ପୃଷ୍ଠା:Chha mana atha guntha.pdf/୭୫

ଉଇକିପାଠାଗାର‌ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି


ମନ୍ତ୍ରଣା :


ହୁକେ-ହୁକେ-ହୋ । ହୁକେ-ହୁକେ-ହୋ । ହୁକେ-ହୋ, ବିଲୁଆ ଡାକିଲେ ଠିକ୍ ଅଧରାତି । ମଫସଲର ଗାଁରେ ଘଡ଼ି ଘଣ୍ଟା ନାହିଁ, ବିଲୁଆ ଡାକ ଶୁଣି ରାତି ଠିକ୍ କଲୁଁ । ଏହି ପ୍ରାଣୀଗୁଡ଼ିକ ଗ୍ରାମର ଭାରି ଉପକାରୀ । କ୍ଷୁଦ୍ର ଗ୍ରାମରେ ମିଉନିସିପାଲିଟି କମିଶନର ନାହାନ୍ତି । ଗ୍ରାମରୁ ମଲା କୁକୁରଟି, ମଲାମୂଷାଟି, ମଲା ବିରାଡ଼ିଟି, ଆଉ ଆଉ ମଇଳା ଦ୍ରବ୍ୟ ଉଠାଇବା କାର୍ଯ୍ୟ ଏମାନଙ୍କ ଜିମା । ଅଧ ରାତି ଗୋବିନ୍ଦପୁର ଗ୍ରାମ ନିସ୍ତବଧ, ଚେଁ ଭେଁ ଶଦ୍ଦଟି ନାହିଁ । ତେଲସାହିରେ ଗୋଟିଏ ଶେଜପିଲା କୁଆଁ କୁଉଁଆଁ କରି କାନ୍ଦୁଥିଲା, ତାହାର ମା ନିଦ ଅଳସରେ ପିଲାକୁ ଥାପୁଡ଼ାଥାପୁଡ଼ି କରି ଭାରି ଭାରି ମୂଲ୍ୟବାନ ଏବଂ ଦୁଷ୍ପ୍ରାପ୍ୟ ଜିନିଷମାନ ଯାଚି ଏବଂ ଚୋର, ଚୌକିଆ, ବାଘ ପ୍ରଭୃତି ଭୟଙ୍କର ପ୍ରାଣୀମାନେ ଆସୁଥିବାର ଭୟ ଦେଖାଇ ଏବଂ ପିଲାଟି ଯେ ଖୁବ୍ ଭଲ, ସେ କାନ୍ଦିବ ନାହିଁ, ତୁନି ହୋଇ ଶୋଇପଡ଼ିବ ଇତ୍ୟାଦି ପ୍ରଶଂସାବାଦ କରି ଶୁଆଇ ପକାଇଲାଣି । ମଙ୍ଗରାଜଙ୍କ କଚେରି ଅଗଣାରେ ଆମ୍ଭମାନଙ୍କ ଗୋବରା ଜେନା ଆଉ ସଉତୁଣିଆ ମୌଜାର ଚୌକିଆ ଦାସ ଜେନା ଦୁଇଜଣ ଚିତାଏ ଲେଖାଏଁ ଲମ୍ବ ବାଉଁଶବାଡ଼ି ଦୁଇ ଖଣ୍ତ ବିଏଁ ବିଏଁ ଲମ୍ବ ଦୁଇଟା ନିଆଁ ବରିଆ ପାଖରେ ପକାଇ ନିଶ୍ଚିନ୍ତଭାବରେ ଶୋଇଛନ୍ତି, ବାହାରର ଲୋକେ ମନରେ କରିବେ, ମଙ୍ଗରାଜଙ୍କ କଚେରିରେ ଦୁଇଟା ଘୁଷୁରି ଚରୁଛନ୍ତି ଅବା । ଆମ୍ଭେମାନେ ସର୍ବଦା ସବୁ ବିଷୟରେ ସାବଧାନ ଥାଉଁ, ସବୁ ବିଷୟ ଅନୁସନ୍ଧାନ କରି ବୁଝୁଁ, ତଥାପି ପ୍ରଥମେ ଆମ୍ଭମାନଙ୍କର ମଧ୍ୟ ଭ୍ରମ ହୋଇଥିଲା, ମାତ୍ର ଭଲକରି କାନ ଡେରି ଶୁଣିବାରୁ ଶୁଣାଗଲା, ଚୌକିଦାର ଦୁଇ ଜଣଙ୍କ ନାକର ଘୁଙ୍ଗୁଡ଼ି ଡାକ ଭ୍ରମ ପ୍ରମାଦର କାରଣ ଅଟେ । କଚେରି ବାହାର ପିଣ୍ତାରେ ତିନିଜଣ ପ୍ରଜା ପଟାପଟ୍ ପଟାପଟ୍ ଚାପୁଡ଼ା ବାଡ଼େଇ ହୋଇ ଗଡୁଥାନ୍ତି । କ୍ଷୁଧା, ଚିନ୍ତା, ମଶା ଏମାନଙ୍କ ସହିତ ନିଦ୍ରାର ସଉତୁଣୀ