ସ୍ତ୍ରୀ ବସି କଣ କୁହାକୁହି ହେଉଛନ୍ତି । ମଲା-ଯା ! ଏମାନଙ୍କୁ ଯେ ଆମେମାନେ ଭଲ କରି ଚିହ୍ନୁ ! ଅସମୟରେ ଆସ୍ଥାନରେ ଏମାନେ ବସି କଣ କହୁଛନ୍ତି ? ମିଳନଟା ମଧ୍ୟ ଭାରି ଚମତ୍କାର ରକମର । ଗୋଟିଏ ଧୂର୍ତ୍ତା ନଷ୍ଟ ପ୍ରକୃତି ଶୃଗାଳୀ, ଆଉ ଗୋଟିଏ ଠିକ୍ ବିପରୀତ-ନିତ୍ୟାନ୍ତ ନିରୀହ ମେଣ୍ଢି ଦୁହିଁଙ୍କ ମଧ୍ୟରୁ ଜଣେ ନାକବସାଣୀ ଟେକି, ସାପୁଣୀଫଣା ଟେକି ସାବଧାନତା ସହିତ ଅନାଇ ଅନର୍ଗଳ ବକ୍ତୃତା ଓଜାଡ଼ି ପକାଉଅଛି । ଦ୍ୱିତୀୟାର ପାଖରେ ପାଣି ମାଠିଆ ଥୁଆ, ଡାହାଣ ହାତରେ ଦାନ୍ତକାଠି ଖଣ୍ତିଏ ମୁଠା, କପାଳ ଯାଏ ଓଢ଼ଣାଟଣା । ଗୋଟିଏ ଉତ୍କଟ ଶଦ୍ଦ ଶୁଣିଲେ ମେଣ୍ଢି ଯେପରି ସେହି ଦିଗକୁ ତାଟକା ହୋଇ ଚାହିଁ ରହିଥାଏ, ସେହିପରି ସେହି ସ୍ତ୍ରୀଟି 'ସ୍ଥିର ମନ ଧୀର ବୁଦ୍ଧି ପଞ୍ଚଭୂତ ଆତ୍ମା ଦୋରସ୍ତ ନିର୍ମଳ ହୃଦୟ କମଳ'ରେ ଶୁକଦେବଙ୍କ ମୁଖରୁ ପରିକ୍ଷିତ ପୁରାଣ ଶୁଣିଲା ପରି ବାକ୍ୟାବଳୀ ଶ୍ରବଣ କରୁଅଛି; ମାତ୍ର ସେଗୁଡ଼ିକ ତାହା ମସ୍ତକଭଣ୍ତାରରେ ସଞ୍ଚିତ ହେଉଅଛିକି ଆର କାନବାଟେ ସଳଖେ ବାହାରି ଯାଉଅଛି, ତାହାର ସ୍ଥିରତା ବୋଲିବାକୁ ଆମେମାନେ ନିତ୍ୟାନ୍ତ ଅକ୍ଷମ । ଆପଣ ଅବଶ୍ୟ ସେମାନଙ୍କ କଥା ଶୁଣିବାକୁ ଇଚ୍ଛା କରିବେ,ସନ୍ଦେହ ନାସ୍ତି । ଜଣେ ମୁତୁଆଲା କ ହିଥିଲା - "ସଂସାର ବିଷବୃକ୍ଷସ୍ୟ ମଦ୍ୟ, ମାଂସ ଏହି ଦିଓଟି ଅମୃତ ଫଳ ଫଳିଅଛି । ଏକଥା ଶୁଣି ବୃଦ୍ଧ ମନୁ ବୋଇଲେ - "ନ ମାଂସଭକ୍ଷଣେ ଦୋଷ ନ ମଦ୍ୟେ -