ପୃଷ୍ଠା:Chha mana atha guntha.pdf/୭୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଚମ୍ପା - "ଦେଖ ସାରିଆ, ଟଙ୍କାରେ କଣ ଅଛି ସୁନାରେ କଣ ଅଛି ? ଟଙ୍କାସୁନାରେ କେହି ସ୍ୱର୍ଗକୁ ଯାଏ ନାହିଁ । ମୂଳକଥା ପିଲାଝିଲା । ଯେଉଁ ଘରେ ପିଲା ନାହିଁ, ସେ ଘର ତ ଦିନ ଦିପ ହରରେ ଅନ୍ଧାର । ବାଞ୍ଝ ବରଡ଼ ହେବା କି ଊଣା ପାପ ? ସାଆନ୍ତଙ୍କ ଘରେ ରୋଜ ପୁରାଣ ହୁଏ, ମୁଁ ଶୁଣେ । ସେ ଦିନ ଗୋସେଇଁ ପୋଥିରେ ଗାଇଲେ - <poem> "ଯାହାର ପିଲାଝିଲା ନାହିଁ, ସକାଳୁ ତା ମୁହଁ ଚାହିଁବ ନାହିଁ । ତିନିପୁଅ ତୀ ସୁଲକ୍ଷଣୀ ବାଞ୍ଝବରଡ଼ୀ ଗାଁ ନିଉଛୁଣୀ । ଯାହାର ଘରେ ପୁଅ ଝିଅ ନ ଥାଏ, ସେଇ ମାଇକିନିଆ ବଡ଼ ଦୁଃଖ ପାଏ ।"

ଭାଗବତ ପାଠ କଣ ମିଛ ? ମାହାଳିଆକୁ ସମସ୍ତେ ଗାଦିକୁ ମୁଣ୍ତିଆ ମାରୁଛନ୍ତି ? ଆଉ ତମେ ଦେଖିବଟି, ବଡ଼ିସକାଳୁ ତମ ଦୁଆର ବାଟେ କେହି ଲୋକ ଚାଲନ୍ତି ନାହିଁ । କ୍ୟାଁ ଚାଲନ୍ତି ନାହିଁ ? ତମ ମୁହଁ ଦେଖିବେ ନାହିଁ ବୋଲି । ତମେ ଶୁଣିଥିବ, ଆମ ସାଆନ୍ତାଣୀ ପ୍ରଥମେ ବାଞ୍ଝ ଥିଲେ, ଦିନ ଘଡ଼ିଏଯାଏ ଆମେମାନେ ତାଙ୍କ ମୁହଁ ଚାହୁଁ ନ ଥିଲୁ ପରା । ସାଆନ୍ତାଣୀ କାନ୍ଦି କାନ୍ଦି ମଙ୍ଗଳାଙ୍କୁ ପୂଜା ଦେଲେ ଦେବୀଙ୍କର ତମ ଉପରେ ଯେପରି ଦୟା ହେଲା ଏବେ ଦେଖ, ନାତିନାତୁଣୀ ଦେଖିବାକୁ ବସିଲେଣି ।" ସାରିଆ ଚାହିଁ ସ୍ୱପ୍ନ ଦେଖୁଅଛି, କଥା ସବୁ ଶୁଣି ତା କାନ ଭାଁ ଭାଁ ଡାକିଲାଣି, ପଳାଇବାକୁ ଇଚ୍ଛା, ବାଟ ନାହିଁ ? ବିରାଡ଼ି ମୂଷା ବେକ ମାଡ଼ି ବସିଅଛି । ଦୁଇ ଆଖିରେ ପାଣି ଢଳ ଢଳ କରୁଅଛି । କଥା କହିବାକୁ ଇଚ୍ଛା, ପାଟି ଫିଟୁନାହିଁ । ବହୁତ କଷ୍ଟରେ ପାଟି ଫିଟିଲା । ସାରିଆ - ମୁଁ କଣ କରିବି ? ଲୋକେ କହୁଛନ୍ତି, ସାଆନ୍ତେ ଜମି କଣ୍ଟ ନେଖିନେଲେ ଫେରାଇ ଦିଅନ୍ତି ନାହିଁ ।