ପୃଷ୍ଠା:Chha mana atha guntha.pdf/୭୪

ଉଇକିପାଠାଗାର ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି


ମଙ୍ଗଳା ବରତ ଧଇଲେ ଯେତେବେଳ ଯାଏ ମଙ୍ଗଳାଙ୍କ କାମ ନ ହେଇଚି, ଦୁଇଜଣସିନା କରି ଓପାସ ରହିଥିବ, ଖାଲି ଅଳ୍ପ ଚୁଡ଼ା ଖାଇବ । ତମେମାନେ ବରତ କଥା ଜାଣି ନାହଁ; ସେଥିପାଇଁ କହୁଛି ।
ତାହାବାଦ୍ ସାରିଆ ଧୀରେ ଧୀରେ ଦୀଘି ମଧ୍ୟକୁ ଗାଧୋଇବାକୁ ଗଲା । ଚମ୍ପା କେତେବେଳ ଯାଏ ଗଛମୂଳରେ ଠିଆହୋଇ ଚାରିଆଡ଼କୁ ଅନାଇ ସନ୍ତୁଷ୍ଟ ଚିତ୍ତରେ ସାଆନ୍ତଙ୍କ ଉଆସ ଆଡ଼କୁ ଚାଲିଗଲା ।
ଆମ୍ଭେମାନେ ଗୁପ୍ତଭାବରେ ଅନୁସନ୍ଧାନ କରି ସମ୍ବାଦ ପାଇଅଛୁଁ, ସେ ଦିନ ଅଧରାତିଯାଏ ସାରିଆ ଉଆସ ମଧ୍ୟରେ ଥିଲା, ଭଗବାନ କଚେରୀରେ ଥିଲା । ତହିଁଆର ଦିନଠାରୁ ଚାରିଦିନ ଯାଏ ଭଗବାନକୁ ଗାଁ ମଧ୍ୟରେ କେହି ଦେଖିନାହିଁ । ତାହାକୁ କଟକ ବାଟରେ ଲୋକେ ଦେଖିଥିବାର କେହି କେହି କହନ୍ତି ।