ପୃଷ୍ଠା:Chha mana atha guntha.pdf/୭୩

ଉଇକିପାଠାଗାର ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି


ସାରିଆ - ମୁଁ କଣ କରିବି ? ଲୋକେ କହୁଛନ୍ତି, ସାଆନ୍ତେ ଜମି କଣ୍ଟ ନେଖିନେଲେ ଫେରାଇ ଦିଅନ୍ତି ନାହିଁ ।
ଚମ୍ପା - ରାମ ! ରାମ ! ରାମ ! ଏ କି କଥା କହିଲ ! ମଙ୍ଗଳା କାମକୁ ଟଙ୍କା ଦେବେ; ତମ ଜମି ନେବେ ? ସେ ଗାଁ ଲୋକଙ୍କ କଥା ଶୁଣୁଛ କ୍ୟାଁ ? ଏ ଗୋବିନ୍ଦପୁର ଗାଁଟା ପୃଥୀର ନିଉଁଛଣା । ଏ ଗାଁ ମାଈକିନିଆଏ ଦିନ ଦିପହରେ ବୁଡ଼ାଇମାରିବେ ପରା । ତମ ସୁଖ ଦେଖି ସେମାନେ ହାଇଁପାଇଁ ହେଉଛନ୍ତି । ଏ ଗାଁର ଶାଗଖିଆକୁ ପେଜଖିଆ ଦେଖିପାରେ ନାହିଁ । ତମେ କାହାରି ପାଖରେ କିଛି କହିବ ନାହିଁ । ଆହୁରି ଦେଖ; ଠାକୁରାଣୀଙ୍କ ଆଜ୍ଞା ନ ମାନିଲେ ଆଖି ଫୁଟିଯାଏ, କାନକୁ ଶୁଭେ ନାହିଁ, ଲୋକେ ମରିଯାନ୍ତି । ଗୋପୀନାଥପୁରର ତିନିଜଣ ମାଈକିନିଆ ଠାକୁରାଣୀଙ୍କ କଥା ନ ମାନିବାରୁ ଏକାବେଳକେ ରାଣ୍ତ ହୋଇଗଲେ, ତମେ କଣ ଏ କଥା ଶୁଣିନାହଁ ? ସାରିଆ ନିଶ୍ଚଳ କାଠ ପିତୁଳାଟି ପରି ସବୁକଥା ଶୁଣୁଥିଲା, ଶେଷ କଥାଟା ଶୁଣି ଆଉ ସମ୍ଭାଳିପାରିଲା ନାହିଁ, କାନ୍ଦି ପକାଇଲା । କଇଁ କଇଁ ହେଇ କହିଲା, ମୁଁ କଣ କରିବି ? ଚମ୍ପା ସାଆନ୍ତାଣି, ମୁଁ କଣ କରିବି ? ଚତୁରୀ ଚମ୍ପା ଏତେବେଳେ ସାରିଆର ମନ କଥା ବେଶ୍ ବୁଝିନେଲା, ମନ୍ତ୍ର କାଟୁ କରୁଥିବାର ଜାଣି ମନ ମଧ୍ୟରେ ଖୁବ୍ ଖୁସିଟାଏ ହୋଇ କହିଲା, "ଦେଖ ସାରିଆ ! ତମେ କିଛି ଡର ନାହିଁ । ତମକୁ କିଛି କରିବାକୁ ହବ ନାହିଁ, ମୁଁ ସବୁ କରିଦେବି ।"
ସାରିଆ - ନାହିଁ ନାହିଁ, ମୋର କିଛି ଲୋଡ଼ା ନାହିଁ, ସେ ଭଲ ଥାଆନ୍ତୁ ।
ଚମ୍ପା - କିଛି ଡର ନାହିଁ, ଭଗବାନ ଗୋଡ଼ରେ କଣ୍ଟା ବାଜିବ ନାହିଁ । (ଚମ୍ପା ଦଧିବାମନ ଧଣ୍ତା ଓ ମୂର୍ତ୍ତିଏ ରସକୋରା ମହାରଦ ସାରିଆ ହାତରେ ଦେଇ କହିଲା) ଦେଖ ସାରିଆ,ଏହି ଧଣ୍ତା, ଏହି ମହାରଦ ସାକ୍ଷୀ ରହିଲେ, ମୁଁ ତମର ସବୁ ଭଲ କରିଦେବି, ତମର ତିନି ପୁଅ ହେବ, ଆଉ ଭଗବାନାର କୋଟିଏ ଆୟୁ ହେବ, କିଛି ଚିନ୍ତା ନାହିଁ ।
ସାରିଆ - ମୁଁ କଣ କରିବି ? ଚମ୍ପା ସାଆନ୍ତାଣୀ, ମୁଁ କଣ କରିବି ।
ଚମ୍ପା - ତମକୁ କିଛି କରିବାକୁ ହବ ନାହିଁ, ଆଜି ସନ୍ଧ୍ୟାବେଳେ ଭଗବାନ ଓ ତମେ ଦୁଇଜଣ ଏଠିକି ଆସିବ, ଯାହା କରିବାକୁ ହେବ, ମୁଁ କରିଦେବି । ଆଉ