ପୃଷ୍ଠା:Chha mana atha guntha.pdf/୭୧

ଉଇକିପାଠାଗାର ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି


କାନରେ ପଡ଼ିଲେ ରାତି ଅଧରେ ଟଙ୍କା ଗଣି ଦେବେ । ସେ କଥାରେ ମୁଁ ଲଗା ହେଲି, ମୁଁ ଟଙ୍କା ଆଣି ଦେବି, ତୁମକୁ କିଛି କରିବାକୁ ହେବନାହିଁ । ବେଶି ଟଙ୍କା ଲୋଡ଼ା ନାହିଁ, ଦେଢ଼ଶ ଟଙ୍କା ହେଲେ ଖୁବ୍ ଗୋଟାଏ ବଡ଼ ମନ୍ଦିର ହୋଇଯିବ । କେନ୍ଦରାପଡ଼ାରେ ଯେ ବଳଦେବଙ୍କ ମନ୍ଦିର ଅଛି, ଠିକ୍ ତେତିକି ଉଞ୍ଚା, ତେତିକି ଚଉଡ଼ା ହେବ । ତମ ଛ'ମାଣ ଆଠଗୁଣ୍ଠ ଜମି କଣ୍ଟ ଲେଖିଦେବ, ମୁଁ ଟଙ୍କା ଆଣିଦେବି । ତମ ଜମି ତ କେହି ଘେନିଯିବ ନାହିଁ, ଯେଉଁଠା ଜମି ସେହିଠାରେ ରହିବ, କେବଳ ଗୁଜାରେ ଲେଖାଯିବ । ମନ୍ଦିର ବନାସରିଲେ ତ ତମେ କେତେ ଲୋକଙ୍କୁ ଟଙ୍କା ଦବ । ମା ମଙ୍ଗଳା କିଛି ଶକୁନ ଦେଇଥିବେ, ନିଶ୍ଚେ ଦେଇଥିବେ । ସେ ପ୍ରଥମେ ଶକୁନ ପରି ଗୋଟିଏ ସୁନାଟଙ୍କା ଦିଅନ୍ତି, ସେ କିଛି ରୂପା ଟଙ୍କା ଦେବେ ? ବତ୍କୃତାକାରିଣୀ କଥା ଯେ ସାରିଆ ହୃଦୟଙ୍ଗମ କରିପାରିଲା, ଏହା ଆମେମାନେ ବିଶ୍ୱାସ କରିପାରୁ ନାହୁଁ । ସେ ବଲବଲ କରି ଚାହିଁ ରହିଥାଏ । ପଣ ପଣ ଟଙ୍କା, ଦେଢ଼ଶହ ଟଙ୍କାର ଅର୍ଥ ବୁଝିବା ତାହା ପକ୍ଷରେ କି ସହଜ କଥା ? ଟଙ୍କାକର ପଇସା ଗଣିବାକୁ ହେଲେ ସାରିଆ ଗାଁକୁ ବାହାରେ ନାହିଁ, ଭଗିଆ ଆଉ ସେ ଦୁଇ ଜଣ କବାଟ କିଳିଦେଇ ଦୁଇ ତିନି ଘଣ୍ଟା ମଧ୍ୟରେ ଗଣିକରି ଠିକ୍ କରନ୍ତି । ଯେଉଁଦିନ ପାଞ୍ଚ ସୁକା କି ଅଠର ଅଣାର ଲୁଗା ବିକ୍ରି ହୁଏ, ସେଦିନ ତାହା ଭାଇ ଲୋକନାଥିଆ ପାଖରୁ ଗଣାଇଆଣେ । ଆଉ ଘରେ ପାଞ୍ଚ ଛ ଜଣ ପୋଇଲୀ ପଶିବେ, ଏହା ବିପଦ କି ସମ୍ପଦ । ମହାମୁସ୍କିଲ ! ଭଗିଆ ପାଖରେ ନାହିଁ, କରେ କଣ ? ପଳାଇପାରିଲେ ରକ୍ଷା । ସାରିଆ ଗୋଟିଏ ଦୀର୍ଘନେଃଶ୍ୱାସ ପକାଇ ଥରେ ପାଣିମାଠିଆକୁ ଅନାଇ - 'ଚମ୍ପା ସାଆନ୍ତାଣୀ' ଏତିକି କହି ତୁନି ହେଲା, ଆଉ କିଛି କହିପାରିଲା ନାହିଁ; ମାତ୍ର ଧୂର୍ତ୍ତା ଚତୁର ଚମ୍ପାର କିଛି ବୁଝିବାକୁ ରହିଲା ନାହିଁ । ତାର ମନ୍ତ୍ର ଯେ କିଛି କାଟ କଲା ନାହିଁ, ତାହା ସେ ବେଶ୍ ବୁଝିନେଲା । ପୁଣି ଶିକାର ହାତରୁ ପଳାଇବା ସକାଶେ ଛଟପଟ ହେଲେଣି । ଢେର ଦିନ ଖୋଜି ଖୋଜି ବିରାଡ଼ି ଇଲିଶି ଧରିଅଛି, ତାହା ଦାଢ଼ରୁ କି ସହଜରେ ପଳାଇବ ? ମନ୍ତ୍ର ବଦଳାଇବା ଦରକାର ।