ପୃଷ୍ଠା:Chha mana atha guntha.pdf/୮୦

ଉଇକିପାଠାଗାର ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି


ଆଗନ୍ତୁକ ଫଁ କରି ଗୋଟିଏ ନିଶ୍ୱାସ ପକାଇଲେ । ମନରେ ଦାରୁଣ କଷ୍ଟ ଜାତ ହେଲେ ଯେଉଁ ନିଶ୍ୱାସ ପଡ଼େ, ଏହା ସେହିପରି ତତଲା ନିଶ୍ୱାସ । ସମସ୍ତ ନୀରବ ନିଶ୍ଚଳ, କାଷ୍ଠ ପ୍ରତିମା ପରି ସ୍ପନ୍ଦନହୀନ, ଘର ନିସ୍ତବ୍ଧ ।

କିଛିକ୍ଷଣ ଉତ୍ତାରେ ମଙ୍ଗରାଜେ ସେହି ସ୍ତ୍ରୀ ମୂର୍ତ୍ତିଟିକୁ ଅନାଇ ପଚାରିଲେ, "କ'ଣ ?"

ସମସ୍ତେ ନିରୁତ୍ତର ।

ପୁନର୍ବାର ମଙ୍ଗରାଜେ ପଚାରିଲେ - "କ'ଣ? "

କିଛି ଉତ୍ତର ନାହିଁ, ପୁନର୍ବାର ପୂର୍ବବତ୍ ଦୀର୍ଘ ନିଶ୍ୱାସ ।

ମଙ୍ଗରାଜେ କିଞ୍ଚିତ୍ ବିରକ୍ତ ହୋଇ ପୂର୍ବଠାରୁ ଉଚ୍ଚ ସ୍ୱରରେ ପଚାରିଲେ, "କଣ କିଛି କହୁନାହଁ କ୍ୟାଁ?"

ସାଆନ୍ତାଣୀ : (ଆଗନ୍ତୁକା ମଙ୍ଗରାଜଙ୍କ ଭାର୍ଯ୍ୟା) ଅତି ଧୀର ଅତି ବିନୟରେ କହିଲେ, "ମୁଁ କିଛି ରାତି ହେଲାଣି, ଶୋଇପଡ଼, ଆଉ ସେ କଥାଗୁଡ଼ାକ ପାଞ୍ଚ ନାହିଁ ।"

ଚମ୍ପା ଅବଜ୍ଞା କରି ଗମ୍ଭୀର ସ୍ୱରରେ କହିଲା, "ହୁଁ" ।

ମଙ୍ଗରାଜେ : ଆଚ୍ଛା ମୁଁ ଯାଉଛି, ତୁମ୍ଭେ ବାହାରକୁ ଯାଅ ।

ଚମ୍ପାର ଅବଜ୍ଞାସୂଚକ 'ହୁଁ' ଶଦ୍ଦ ସାଆନ୍ତାଣିଙ୍କ କଲିଜାରେ ବର୍ଚ୍ଛାପରି ବାଜିଥିଲା; ତାହାବାଦ୍ 'ଆଚ୍ଛା ତୁମ୍ଭେ ବାହାରକୁ ଯାଅ' କଥାଟା ତାଳୁରେ ସହସ୍ର ବିଚ୍ଛା କାମୁଡିଲାପରି ଜଣାଗଲା । ଚମ୍ପା ରହିବ ଭିତରେ, ମୁଁ ଯିବି ବାହାରକୁ ! ଯେ ସବୁ ଘଟଣାରେ ପୁରୁଷଙ୍କ କଠିନ ମନ ଭାଙ୍ଗିପଡେ, କୋମଳାମନା ସହଜରେ ସହିଯାଆନ୍ତି । ସହିଷ୍ଣୁତା ଗୁଣ ସ୍ତ୍ରୀମାନଙ୍କର ପୁରୁଷମାନଙ୍କ ଠାରୁ ଢେର ବେଶୀ, ସେମାନେ ଢେର ସହିପାରନ୍ତି, ମାତ୍ର ସ୍ୱାମୀର ଅନାଦର ଏବଂ ଅବିଶ୍ୱାସ ସତୀ ସ୍ତ୍ରୀମାନଙ୍କ ପକ୍ଷରେ ଅସହ୍ୟ ପୁଣି ସ୍ୱାମୀ ସାକ୍ଷାତରେ ଦାସୀକୃତ ଅବଜ୍ଞା ମରଣାଧିକ କଷ୍ଟକର । ତେବେ ଉପସ୍ଥିତ ଘଟଣା ନୂତନ ନୁହେଁ ଚିରକାଳ ସହି ସହି ଅଭ୍ୟାସ ପଡ଼ିଯାଇଅଛି ତଥାପି; ସାଅନ୍ତାଣୀଙ୍କ କଣ୍ଠରୋଧ ହୋଇଗଲା, ମୁଣ୍ତ ବୁଲାଇଲା, ସମସ୍ତ