ପୃଷ୍ଠା:Chha mana atha guntha.pdf/୭୬

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ସମ୍ବନ୍ଧ ଥିଲାପରି ଜଣାଯାଏ । ପ୍ରଜା ତିନିଜଣ କରଜା ଧାନ ସକାଶେ ଅଟକ ଅଛନ୍ତି । ଦିନ ଯାକ ଦକ୍ଷିଣ ହସ୍ତର କାର୍ଯ୍ୟ ସଙ୍ଗେ ସମ୍ପର୍କ ନାହିଁ, ତାହା ଉପରେ ମଶା, ଏ ଉତ୍ତାରେ ଚିନ୍ତା ଆଉ ନିଦ କଥା କିଆଁ ପଚାର ?

କଚେରି ପ୍ରସ୍ତ ଟପି ଭିତରକୁ ଯିବାର ପ୍ରଥମ ପ୍ରସ୍ତରେ ମଙ୍ଗରାଜଙ୍କ ପହଡ଼ ଘର । ପ୍ରୟୋଜନବେଳେ ଲୋକେ ତାହାକୁ ଗନ୍ତାଘର ମଧ୍ୟ କହନ୍ତି । ଉଆସର ସବୁ ଘରଠାରୁ ଏ ଘରଟି ଶ୍ରେଷ୍ଠ ହେବାର ଉଚିତ, ମଧ୍ୟ ସେ ବିଷୟରେ ତ୍ରୁଟି ହୋଇନାହିଁ । ଘରଟି ଆଟୁ, ପାଞ୍ଚଶେଣିଆ ପୂର୍ବଦୁଆରୀ, ସମ୍ମୁଖରେ ଚୌଡ଼ାପିଣ୍ତା । ଦୁଆରେ ପଣସ କାଠର ଯାଉଁଳି କବାଟ ଲାଗିଛି । କବାଟରେ ଚାରିକୋଣିଆ ଛକ ପଡ଼ି ବତା, ଛକରେ ଛତିବାଲା ଲୁହାମେଖ ବାଡ଼ିଆ । ବାହାରକୁ କଡ଼ା ଆଉ ଶିକୁଳି ଦୁଇଟା ଲାଗିଅଛି । ଦୁଇଟା ବଡ଼ ବଡ଼ ନଳୀ କୋଲପ ପଡ଼େ । ଘର ପଶ୍ଚିମ ପଟ କାନ୍ଥର ପେଟେ ଉଞ୍ଚରେ ଦେଢ଼ ଚାଖଣ୍ତେ ଓସାର ଗୋଟାଏ ଗଜଲଗା ଝରକା ଲାଗିଅଛି । ମଗୁଶିର ମାସ ଗୁରୁବାରକୁ ଘର ଲିପାପୋଛା ହେଲେ କଦାଚିତ୍ ସେ ଝରକା ଫିଟେ । ଘର ଚାରିକଣ ଘିଟିଘିଟିଆ ଅନ୍ଧାର, ତୁମ୍ଭ ଆମ୍ଭ ପକ୍ଷରେ ଦିନହେଳେ ଆଲୁଅ ଲୋଡ଼ା । ଘର କୋଣମାନଙ୍କରେ ଅସରପା ବୋଲେ -ମୁହିଁ, ମୂଷା ବୋଲେ- ମୁହିଁ । ବର୍ଣ୍ଣସାଦୃଶ୍ୟ ହେତୁରୁ ହେଉ ବା ନାମ ସାମଞ୍ଜସ୍ୟ ହେତୁରୁ ହେଉ, ଚମ୍ପା କହେ ଅସରପା ଲକ୍ଷ୍ମୀ, ଘରେ ଅସରପା ଥିଲେ ଅସର୍ପି ଆସେ; ସୁତରାଂ ଅସରପା ବଂଶ କାହାରି ବିନା ବାଧା ବଳତ୍କାରରେ ପୁତ୍ର ପୌତ୍ରାଦି କ୍ରମେ ଘରକୋଣମାନ ଅଧିକାର କରି ରହିଅଛନ୍ତି । ଘରର ଉତ୍ତରପଟ କାନ୍ଥକୁ ଲଗାଇ ଗୋଟାଏ ଲମ୍ବା ବାଉଁଶଘୁଡୁଞ୍ଚି ଉପରେ ତିନିଟା ବଡ଼ ବଡ଼ ପୁରୁଣା ବେତା ଆଡ଼ଖୁର ଥୁଆ । ଘୁଡୁଞ୍ଚି ତଳେ, ଘରକୋଣରେ ଗୁଡ଼ମାଠିଆ ଆମ୍ବୁଲ ହାଣ୍ତି, କରଞ୍ଜତେଲ ଡିବା ପୁଞ୍ଜା ତିନି କି ଚାରି । ଆଉ ମୌଜାମାନଙ୍କରେ ଥିବା ତୋଟାରୁ କରଞ୍ଜସବୁ ବାଡ଼ିଆ ହୋଇ ଆସେ । ତେଲି ବେଠିରେ ପେଡ଼ିଦିଏ, ସେହି ତେଲ ସବୁ ଗନ୍ତାଘରେ ସାଇତା ଥାଏ । ବରଷକ ତେଲକିଣାରୁ ଖଲାସ-ବରଞ୍ଚ ବଳିପଡ଼େ । ଦକ୍ଷିଣପଟ କାନ୍ଥ ପାଖକୁ ଦୁଇଟା ବଡ଼ ବଡ଼ ଆମ୍ବକାଠର ସିନ୍ଦୁକ, ଆଉ ତାକୁ ଲଗାଇ ଗୋଟାଏ ଶାଳକାଠର ସିନ୍ଦୁକ । ଏଟା ଲକ୍ଷ୍ମୀ ସିନ୍ଦୁକ,