ପୃଷ୍ଠା:Chha mana atha guntha.pdf/୭୭

ଉଇକିପାଠାଗାର ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି


ପ୍ରତିଦିନ ଚମ୍ପା ସଞ୍ଜ ଦିଏ, ଗୁରୁବାରକୁ ଗୁରୁବାର ସନ୍ଦୁର ଚନ୍ଦନ ଦେଇ ପୂଜା ହୁଏ, ଅରୁଆ ଚାଉଳ ଗୁଡ଼ ଭୋଗ ଲାଗେ । ଓରାରେ ତିନି ଚାରିଟା ଶିକାରେ ଘିଅ ମାଠିଆ ଝୁଲୁଅଛି । ଗୋଠରୁ କାଟଘିଅ ଆସି ସେଥିରେ ଜମାହୁଏ । ସିକା ଆଉ ଓରାମାନଙ୍କରେ କଳା କଳା ପାଲିକି ଥୁପନାପରି ବୁଢ଼ିଆଣୀ ବସା ମେଞ୍ଚା ମେଞ୍ଚା ଝୁଲୁଅଛି । ପଶ୍ଚିମ ପଟ କାନ୍ଥ ପାଖକୁ ଉତ୍ତର ଦକ୍ଷିଣ ହୋଇ ମଙ୍ଗରାଜଙ୍କ ବଡ଼ ତକ୍ତପୋଷ । ଦକ୍ଷିଣ ଦିଗ ମୁଣ୍ତ ପାଖକୁ ଭାରି ଗୋଟାଏ ବଡ଼ ମଣ୍ତି ହେଁସ ଉପରେ ମୋଟା ଦେଶିଆ ଲୁଗାର ଦୋହର ବିଛଣା । ଚାଦରକୁ ଦେଖିଲେ ହଠାତ୍ ବୁଟାଦାର ଛିଟଲୁଗା ବୋଲି ଭ୍ରମ ଜନ୍ମିପାରେ, ମାତ୍ର ଆମ୍ଭେମାନେ ଭଲକରି ଦେଖିଅଛୁ, ରକ୍ତ କୃଷ୍ଣାଭ ଚିହ୍ନ ଗୁଡ଼ିକ ମୃତ ଓଡ଼ଶ ଶରୀରନିସୃତ ଶୁଷ୍କ ଶୋଣିତ ବିନ୍ଦୁ ଅଟେ ।

ଆଜି ଏହି ଅଧରାତି ସମୟରେ ସେହି ତକ୍ତପୋଷ ଉପରେ ଗୋଟିଏ ପୁରୁଷ ଏବଂ ତଳେ ଗୋଟିଏ ସ୍ତ୍ରୀ ବସି ଭାରି କଥାବାର୍ତ୍ତାରେ ଲାଗି ଯାଇଅଛନ୍ତି । ପାଠକମାନଙ୍କୁ ଚିହ୍ନାଇଦେବାକୁ ହେବ ନାହିଁ । ଏହି ସ୍ତ୍ରୀ ପୁରୁଷ ଦୁଇ ଜଣ ଆମ୍ଭମାନଙ୍କର ଚମ୍ପା ଆଉ ଖୋଦ୍ ରାମଚନ୍ଦ୍ର ମଙ୍ଗରାଜ । ଚମ୍ପା ତକ୍ତପୋଷ ଉପରେ ଦୁଇହାତ ପକାଇ ଭିଡ଼ି ବସିଅଛି; ମଙ୍ଗରାଜେ ତାହା ଆଡକୁ ଈଷତ୍ ଝୁଙ୍କି ପଡ଼ିଅଛନ୍ତି । ତକ୍ତପୋଷ ଠାରୁ ତିନିହାତ ଦୂରରେ ପିତ୍ତଳର ଗୋଟିଏ ଦୀପରୁଖା ଥୁଆ, ଥାହା ଉପରେ ମାଟି ବଇଠାଟିଏ ମିଞ୍ଜି ମିଞ୍ଜି ଜଳୁଅଛି, ଦୀପରୁଖାଟି ସର୍ବାଙ୍ଗ ତେଲକାଣ୍ଟିରେ ଲିପ୍ତ । ରୁଖାତଳ ଥାଳିଆରେ ବଳିତା ଗୁଲମିଶାନୀଳିଆ ତେଲ ପଳେ ହେବ ଜମା ଅଛି ।

ଚମ୍ପା ଆଉ ମଙ୍ଗରାଜେ ଅନେକ ରାତ୍ରି ପର୍ଯ୍ୟନ୍ତ କି କଥାବାର୍ତ୍ତା, କି ମନ୍ତ୍ରଣା କଲେ ସବୁ କଥାଗୁଡ଼ିକ ଶୁଣିବାକୁ ଆପଣ ସୁଖ ପାଇବେ ନାହିଁ । ଆମ୍ଭମାନଙ୍କର ମଧ୍ୟ ଅଧିକ ଲେଖୁବା ଅଭ୍ୟାସର ବିରୁଦ୍ଧ; ଅଥଚ ଏହି କଥାଗୁଡ଼ିକ ସତ୍ୟ ଘଟଣା ବୋଲ, ଗାଲୁଗଳ୍ପ ବୋଲା, ଉପନ୍ୟାସ ବୋଲ ଏଥିର ପ୍ରଧାନ ନାୟକ ନାୟିକାମାନଙ୍କର କଥା ଛାଡ଼ିଲେ କର୍ମ ଅଚଳ । ସୁତରାଂ ଚାରିଆଡ଼କୁ ଚାହିଁ ପାଠ ଲଗାଇବା ସକାଶେ 'ଘଡ଼ିର ତେଲ ନ ସରୁ;