ପୁଅମୁଣ୍ତ ନୁଖୁରା ନ ରହୁ' ଭଳିଆ କହିଦେବାକୁ ହେଲା । ଚମ୍ପା କହିଲା, "ବାପାର ଠିକ ନାହିଁ, ମା'ର ଠିକ୍ ନାହିଁ, ଦଗାବାଜି କରି ପଠାଣ ଟୋକାଠାରୁ ଜମିଦାରୀ ଆଣି ଗାଁରେ ବୋଲାଉଛି କି ନା ଜମିଦାରି । ହେଲୁ ହେଲୁ ଜମିଦାର ତୋ ଘରକୁ । ଗୋରୁ ଛାଡ଼ିଦେଇ ଫନ୍ଦା ଉଜାଡ଼, ଫେର କିନା - କହିଲେ ଗାଳି ? ପଳାଇଯାଇ ମାଈକିନିଆ ଭିତରେ ଲୁଚିଲା, ପଡ଼ିଥାଆନ୍ତା ତ ହାତରେ ! ସାଆନ୍ତେ, ଜଣେ ନୁହେଁ ଦୁଇଜଣ ନୁହେଁ, ଗାଁ ଲୋକଗୁଡ଼ାକ ଜମା ହୋଇଥାଆନ୍ତି, ଦୋକାନ ପିଣ୍ତାରେ ବସି ଗାଳି ଦେଉଥାଏ, ମୁଁ ପାନ କିଣିବି କ'ଣ ଦୋକାନ ଦୁଆର ପାଖରୁ ପଳାଇ ଆସିଲି । ଅଳପାଇସିଆ; ଖଣ୍ତିଆ ନଈଶୁଆ! ସାଆନ୍ତେ ମୁଁ କି ଛାଡ଼ିବା ଲୋକ ? ଆଉ କେହି ହୋଇଥିଲେ ତା ନାକ କାମୁଡ଼ି ପକାଇଥାନ୍ତି ପରା ? ମାତ୍ର ମଣିଷଟା ଅସୁର ପରି ଭେଣ୍ତିଆ । ତା ବାଉଁଶଠେଙ୍ଗା ଦେଖି ମୋ ପିଳେହି ପାଣି ହୋଇଗଲା । ତୁମ୍ଭେ ଏହାର ବାଟ କର, ନୋହିଲେ ମୁଣ୍ତ ଫଟେଇ ଦେବି, ବିଷ ଖାଇ ମରିବି, ପାଣିରେ ଡୁବି ମରିବି ।" ଚମ୍ପା ଏହା କହି ଧକେଇ କାନ୍ଦିବାକୁ ଲାଗିଲା ।
ମଙ୍ଗରାଜେ - ତୁନି ହ ଚମ୍ପା, ତୁନି ହ ! ସେହି ଠେଙ୍ଗାକୁ ତ ମୋର ଡର । ଚାରିଟାକୁ ଚାରିଟା ଅସୁର ପରି ନିହାତି ମୂର୍ଖ । କଥା ପଦକେ ଠେଙ୍ଗା କାଢ଼ି ବସିବେ । ଆଉ ସେ କଥା ତ କେତେଦିନୁ କରାଇ ଦେଇ ସାରନ୍ତିଣି । ଆମର ଗୋଟିଏ ବିଲେଇ ପିଲା ସେ ଗାଁକୁ ଗଲେ ପଛକୁ ଚାହିଁଥିବେ । ଗୋବରା ଏତେ ଚାଲାଖ, ଏତେ ହୁସିଆର, ତା ହାତରେ ତ କିଛି ହେଲା ନାହିଁ । ସେ କଣ କରିବ ? ଦିନ ରାତି ଲୋକ ଜଗୁଆଳି ।
ଚମ୍ପା - ନା ନା ସାଅନ୍ତେ, ସେ କଥା ହେବ ନାହିଁ । ତୁମେ ଏହାର ବାଟ କର, ନୋହିଲେ ମୁଁ ତ ଗାଁ ମାଈକିନିଆଙ୍କ ଆଗରେ ମୁହଁ ଦେଖାଇପାରିବି ନାହିଁ ! ସେମାନେ କି ଏଡେ ପାରୁଆ ହେଲେ, ତୁମକୁ ଜିଣିଲେ ?
ମଙ୍ଗରାଜେ - ଦେଖ ଚମ୍ପା, ଶାସ୍ତ୍ରରେ ଅଛି, "ଛଳେ ବଳେ କଉଶଳେ,ଶତ୍ରୁକୁ ସାଧିବ ହେଳେ ।" ମୁଁ ତ ପାରିଲି ନାହିଁ ତୁ ଏଥିର କିଛି ଫିକର କାଢ଼, ତୁ ବିଚାରିଲେ ସବୁ ହେବ ! ଦେଖ, ମୁଁ ତିନିବରଷ କାଳ ଲାଗି ଲାଗି ସେ ତନ୍ତୀକୁ ପାରି ନ ଥିଲି, ତୁ ଯେପରି ହାତ ଦେଲୁ, କାମ ଫତେ ।